From Investment Proposals to Ground Reality: ନିବେଶରୁ ରୂପାୟନ; ମୋହନଙ୍କ ଆଗରେ ବଡ଼ ଆହ୍ୱାନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତିନିଦିନିଆ ୟୁନାଇଟେଡ୍ ଆରବ ଏମିରେଟସ୍ (ୟୁଏଇ) ଗସ୍ତ ଶେଷ ହୋଇଛି । ଏହି ଗସ୍ତ ବେଶ୍ ବ୍ୟସ୍ତବହୁଳ ଥିଲା । ୟୁଏଇର ରାଜଧାନୀ ଆବୁଧାବି । ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳ ହେଲା ଦୁବାଇ । ଏହି ଦୁଇଟି ସ୍ଥାନରେ ଶ୍ରୀ ମାଝୀ ଏବଂ ତାଙ୍କ ସହିତ ଅତିରିକ୍ତି ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ନେତୃତ୍ୱରେ ଯାଇଥିବା ଅଧିକାରୀ ଟିମ୍ ବେଶ୍ ପରିଶ୍ରମ କରି ୨ଲକ୍ଷ ୪୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶର ପ୍ରସ୍ତାବ ହାସଲ କରିଛନ୍ତି । ଦୁବାଇ ଠାରେ ହୋଇଥିବା ରୋଡ୍ ସୋ ରେ ପ୍ରାୟ ୪ଶହ ନିବେଶକ ଯୋଗଦେଇଥିଲେ । ଏହାଛଡ଼ା ବହୁତ ଗୁଡ଼ିଏ ଗୋଲଟେବ୍ଲ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଏବେ ଦେଶର ଏକ ପ୍ରମୁଖ ଶିଳ୍ପ ଓ ନିବେଶ କେନ୍ଦ୍ର ଭାବେ ନିଜର ପରିଚୟକୁ ଆହୁରି ମଜବୁତ କରିବାର ପଥରେ ଆଗେଇ ଚାଲିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁନାଇଟେଡ୍ ଆରବ ଏମିରେଟସ୍ ଗସ୍ତ ବିଶେଷ ଗୁରୁତ୍ୱ ବହନ କରୁଥିଲା । ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ଏକ ବୃହତ ପୁଞ୍ଜିନିବେଶ ପ୍ରସ୍ତାବ ରାଜ୍ୟର ଅର୍ଥନୈତିକ ଭବିଷ୍ୟତ ପାଇଁ ଏକ ଆଶାଜନକ ଖବର । ପୂର୍ବରୁ ‘ମେକ୍-ଇନ୍-ଓଡ଼ିଶା-ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମରେ ଓଡ଼ିଶା ମଧ୍ୟ ୧୬.୭୩ ଲକ୍ଷ ଟଙ୍କାର ପୁଞ୍ଜି ହାସଲ କରିବା ପାଇଁ ସମର୍ଥ ହୋଇଥିଲା ।
ସମୀକ୍ଷକମାନଙ୍କ ମତରେ ଉତ୍କର୍ଷ ଓଡ଼ିଶା ଏବଂ ୟୁଏଇର ଯଦି ପୁଞ୍ଜି ନିବେଶ ପ୍ରସ୍ତାବ ଦେଖିବା ତେବେ ଗୋଟିଏ କଥା କୁହାଯାଇପାରେ ଯେ, ଏବେ ରାଜ୍ୟରେ ଏକ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ବିଦେଶୀ ଓ ଦେଶୀ ନିବେଶକଙ୍କ ମଧ୍ୟରେ ଓଡ଼ିଶା ପ୍ରତି ବଢ଼ୁଥିବା ଆଗ୍ରହ ନିଶ୍ଚିତ ଭାବରେ ଏକ ଶୁଭ ସଙ୍କେତ । ରାଜ୍ୟର ପ୍ରାକୃତିକ ସମ୍ପଦ, ଶିଳ୍ପ ଅନୁକୂଳ ପରିବେଶ, ଦକ୍ଷ ମାନବସମ୍ବଳ ଏବଂ ଭିତ୍ତିଭୂମିର ବିକାଶକୁ ପୁଞ୍ଜି ନିବେଶକାରୀମାନେ ଏବେ ସ୍ୱୀକାର କରୁଥିବା ପରିଲକ୍ଷିତ ହେଉଛି ।
