From Grazing Buffaloes to IAS: ମଇଁଷି ଚରାଉଥିବା ଝିଅ ହେଲେ IAS ଅଫିସର୍; ସମାଜର ଚାପକୁ ହରାଇ UPSCରେ ହାସଲ କଲେ AIR-152
କିଛି ସ୍ୱପ୍ନ ଏମିତି ଥାଏ, ଯାହା ଦାରିଦ୍ର୍ୟ, ସାମାଜିକ ଚାପ ଏବଂ ପ୍ରତିକୂଳ ପରିସ୍ଥିତି—ସବୁକୁ ପଛରେ ପକାଇ ସତ ହୁଏ। ତାମିଲନାଡୁର ଇରୋଡ୍ ଜିଲ୍ଲାର ସି. ବନମତି (C. Vanmathi)ଙ୍କ ସଫଳତାର କାହାଣୀ ମଧ୍ୟ ଠିକ୍ ସେହିପରି।
ପିଲାବେଳେ ପରିବାରକୁ ସାହାଯ୍ୟ କରିବା ପାଇଁ ମଇଁଷି ଚରାଉଥିବା ବନମତିଙ୍କ ଉପରେ ଦ୍ୱାଦଶ ଶ୍ରେଣୀରୁ ହିଁ ବିବାହ ପାଇଁ ଚାପ ପଡ଼ିଥିଲା। କିନ୍ତୁ ସେ ପଢ଼ା ଛାଡ଼ିନଥିଲେ। ଶେଷରେ UPSC ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୫୨ତମ ରାଙ୍କ ହାସଲ କରି IAS ହେବାର ସ୍ୱପ୍ନ ପୂରଣ କରିଥିଲେ।
ମଇଁଷି ଚରାଇ ପରିବାରକୁ କରୁଥିଲେ ସାହାଯ୍ୟ
ବନମତିଙ୍କ ପିଲାଦିନ ବେଶ୍ ସଂଘର୍ଷମୟ ଥିଲା। ତାଙ୍କ ବାପା ଜଣେ ଡ୍ରାଇଭର୍ ଥିଲେ ଓ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିଲା। ତେଣୁ ପଢ଼ା ସହିତ ବନମତିଙ୍କୁ ଘର କାମରେ ମଧ୍ୟ ହାତ ବଢ଼ାଇବାକୁ ପଡ଼ୁଥିଲା। ସେ ମଇଁଷି ଚରାଉଥିଲେ, ସେମାନଙ୍କ ପାଇଁ ଚାରା ଯୋଗାଡ଼ କରୁଥିଲେ। ଏତେ ସବୁ ସତ୍ତ୍ୱେ ପଢ଼ା ଛାଡ଼ିନଥିଲେ। ସୀମିତ ସମ୍ବଳ ମଧ୍ୟରେ ନିଜ ଭବିଷ୍ୟତକୁ ନେଇ ବଡ଼ ସ୍ୱପ୍ନ ଦେଖିଥିଲେ।
ଦ୍ୱାଦଶ ଶ୍ରେଣୀରୁ ବିବାହ ପାଇଁ ଚାପ
ବନମତି ଯେଉଁ ସାମାଜିକ ପରିବେଶରେ ବଢ଼ିଥିଲେ, ସେଠାରେ ଝିଅମାନଙ୍କର କମ୍ ବୟସରେ ବିବାହ କରାଇଦେବା ସାଧାରଣ ଘଟଣା ଥିଲା। ସେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ସମୟରୁ ହିଁ ତାଙ୍କ ବିବାହକୁ ନେଇ ଆତ୍ମୀୟ ଓ ସମାଜ ପକ୍ଷରୁ ଚାପ ଆସିଥିଲା। ହେଲେ ବନମତିଙ୍କ ନିଷ୍ପତ୍ତି ସ୍ପଷ୍ଟ ଥିଲା—ପ୍ରଥମେ ପଢ଼ା, ପରେ ନିଜ ଗୋଡ଼ରେ ଠିଆ ହେବା। ସାମାଜିକ ଚାପ ଆଗରେ ସେ ନିଜ ସ୍ୱପ୍ନ ସହ ସାଲିସ କରିନଥିଲେ।
ଟିଭି ସିରିଏଲ୍ରୁ IAS ହେବାର ସ୍ୱପ୍ନ
