Ghost Thief: ଭୂତ ବେଶରେ ମନ୍ଦିରରେ ପଶିଲା ଚୋର, CCTVରେ କଏଦ ହେଲା ଅଜବ କାରନାମା
ଚୋରି କରିବାର ଅଭିନବ ଉପାୟ। ଭୂତ ବେଶରେ ମନ୍ଦିରରେ ପଶିଲା। ଚୋରର ଏହି ଅଜବ କାରନାମା CCTV କ୍ୟାମେରାରେ କଏଦ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ମଦନମୋହନ ମନ୍ଦିରରେ।
ପ୍ରତିଦିନ ଭଳି ମନ୍ଦିରର ନୀତିକାନ୍ତି ସାରି ପୂଜକ ଘରକୁ ଚାଲିଯାଇଥିଲେ। ହେଲେ ସକାଳୁ ମନ୍ଦିର ଖୋଲିବା ବେଳେ ଦେଖିଲେ, ମନ୍ଦିରର ତାଲା ଅଧା ଭଙ୍ଗା ଯାଇଛି। ସନ୍ଦେହ ହେବାରୁ CCTV ଯାଞ୍ଚ କରିବା ପରେ ଯାହା ଦେଖିଲେ, ତାଜୁବ ହୋଇଗଲେ। ଜଣେ ଦୁର୍ବୃତ୍ତ ଧଳା ରଙ୍ଗର ପୋଷାକ ପିନ୍ଧି ମନ୍ଦିର ପାଚେରୀ ଡେଇଁ ଭିତରକୁ ପଶୁଛି। ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଧଳା ପୋଷାକ ପିନ୍ଧି ମନ୍ଦିରରେ ପଶିଥିଲା ଚୋର।
ସବୁଠାରୁ ବଡ଼ କଥା ହେଉଛି, ଏ ଘଟଣା ରାତି ପ୍ରାୟ ୪ଟା ସମୟରେ ହୋଇଥିବା କୁହାଯାଉଛି। ଭୋର ସମୟ ହୋଇଥିବାରୁ ଲୋକେ ଉଠିଯିବାର ଭୟରେ ଦୁର୍ବୃତ୍ତ ଜଣକ କିଛି ଚୋରାଇ ନପାରି ମନ୍ଦିର ଛାଡ଼ି ପଳାଇଥିବା ଜଣାପଡ଼ିଛି। ହେଲେ ଏହି ଘଟଣା ପରେ ମନ୍ଦିରର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। କାରଣ, ଏହି ମନ୍ଦିରରୁ ପ୍ରାୟ ଦୁଇ ବର୍ଷ ତଳେ ଠାକୁରଙ୍କ ୪ଟି ମୂର୍ତ୍ତି ଓ ଅଳଙ୍କାର ଲୁଟ୍ ହୋଇଥିଲା। ବହୁ କଷ୍ଟରେ ମୂର୍ତ୍ତି ମଗାଇ ପୁଣି ନୂଆ ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା।
ଦୁଇ ବର୍ଷ ପରେ ପୁଣି ମନ୍ଦିରରେ ଚୋରି ଉଦ୍ୟମ ହେବା ପରେ ଶ୍ରଦ୍ଧାଳୁଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଘଟଣାକୁ ନେଇ ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। CCTV ଫୁଟେଜ୍ ଆଧାରରେ ଦୁର୍ବୃତ୍ତକୁ ଚିହ୍ନଟ କରିବାକୁ ଚାଲିଛି ଉଦ୍ୟମ। ଅଭିଯୁକ୍ତକୁ ଶୀଘ୍ର ଧରି ତା' ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।