ବଡ଼ ପରିମାଣର ପୁଞ୍ଜିନିବେଶ ଆସିଲେ ନୂଆ ଶିଳ୍ପ ପ୍ରତିଷ୍ଠା ହେବ, ଉତ୍ପାଦନ ବଢ଼ିବ, ରାଜ୍ୟର ରାଜସ୍ୱ ବୃଦ୍ଧି ପାଇବ । ସବୁଠାରୁ ବଡ଼ କଥା ହେଉଛି ଯେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଯଦି ସବୁ ପୁଞ୍ଜି ନିବେଶ ସଫଳ ରୂପାୟନ ହେବ, ତେବେ ୬ଲକ୍ଷରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟି ହେବ । ଓଡ଼ିଶା ଭଳି ରାଜ୍ୟ ଯେଉଁଠାରେ ବେକାରୀ ଓ ଦାଦନ ଏକ ବଡ଼ ପ୍ରସଙ୍ଗ ସେଠି ୬ଲକ୍ଷରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟି ହେବା ସମ୍ଭାବନା ଏକ ବଡ଼ ପଦକ୍ଷେପ ।
ଏବେ ରାଜନୈତିକ ମହଲରେ ଏହି ବଡ଼ ପ୍ରଶ୍ନ ଉଙ୍କିମାରୁଛି । ନିବେଶ ପ୍ରସ୍ତାବ ଆସିଲା, ଏବେ ଏହାର ବାସ୍ତବ ରୂପାୟନ କିପରି ହେବ? ନିବେଶ ପ୍ରସ୍ତାବ ଏବଂ ବାସ୍ତବ ରୂପାୟନ ମଧ୍ୟରେ ରହିଛି ଏକ ଦୀର୍ଘ ପ୍ରକ୍ରିୟା ।
ଅତୀତରେ ମଧ୍ୟ ବିଭିନ୍ନ ଶିଳ୍ପ ସମ୍ମିଳନୀ ଓ ନିବେଶକ ସମ୍ମିଳନୀରେ ହଜାର ହଜାର କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । କିନ୍ତୁ ସମସ୍ତ ପ୍ରସ୍ତାବ ବାସ୍ତବ ପ୍ରକଳ୍ପରେ ପରିଣତ ହୋଇପାରିନାହିଁ । ତେଣୁ ଏଥର ମଧ୍ୟ କେବଳ ନିବେଶର ପରିମାଣ ନୁହେଁ, - କେତେ ନିବେଶ ବାସ୍ତବରେ ଭୂମିରେ ରୂପାୟିତ ହୋଇପାରୁଛି, ତାହା ହିଁ ମୁଖ୍ୟ ମାପକ ହେବ । ଏଥିପାଇଁ ମୋହନ ସରକାରଙ୍କୁ ପ୍ରଥମେ ଅନୁମୋଦନ ପ୍ରକ୍ରିୟାକୁ ଆହୁରି ସରଳ ଓ ଦ୍ରୁତ କରିବାକୁ ପଡ଼ିବ ।
ସମୀକ୍ଷକମାନଙ୍କ ମତରେ ଜମି ଅଧିଗ୍ରହଣ, ପରିବେଶ ଅନୁମତି, ବିଦ୍ୟୁତ, ପାଣି, ସଡ଼କ ଓ ରେଳ ଭଳି ଭିତ୍ତିଭୂମି ସୁବିଧା ଯଦି ଠିକ୍ ସମୟରେ ଉପଲବ୍ଧ ନହୁଏ, ତେବେ ବଡ଼ ନିବେଶକମାନେ ମଧ୍ୟ ନିଜ ପ୍ରକଳ୍ପ ଆରମ୍ଭ କରିବାରେ ପଛକୁ ହଟିପାରନ୍ତି । ତେଣୁ ‘ସିଙ୍ଗଲ୍ ୱିଣ୍ଡୋ’ ବ୍ୟବସ୍ଥାକୁ କେବଳ କାଗଜରେ ନୁହେଁ, ବାସ୍ତବରେ ଦ୍ରୁତ ଓ ପ୍ରଭାବଶାଳୀ କରିବା ଆବଶ୍ୟକ ।
