Gajapati District: ଗଜପତିରେ ଗଭୀର ଅବପାତ ପ୍ରଭାବ: ୪୩୩୮ ଗର୍ଭବତୀଙ୍କୁ ଚିହ୍ନଟ; ୨୬୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ
"ପାରଳାଖେମୁଣ୍ଡି : ଲଘୁଚାପଜନିତ ଗଭୀର ଅବପାତର ପ୍ରଭାବରେ ଗଜପତି ଜିଲ୍ଲାରେ ଗତକାଲି ସନ୍ଧ୍ୟାଠାରୁ ବର୍ଷା ଲାଗିରହିଛି।
ଆଜି ମଧ୍ୟ ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ ଝିପ୍ଝିପ୍ ବର୍ଷା ଜାରି ରହିଛି।
ମଝିରେ ମଝିରେ ବର୍ଷାର ତୀବ୍ରତା ବଢ଼ୁଥିବା ବେଳେ ଆଗକୁ ବର୍ଷାର ପରିମାଣ ଆହୁରି ବଢ଼ିବା ଆଶଙ୍କା ରହିଛି।
ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ସମ୍ଭାବ୍ୟ ବର୍ଷା ଓ ତଳିଆ ଅଞ୍ଚଳରେ ଜଳବନ୍ଦୀ ଆଶଙ୍କାକୁ ଦୃଷ୍ଟିରେ ରଖି ତିନିଟି ବ୍ଲକ୍ର ପ୍ରାୟ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ରାୟଗଡ଼ା ଓ କାଶୀନଗର ବ୍ଲକ୍ର ତଳିଆ ଅଞ୍ଚଳରୁ ୪ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ଏହା ମଧ୍ୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇସାରିଛି।Advertisment ଅନ୍ୟ ଅଞ୍ଚଳରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି।
ବର୍ଷା ଓ ବିପର୍ଯ୍ୟୟ ସମୟରେ ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।
ଜିଲ୍ଲାରେ ମୋଟ ୪୩୩୮ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି।
ସ୍ଥିତି ଓ ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ପର୍ଯ୍ୟାୟକ୍ରମେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ।
ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆବଶ୍ୟକ ସମନ୍ୱୟ କରାଯାଉଛି।
ପ୍ରତ୍ୟେକ ବ୍ଲକ୍ରେ ଜଣେ ଲେଖାଏଁ ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।
ସେମାନେ ନିଜ ନିଜ ଅଞ୍ଚଳର ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର ଓ ରିଲିଫ୍ ବ୍ୟବସ୍ଥା ତଦାରଖ କରୁଛନ୍ତି।
ଜିଲ୍ଲାରେ ୨୬୪ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି।
ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ଗୋଟିଏ ଏନଡିଆରଏଫ ଓ ଗୋଟିଏ ଓଡ଼ିଆରଏଫ ଟିମ୍ ସଜାଗ ରହିଛନ୍ତି।
ଏଥିସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସମସ୍ତ ଆବଶ୍ୟକୀୟ ସରଞ୍ଜାମ ସହ ପ୍ରସ୍ତୁତ ରହିଛନ୍ତି।
ଗଛ ଉପୁଡ଼ିବା, ରାସ୍ତା ଅବରୋଧ, ଜଳବନ୍ଦୀ କିମ୍ବା ଅନ୍ୟ କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଦଳଗୁଡ଼ିକୁ ନିୟୋଜିତ କରାଯିବ।
ପାହାଡ଼ିଆ, ନଦୀକୂଳ ଓ ତଳିଆ ଅଞ୍ଚଳର ସ୍ଥିତି ଉପରେ ପ୍ରଶାସନ ନିରନ୍ତର ନଜର ରଖିଛି।
୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇ, ବର୍ଷାର ତୀବ୍ରତା ଓ ସ୍ଥାନୀୟ ପରିସ୍ଥିତିକୁ ଦେଖି ଆବଶ୍ୟକ ପଦକ୍ଷେପ ନେବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା ସଜାଗ ରଖାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।