Ganesh Idols Decorated With Currency Notes: କୋଟି କୋଟି ଟଙ୍କାରେ ଗଣେଶ ସଜା, ଦେଖିବାକୁ ପଣ୍ଡାଲରେ ଭିଡ଼
ତେଲେଙ୍ଗାନାର ପାଲୱାଞ୍ଚାରେ ଚଳିତ ବର୍ଷ ଗଣେଶ ଚତୁର୍ଥୀ ଉତ୍ସବରେ ଦେଖିବାକୁ ମିଳିଛି ନିଆରା ସାଜସଜା। ଦୁଇଟି ଗଣେଶ ମୂର୍ତ୍ତିକୁ ପ୍ରାୟ ୨ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍ରେ ସଜାଯାଇଛି।
ଗୋଟିଏ ସ୍ଥାନରେ କାପୁ ସମ୍ପ୍ରଦାୟର ସଦସ୍ୟମାନେ ୧ କୋଟି ୪୦ ଲକ୍ଷ ଟଙ୍କାର ନୋଟ୍ ବ୍ୟବହାର କରି ଗଣେଶ ମୂର୍ତ୍ତିକୁ ସଜାଇଛନ୍ତି। ସେହିପରି ଟିମ୍ ଏକଦନ୍ତ ପକ୍ଷରୁ ଅନ୍ୟ ଏକ ସ୍ଥାନରେ ୧ କୋଟି ୫୦ ଲକ୍ଷ ଟଙ୍କାର ନୋଟ୍ରେ ଗଣେଶଙ୍କ ପାଇଁ ଭବ୍ୟ ସାଜସଜା କରାଯାଇଛି।
ସାଜସଜାରେ ୧୦, ୨୦, ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍ ବ୍ୟବହାର ହୋଇଛି। ଏପରିକି ଗୋଟିଏ ମୂର୍ତ୍ତିର ମାଳା ଓ ମୁକୁଟ ମଧ୍ୟ ନୋଟ୍ରେ ତିଆରି କରାଯାଇଛି। ଏହି ନିଆରା ସାଜସଜା ଦେଖିବାକୁ ପଣ୍ଡାଲରେ ଭକ୍ତଙ୍କ ଭିଡ଼ ଜମିଛି।
ଆୟୋଜକଙ୍କ କହିବା ଅନୁସାରେ, ସ୍ଥାନୀୟ ବ୍ୟବସାୟୀଙ୍କ ଅବଦାନରେ ଏହି ସାଜସଜା କରାଯାଇଛି। ପଣ୍ଡାଲରେ ଥିବା ‘ଗଜପତି’ ମୂର୍ତ୍ତି ପାଇଁ ବ୍ୟାଙ୍କରମାନେ ମଧ୍ୟ ନୂଆ ନୋଟ୍ ଯୋଗାଇଥିଲେ।
ତେବେ ପାଲୱାଞ୍ଚାରେ ନୋଟ୍ରେ ଗଣେଶ ମୂର୍ତ୍ତି ସଜାଇବା ଏହା ପ୍ରଥମ ଘଟଣା ନୁହେଁ। ୨୦୨୪ରେ ୧ କୋଟି ୧୦ ଲକ୍ଷ ଟଙ୍କାର ନୋଟ୍ରେ ଗଣେଶ ମୂର୍ତ୍ତି ଓ ମଞ୍ଚ ସଜାଯାଇଥିଲା। ଏହାର ପୂର୍ବରୁ ୨୦୨୩ରେ ମଧ୍ୟ ୧ କୋଟି ଟଙ୍କାର ନୋଟ୍ରେ ଗଣେଶ ପଣ୍ଡାଲ ସଜାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।