Girls Drown in Ganga: ଗଙ୍ଗାରେ ଗାଧୋଇବା ବେଳେ ବଡ ଅଘଟଣ: ବୁଡ଼ିଲେ ୭ ଝିଅ, ଏବେ ବି ନିଖୋଜ ୪

Aug 17, 2026 - 14:49
Girls Drown in Ganga: ଗଙ୍ଗାରେ ଗାଧୋଇବା ବେଳେ ବଡ ଅଘଟଣ: ବୁଡ଼ିଲେ ୭ ଝିଅ, ଏବେ ବି ନିଖୋଜ ୪

ଶ୍ରାବଣର ତୃତୀୟ ସୋମବାରରେ ଗଙ୍ଗାରେ ସ୍ନାନ କରିବା ବେଳେ ବଡ଼ ଅଘଟଣ। ଗଙ୍ଗା ନଦୀରେ ସ୍ନାନ କରିବାକୁ ଯାଇଥିବା ୭ ଜଣ ଝିଅ ହଠାତ୍ ଗଭୀର ପାଣିରେ ବୁଡ଼ିଯାଇଥିଲେ। ଘଟଣାସ୍ଥଳରେ ଥିବା ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରି ୩ ଜଣଙ୍କୁ ବଞ୍ଚାଇଥିବା ବେଳେ ୪ ଜଣ ଏବେ ବି ନିଖୋଜ ଅଛନ୍ତି। ନିଖୋଜ ଝିଅମାନଙ୍କୁ ଖୋଜିବା ପାଇଁ SDRF ଓ NDRF ତଲାସି ଅଭିଯାନ ଚଳାଇଛନ୍ତି।

ବିହାରର ବଖତିୟାରପୁର ଥାନା ଅଞ୍ଚଳର ରାଣୀ ସରାୟ ଗାଁ ନିକଟରେ ଆଜି ସକାଳେ ଏହି ଦୁଃଖଦ ଘଟଣା ଘଟିଛି। ଶ୍ରାବଣର ତୃତୀୟ ସୋମବାର ଅବସରରେ ବହୁ ଲୋକ ଗଙ୍ଗାରେ ସ୍ନାନ କରିବାକୁ ଆସିଥିଲେ। ଏହି ସମୟରେ ରାଣୀ ସରାୟ ଗାଁର ୭ ଜଣ ଝିଅ ମଧ୍ୟ ଗଙ୍ଗାରେ ସ୍ନାନ କରୁଥିଲେ।

ସ୍ନାନ କରୁଥିବା ବେଳେ ଜଣେ ଝିଅ ହଠାତ୍ ଗଭୀର ପାଣିକୁ ଚାଲିଯାଇ ବୁଡ଼ିବାକୁ ଲାଗିଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ଝିଅମାନେ ମଧ୍ୟ ପାଣି ଭିତରକୁ ଯାଇଥିଲେ। ଫଳରେ ସେମାନେ ମଧ୍ୟ ଗଭୀର ପାଣିରେ ଫସି ଯାଇ ବୁଡ଼ିବାକୁ ଲାଗିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ନଦୀକୁ ଯାଇ ୩ ଜଣ ଝିଅଙ୍କୁ ଉଦ୍ଧାର କରିଥିଲେ। ତେବେ ଅନ୍ୟ ୪ ଜଣଙ୍କ କୌଣସି ପତ୍ତା ମିଳିନାହିଁ।

ନିଖୋଜ ଝିଅମାନେ ହେଲେ ରାଣୀ ସରାୟ ନିବାସୀ କମଲେଶ ଚନ୍ଦ୍ରବଂଶୀଙ୍କ ୧୬ ବର୍ଷୀୟ ଝିଅ ରାଧିକା କୁମାରୀ, ଅବଧେଶ ଚନ୍ଦ୍ରବଂଶୀଙ୍କ ୧୪ ବର୍ଷୀୟ ଝିଅ ଆରତୀ କୁମାରୀ, ୧୭ ବର୍ଷୀୟ ନନ୍ଦିନୀ କୁମାରୀ ଏବଂ ମଣ୍ଟୁ ଚନ୍ଦ୍ରବଂଶୀଙ୍କ ଝିଅ ବବଲୀ କୁମାରୀ।

ଘଟଣାର ଖବର ପାଇବା ପରେ ବଖତିୟାରପୁର ପୁଲିସ ଓ ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ SDRF ଟିମ୍ ମଧ୍ୟ ତଲାସି ଅଭିଯାନରେ ସାମିଲ ହୋଇଥିଲା। ନଦୀରେ ନିଖୋଜ ଝିଅମାନଙ୍କୁ ଖୋଜାଖୋଜି ଜାରି ରହିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବା ବେଳେ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ନଦୀ କୂଳରେ ବେଆଇନ ଖନନ ଯୋଗୁଁ ଅନେକ ସ୍ଥାନରେ ଗଭୀର ଗାତ ସୃଷ୍ଟି ହୋଇଛି। ଏହି ଗଭୀର ଅଞ୍ଚଳକୁ ଚାଲିଯିବାରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି। ନିଖୋଜ ୪ ଜଣ ଝିଅଙ୍କ ତଲାସୀ ଅଭିଯାନ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।