ବନମତିଙ୍କ ଜୀବନରେ ଏକ ଟିଭି ଧାରାବାହିକ ମଧ୍ୟ ପ୍ରେରଣାର ଉତ୍ସ ପାଲଟିଥିଲା। ସ୍କୁଲ୍ରେ ପଢ଼ୁଥିବା ସମୟରେ ସେ ‘ଗଙ୍ଗା ଯମୁନା ସରସ୍ୱତୀ’ ନାମକ ଧାରାବାହିକ ଦେଖୁଥିଲେ। ସେଥିରେ ଜଣେ ମହିଳା IAS ଅଫିସର୍ଙ୍କ ଚରିତ୍ର ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା। ଜଣେ IAS ଅଧିକାରୀଙ୍କୁ ମିଳୁଥିବା ସମ୍ମାନ, ଦାୟିତ୍ୱ ଓ ସମାଜ ପାଇଁ କାମ କରିବାର ସୁଯୋଗ ଦେଖି ବନମତି ଦିନେ IAS ହେବାକୁ ମନସ୍ଥ କରିଥିଲେ।
BCA-MCA ପରେ UPSC ପ୍ରସ୍ତୁତି
ସ୍ୱପ୍ନ ପୂରଣ ପାଇଁ ବନମତି ଉଚ୍ଚଶିକ୍ଷା ଜାରି ରଖିଥିଲେ। ସେ କମ୍ପ୍ୟୁଟର ଆପ୍ଲିକେସନ୍ରେ BCA କରିବା ପରେ MCA ମଧ୍ୟ ସମ୍ପୂର୍ଣ୍ଣ କରିଥିଲେ। ଏହାପରେ UPSC ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଲଗାତାର ପରିଶ୍ରମ ଓ ଲକ୍ଷ୍ୟ ପ୍ରତି ଏକାଗ୍ରତା ତାଙ୍କ ସଫଳତାର ମୁଖ୍ୟ ଆଧାର ପାଲଟିଥିଲା।
ଇଣ୍ଟରଭ୍ୟୁ ସମୟରେ ବାପାଙ୍କ ଅସୁସ୍ଥତା
UPSC ଯାତ୍ରାରେ ତାଙ୍କ ସାମ୍ନାକୁ ଆସିଥିଲା ଆଉ ଏକ ବଡ଼ ପରୀକ୍ଷା। ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତି ସମୟରେ ତାଙ୍କ ବାପା ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଗୋଟିଏ ପଟେ ପରିବାର ଓ ହସ୍ପିଟାଲର ଦାୟିତ୍ୱ, ଅନ୍ୟପଟେ UPSC ଇଣ୍ଟରଭ୍ୟୁ। କିନ୍ତୁ ଏହି କଠିନ ପରିସ୍ଥିତିରେ ମଧ୍ୟ ବନମତି ହାର ମାନିନଥିଲେ।
AIR-152 ସହ ପୂରଣ ହେଲା ସ୍ୱପ୍ନ
ଶେଷରେ ତାଙ୍କ ପରିଶ୍ରମର ଫଳ ମିଳିଥିଲା। UPSC ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସେ ଅଲ୍ ଇଣ୍ଡିଆ ରାଙ୍କ ୧୫୨ ହାସଲ କରିଥିଲେ ଏବଂ IAS ଅଧିକାରୀ ହେବାର ସ୍ୱପ୍ନକୁ ସାକାର କରିଥିଲେ। ମଇଁଷି ଚରାଇବାଠାରୁ ସିଭିଲ୍ ସର୍ଭିସ୍ ପର୍ଯ୍ୟନ୍ତ ବନମତିଙ୍କ ଯାତ୍ରା ଏକ କଥା ପ୍ରମାଣ କରେ—ବଡ଼ ସ୍ୱପ୍ନ ପାଇଁ କେବଳ ବଡ଼ ସମ୍ବଳ ନୁହେଁ, ଦୃଢ଼ ଇଚ୍ଛାଶକ୍ତି, ପରିଶ୍ରମ ଓ ଲକ୍ଷ୍ୟ ପ୍ରତି ଅଟଳତା ମଧ୍ୟ ସମାନ ଭାବେ ଜରୁରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।