ଏହା ସହିତ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହେଉଛି ନିବେଶରୁ ସ୍ଥାନୀୟ ଲୋକଙ୍କୁ ଲାଭ ପହଞ୍ଚ।ଇବା । କେବଳ ବଡ଼ କମ୍ପାନୀ ଆସିଲେ ହେବ ନାହିଁ । ସେହି ଶିଳ୍ପ ସହିତ ସ୍ଥାନୀୟ ଡାଉନଷ୍ଟ୍ରିମ୍, ଛୋଟ ବ୍ୟବସାୟୀ, ଠିକାଦାର ଓ ସେବା ପ୍ରଦାନକାରୀମାନେ କିପରି ଯୋଡ଼ିହେବେ, ତାହା ମଧ୍ୟ ସରକାରଙ୍କ ନୀତିର ଅଂଶ ହେବା ଦରକାର । ଶିଳ୍ପ ପ୍ରତିଷ୍ଠା ସହିତ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ଆବଶ୍ୟକ ଦକ୍ଷତା ତାଲିମ ଦିଆଗଲେ ହିଁ ନିବେଶର ପ୍ରକୃତ ସାମାଜିକ ଲାଭ ମିଳିପାରିବ ।
ତେଣୁ ମୋହନ ଚରଣ ମାଝୀ ସରକାରଙ୍କ ଆଗରେ ଏବେ ଦୁଇଟି ସମାନାନ୍ତର ଦାୟିତ୍ୱ ରହିଛି—ଗୋଟିଏ ପଟେ ଅଧିକ ନିବେଶ ଆଣିବା ଏବଂ ଅନ୍ୟପଟେ ଆସିଥିବା ନିବେଶକୁ ଶୀଘ୍ର ବାସ୍ତବ ରୂପ ଦେବା । ନିବେଶକମାନଙ୍କ ସହ ନିୟମିତ ସମନ୍ୱୟ, ପ୍ରକଳ୍ପର ପ୍ରଗତି ଉପରେ ନିରନ୍ତର ନଜର ଏବଂ ପ୍ରତ୍ୟେକ ପ୍ରତିଶ୍ରୁତିର ଜବାବଦେହିତା ନିଶ୍ଚିତ କରିବା ଆବଶ୍ୟକ ।
ଶେଷରେ କୁହାଯାଇପାରେ, ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଏକ ବଡ଼ ସୁଯୋଗ । କିନ୍ତୁ ପ୍ରସ୍ତାବ ହେଉଛି ଆରମ୍ଭ, ସଫଳତା ନୁହେଁ । ଏହି ପ୍ରସ୍ତାବଗୁଡ଼ିକ କେତେ ଶୀଘ୍ର ପ୍ରକଳ୍ପରେ ପରିଣତ ହେଉଛି, କେତେ ପୁଞ୍ଜି ବାସ୍ତବରେ ରାଜ୍ୟକୁ ଆସୁଛି ଏବଂ ଏଥିରୁ କେତେ ନିଯୁକ୍ତି ସୃଷ୍ଟି ହେଉଛି—ସେହି ଆଧାରରେ ହିଁ ଏହି ଅଭିଯାନର ସଫଳତାକୁ ମାପିବାକୁ ପଡ଼ିବ ।
ଘୋଷଣାରୁ ରୂପାୟନ, ବୁଝାମଣାପ୍ରତ୍ର ସ୍ୱାକ୍ଷର ମାଟିରୁ ଏବଂ ନିବେଶରୁ ନିଯୁକ୍ତି—ଏହି ତିନୋଟି ପର୍ଯ୍ୟାୟ ଅତିକ୍ରମ କରିପାରିଲେ ହିଁ ଓଡ଼ିଶାର ବୃହତ ନିବେଶ ସ୍ୱପ୍ନ ବାସ୍ତବ ଅର୍ଥନୈତିକ ବିକାଶରେ ପରିଣତ ହେବ । ଅନ୍ୟଥା ବିରୋଧୀ ବିଜୁ ଜନତା ଦଳ ଓ କଂଗ୍ରେସ ରାଜ୍ୟ ସରକାରଙ୍କ ବିଫଳତାକୁ ପାଥେୟ କରି ଶାସକ ଦଳକୁ ଘେରିବାକୁ ପଶ୍ଚାତପଦ ହେବେ ନାହିଁ ।
ଅତୀତରେ ରାଜନୈତିକ କାରଣରୁ ଏବଂ ପ୍ରଶାସନିକ କାରଣରୁ ୫୨ହଜାର କୋଟି ଟଙ୍କାର ପୋସ୍କୋ ପ୍ରକଳ୍ପ ଓଡ଼ିଶାରୁ ଅପସାରଣ ହୋଇଯାଇଥିଲା । ସେହିପରି କଳିଙ୍ଗନଗର ଠାରୁ ଆରମ୍ଭ କରି ଯାଜପୁର ଏବଂ କେନ୍ଦୁଝର ଠାରୁ ଅନେକ ପ୍ରକଳ୍ପ ଅପସାରିତ ହୋଇସାରିଛନ୍ତି । ଏ ସମସ୍ତ କଥାକୁ ଲକ୍ଷ୍ୟ କରି ମୋହନ ମାଝୀ ସରକାର ଆଗକୁ ବଢ଼ିପାରିଲେ, ସେଥିରେ ତାଙ୍କର ବୁଦ୍ଧିମତ୍ତା ସାବ୍ୟସ୍ତ ହେବ ।
ବି.ଦ୍ର. - ଏହା ଲେଖକଙ୍କ ନିଜସ୍ୱ ମତ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।