Gen-Z Takes Centre Stage: ଜେନ୍ ଜି'ଙ୍କୁ ନେଇ ପଡ଼ିଛି ଚହଳ; ରାଜନୈତିକ ଦଳ ଭିତରେ ପ୍ରତିଯୋଗିତା, ପାଲଟିଗଲାଣି ଟ୍ରେଣ୍ଡ୍

Aug 09, 2026 - 20:01
Gen-Z Takes Centre Stage: ଜେନ୍ ଜି'ଙ୍କୁ ନେଇ ପଡ଼ିଛି ଚହଳ; ରାଜନୈତିକ ଦଳ ଭିତରେ ପ୍ରତିଯୋଗିତା, ପାଲଟିଗଲାଣି ଟ୍ରେଣ୍ଡ୍

ଜେନ୍ ଜି' ଙ୍କୁ ନେଇ ପଡ଼ିଛି ଚହଳ। କିନ୍ତୁ ବାହ୍ୟଶକ୍ତି ଦ୍ବାରା ସେମାନେ ପ୍ରଭାବିତ ହେଉନାହାନ୍ତି ତ? ଯାହାକୁ ନେଇ ଏବେ ଶଙ୍କା ଉଠିଛି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ ପରେ ରାଜନୈତିକ ବୟାନ ବାଜି ତେଜିଛି। ସେପଟେ ଜେନ୍ ଜି ଙ୍କ ସମର୍ଥନ ପାଇଁ ଏବେ ରାଜନୈତିକ ଦଳଗୁଡ଼ିକ ଭିତରେ ପ୍ରତିଯୋଗିତା ବି ତୀବ୍ର।

ଦୁନିଆ ଦୁଲୁକୁଛି ଜେନ୍ ଜି ସ୍ବରରେ। କେଉଁଠି ସତ୍ତାକୁ ଚ୍ୟାଲେଞ୍ଜ...କେଉଁଠି ବ୍ୟବସ୍ଥାକୁ ପ୍ରଶ୍ନ...ଆଉ କେଉଁଠି ସିଷ୍ଟମରେ ପରିବର୍ତ୍ତନ ପାଇଁ ରାସ୍ତାକୁ ଓହ୍ଲାଉଛନ୍ତି ଯୁବଶକ୍ତି। ପ୍ରଶ୍ନ ପଚାରି...ଦାବି ଉଠାଇ...ଜବାବ ମାଗିବା ଜେନ୍-ଜି ପାଇଁ କେବଳ ପ୍ରତିବାଦ ନୁହେଁ, ଏକ ଟ୍ରେଣ୍ଡ। ଏହି ଟ୍ରେଣ୍ଡକୁ ପ୍ରଭାବିତ କରୁଛି କି କୌଣସି ବାହ୍ୟ ଶକ୍ତି ? ଚର୍ଚ୍ଚା ଓ ଆଶଙ୍କା ଭିତରେ ଆଜି ଜେନ-ଜିଙ୍କ ଉଦ୍ଦେଶ୍ୟରେ ବଡ଼ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଘରେ ଘରେ ତ୍ରିରଙ୍ଗା ଅଭିଯାନରେ ଯୋଗ ଦେଇ ବାହ୍ୟଶକ୍ତିରୁ ଦୂରେଇ ରହିବାକୁ GEN-Zଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ଯୁବଶକ୍ତିଙ୍କୁ ସଶକ୍ତ ଓ ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ ଚେଷ୍ଟା ଜାରି ରଖିଛନ୍ତି। କିନ୍ତୁ ଡିଜିଟାଲ ଯୁଗରେ ଦେଶ ବାହାରୁ ଯୁବବର୍ଗଙ୍କୁ ଭ୍ରମିତ କରାଯାଉଛି। 

ସୋସିଆଲ ମିଡିଆର ଅପବ୍ୟବହାର ଓ ନିଶାଦ୍ରବ୍ୟର କୁପ୍ରଭାବ ଯୁବକଙ୍କୁ ପଥଭ୍ରଷ୍ଟ କରୁଛି। ଅନ୍ୟପଟେ ବିଜେଡି କାଉଣ୍ଟର କରି କହିଛି ଯିଏ ସରକାରଙ୍କ ଭୁଲ୍ ଧରିବ ସିଏ ଦେଶ ବିରୋଧୀ। ନିଜ ଭୁଲ୍ ଲୁଚାଇବାକୁ କାଦୁଅ ଫିଙ୍ଗୁଛନ୍ତି ସରକାର।

ତର୍କ-ବିତର୍କ ଭିତରେ ଜେନ୍-ଜି ଏବେ ରାଜନୀତି ପଶାପାଲିରେ ସବୁଠୁ ବଡ଼ ଗୋଟି। ଯୁବ ଭୋଟ୍ ବ୍ୟାଙ୍କ ଉପରେ ସବୁ ରାଜନୈତିକ ଦଳଙ୍କ ଆଖି। ଜେନ୍-ଜିଙ୍କ ସମର୍ଥନ ପାଇବାକୁ ଜୋରଦାର ପ୍ରତିଯୋଗିତା ଚାଲିଛି। ଗତକାଲି ଜେନ୍-ଜି ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ଭୂମିକାକୁ ନେଇ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ଜିଏମ୍ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର କହିଥିଲେ, ମୁଁ ଏବେ ଜେନ୍ ଜି ରେ ପୀଡିତ। କିଛି ଲୋକ ନୂଆ ପିଢିଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। 

ତେଣେ ବିଜେଡି ଧର୍ମେନ୍ଦ୍ରଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛି ଯୁବ ଗୋଷ୍ଠୀ ବା GenZ ଏବେ ବିରୋଧ କରିବା ଆରମ୍ଭ କରିଛନ୍ତି। ଜେନ୍ ଜିଙ୍କ ୟର୍କରରେ କ୍ଳିନ୍ ବୋଲଡ ହେଇ କହୁଛନ୍ତି ହିଟ୍ ୱିକେଟ୍ ହେଇଛି ବୋଲି। କଂଗ୍ରେସ କହିଛି ଜନ୍ତରମନ୍ତର ଘଟଣା ପରେ ଜେନ୍ ଜିଙ୍କ ସମର୍ଥନ କଂଗ୍ରେସ ସହିତ ରହିଛି। ଆଗାମୀ ଦିନରେ ଏହାର ପ୍ରତିଫଳନ ଦେଖିବ ବିଜେପି। 

ପ୍ରଧାନମନ୍ତ୍ରୀଙ୍କଠାରୁ ରାହୁଲ ଗାନ୍ଧୀ...ସରକାରଠାରୁ ବିରୋଧୀ...ସମସ୍ତଙ୍କ ନଜର ଏବେ ଜେନ୍-ଜି ଉପରେ। ପିଏମ୍ ମୋଦି ବିଳମ୍ବିତ ରାତିରେ ଇନଷ୍ଟାରେ ଲାଇଭ ସମ୍ବୋଧନ କରୁଛନ୍ତି। ମନ୍ତ୍ରୀମାନଙ୍କୁ ବି ଜେନ୍-ଜିଙ୍କ ସହ ସୋସିଆଲ୍ ମିଡିଆରେ ସକ୍ରିୟ ଭାବେ ଯୋଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ବି ଜେନ୍-ଜିଙ୍କ ଦାବିକୁ ଯଥାର୍ଥ ଓ ସେମାନେ ଦେଶବିରୋଧୀ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।