Gangster’s Wedding Held Under Heavy Security: ଗ୍ୟାଙ୍ଗଷ୍ଟରକୁ ୧୨ ଘଣ୍ଟିଆ ପାରୋଲ, କାମ୍ବୋଡିଆନ୍ ସାଥୀଙ୍କୁ କଲା ବିବାହ

Sep 24, 2026 - 20:18
Gangster’s Wedding Held Under Heavy Security: ଗ୍ୟାଙ୍ଗଷ୍ଟରକୁ ୧୨ ଘଣ୍ଟିଆ ପାରୋଲ, କାମ୍ବୋଡିଆନ୍ ସାଥୀଙ୍କୁ କଲା ବିବାହ

ହରିୟାଣା ଜେଲରେ ଆଜୀବନ ସଜା କାଟୁଥିବା ଗ୍ୟାଙ୍ଗଷ୍ଟର ମନପାଲ ଧିଲ୍ଲାକୁ ବିବାହ ପାଇଁ ୧୨ ଘଣ୍ଟିଆ ପାରୋଲ ମିଳିଥିଲା। ଗୁରୁବାର ଝାଜ୍ଜର ଜିଲ୍ଲାର ଦୁଲିନା ଗାଁରେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କ ବିବାହ ସମ୍ପନ୍ନ ହୋଇଛି। ଧିଲ୍ଲା କାମ୍ବୋଡିଆର ନାଗରିକ ମେଟା ଚାନଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କରିଛି।

ଧିଲ୍ଲାକୁ ସକାଳ ପ୍ରାୟ ୮ଟାରେ ଜେଲରୁ ବାହାରକୁ ଅଣାଯାଇଥିଲା ଏବଂ ରାତି ୮ଟା ସୁଦ୍ଧା ପୁଣି ଜେଲକୁ ଫେରିବାକୁ ନିର୍ଦ୍ଦେଶ ରହିଥିଲା। ପାରୋଲର ସମୟ ସୀମିତ ଥିବାରୁ ବିବାହର ସମସ୍ତ ରୀତିନୀତି ପୂର୍ବ ଯୋଜନା ଅନୁସାରେ ସମ୍ପନ୍ନ କରାଯାଇଥିଲା।

ଝାଜ୍ଜର-ଗୁରୁଗ୍ରାମ ରାସ୍ତା କଡ଼ରେ ଥିବା ଦୁଲିନାର ଏକ ଫାର୍ମହାଉସ୍‌ରେ ବିବାହ ସମାରୋହ ଆୟୋଜିତ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଏଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

ବିବାହରେ ଯୋଗ ଦେଇଥିବା ସମ୍ପର୍କୀୟମାନଙ୍କୁ କଡ଼ା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିଥିଲା। 

ସୂଚନା ଅନୁସାରେ, ଭାରତରୁ ଫେରାର ହେବା ପରେ ଧିଲ୍ଲା ପ୍ରାୟ ୮ ବର୍ଷ କାମ୍ବୋଡିଆରେ ରହିଥିଲା। ସେଠାରେ ତାର ମେଟା ଚାନଙ୍କ ସହ ସମ୍ପର୍କ ଗଢ଼ିଉଠିଥିଲା। ଏହି ଦମ୍ପତିଙ୍କର ୪ ଜଣ ସନ୍ତାନ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବର୍ତ୍ତମାନ କାମ୍ବୋଡିଆରେ ରହୁଛନ୍ତି। ମେଟା ଚାନ୍ ତାଙ୍କର ୩ ଜଣ ପିଲା ଓ ଅନ୍ୟ ପରିବାର ସଦସ୍ୟଙ୍କ ସହ ଝାଜ୍ଜରରେ ପହଞ୍ଚିଥିଲେ।

ବିବାହ ସମାରୋହରେ ପ୍ରାୟ ୫୦୦ରୁ ୬୦୦ ଅତିଥିଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

୨୦୦୭ରେ ବାହାଦୁରଗଡ଼ ସଦର ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ଧିଲ୍ଲାକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ମାମଲାରେ ହତ୍ୟା, ହତ୍ୟା ଉଦ୍ୟମ, ବେଆଇନ ଅସ୍ତ୍ର ବ୍ୟବହାର ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ଅଭିଯୋଗ ରହିଥିଲା।

୨୦୧୩ରେ ଏକ ଅଦାଲତ ତାକୁ ଆଜୀବନ କାରାଦଣ୍ଡ ଦେଇଥିଲେ। ୨୦୧୮ରେ ତାକୁ ୬ ସପ୍ତାହର ପାରୋଲ ମିଳିଥିଲା। କିନ୍ତୁ ପାରୋଲ ଅବଧି ଶେଷ ହେବା ପରେ ସେ ଜେଲକୁ ଫେରିନଥିବା ଅଭିଯୋଗ ହୋଇଥିଲା ଏବଂ ବିଦେଶକୁ ପଳାଇ ଯାଇଥିଲା। ପରେ ତାକୁ କାମ୍ବୋଡିଆରେ ଠାବ କରାଯାଇଥିଲା।

ହରିୟାଣା ପୋଲିସର ଅନୁରୋଧ ପରେ CBI ମାଧ୍ୟମରେ ୨୦୨୪ ନଭେମ୍ବରରେ ଧିଲ୍ଲା ବିରୋଧରେ ଇଣ୍ଟରପୋଲ୍ ରେଡ୍ ନୋଟିସ୍ ଜାରି ହୋଇଥିଲା।

କାମ୍ବୋଡିଆ କର୍ତ୍ତୃପକ୍ଷଙ୍କ ସହଯୋଗରେ ତାକୁ ୨୦୨୫ ଜୁଲାଇରେ ଗିରଫ କରାଯାଇଥିଲା ଏବଂ ୨୦୨୫ ସେପ୍ଟେମ୍ବରରେ ଭାରତ ଅଣାଯାଇଥିଲା। ସେବେଠାରୁ ସେ ହିରାସତରେ ରହି ଆଜୀବନ କାରାଦଣ୍ଡ ଭୋଗୁଛି ।

ଧିଲ୍ଲାକୁ କେବଳ ବିବାହରେ ଯୋଗଦେବା ପାଇଁ ୧୨ ଘଣ୍ଟିଆ ପାରୋଲ ମଞ୍ଜୁର କରାଯାଇଥିଲା। ବିବାହ ରୀତିନୀତି ଶେଷ ହେବା ପରେ ଗୁରୁବାର ରାତି ୮ଟା ସୁଦ୍ଧା ତାକୁ ପୁଣି ଜେଲକୁ ଫେରିବାକୁ ପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।