20 SEPTEMBER 2026

Welcome!

Unlock your personalized experience.
Sign Up

God's silent blessing: ଅମୃତର ସନ୍ଧାନେ / ଶ୍ରୀସନ୍ନ୍ୟାସୀ ଜୀ: ଈଶ୍ୱରଙ୍କ ନିରବ ଆଶୀର୍ବାଦ

Sep 20, 2026 - 09:39
God's silent blessing: ଅମୃତର ସନ୍ଧାନେ / ଶ୍ରୀସନ୍ନ୍ୟାସୀ ଜୀ: ଈଶ୍ୱରଙ୍କ ନିରବ ଆଶୀର୍ବାଦ

ଏକ ବରିଷ୍ଠ ନାଗରିକ ସଭାକୁ ମୁଖ୍ୟବକ୍ତା ଭାବେ ଉଦ୍‌ବୋଧନ ଦେବାପାଇଁ କକ୍ଷ ଭିତରକୁ ପ୍ରବେଶ କରୁ କରୁ ଜଣେ ୭୦ ବର୍ଷୀୟ ବୃଦ୍ଧ ମୋତେ ଦେଖି କହିଲେ- କେବଳ ଆପଣଙ୍କ ଭାଷଣ ଶୁଣିବା ପାଇଁ ଆସିଛି। ଆଉ କୁଆଡ଼େ ଯା’ ଆସ କରିପାରୁନାହିଁ। ଏ ନିଆଁଲଗା ଜୀବନଟି ବି ଯାଉନାହିଁ। ଏ ବୁଢ଼ା ଅଚଳ ଶରୀରକୁ ନେଇ ମୁଁ ଭାରି ସନ୍ତାପିତ ହେଉଛି ଆଜ୍ଞା! ସେଦିନ ସଭାରେ ମୋର ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା, ବୃଦ୍ଧlବସ୍ଥା କ’ଣ ସତରେ ଖରାପ, ଆମ ପାଇଁ ଅଭିଶାପ ନା ଆଶୀର୍ବାଦ? ଭଗବାନ ମଣିଷକୁ ବୃଦ୍ଧ କାହିଁକି କରନ୍ତି? ଯୁବାବସ୍ଥାକୁ ଚିରସ୍ଥାୟୀ କଲେ ହୋଇ ନଥାନ୍ତା? ଦିନେ ଜଣେ ଜିଜ୍ଞାସୁ ଏ ପ୍ରଶ୍ନ ପଚାରିଲେ। ଭଗବାନ କହିଲେ- ବୃଦ୍ଧାବସ୍ଥା ଅଭିଶାପ ନୁହେଁ, ଏକ ଶିକ୍ଷା।

Madhyapradesh: ମଧ୍ୟପ୍ରଦେଶର ଦମୋହରେ ପତ୍ନୀ ଓ ୩ ସନ୍ତାନଙ୍କୁ କୁରାଢ଼ୀରେ ହାଣି ହତ୍ୟା

ଯୁବାବସ୍ଥାରେ ମଣିଷ ବାହାର ଜଗତକୁ ଦେଖିବାରେ ବ୍ୟସ୍ତ ରହେ। ରୂପ, ଧନ, ପ୍ରତିଷ୍ଠା, ସମ୍ପର୍କ, ସଫଳତା... ପଛରେ ଦୌଡ଼ି ଦୌଡ଼ି ନିଜକୁ ଭୁଲିଯାଏ। ତେବେ ସମୟ ଯେତେବେଳେ ତାକୁ ବୃଦ୍ଧାବସ୍ଥା ଆଡ଼କୁ ନେଇଯାଏ, ସେତେବେଳେ ପ୍ରକୃତି ତାକୁ ଧୀରେ ଧୀରେ ନିଜ ଭିତରକୁ ଫେରାଇ ଆଣିବା ଲାଗି ଚେଷ୍ଟା କରେ। 
ଜିଜ୍ଞାସୁଜଣଙ୍କ ଭାବପୂର୍ଣ୍ଣ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁବାରୁ ଭଗବାନ କହିବା ଆରମ୍ଭ କଲେ- ବୃଦ୍ଧlବସ୍ଥାରେ ଦୃଷ୍ଟିଶକ୍ତି କମିଯାଏ। ଏହାର ତତ୍ତ୍ୱଟି ହେଲା- ହେ ମଣିଷ! ତୁ ଜୀବନ ସାରା ଦୂର ଜିନିଷକୁ ଢେର୍‌ ଦେଖିଲୁଣି, ଏବେ ତୋ ପାଖରେ, ତୋ ଭିତରେ ଥିବା ପରମାତ୍ମାଙ୍କୁ ଟିକେ ଦେଖେ। ବୟସାଧିକ୍ୟ ହୋଇଗଲେ ମୁହଁର ଚର୍ମ ଲୋଚାକୋଚା ହୋଇଯାଏ, ମୁହଁରେ ଭାଙ୍ଗ ପଡ଼ିଯାଏ। ଏ ସମୟରେ ଜୀବନ ତାକୁ ଶିଖାଏ- ପ୍ରକୃତ ସୌନ୍ଦର୍ଯ୍ୟ  ମୁହଁରେ ନୁହେଁ, ଏହା ମଣିଷର ଚରିତ୍ର, ଅନୁଭବ, କରୁଣା ଓ ହୃଦୟର ପବିତ୍ରତାରେ ରହିଛି। ବୁଢ଼ା ବୟସରେ ପାଦର ଶକ୍ତି କମିଯାଏ, ଯେପରି ଜୀବନ କହେ- ‘ଆଉ ଦୌଡ଼ନାରେ ବାପ, ଜୀବନସାରା ସଂସାରରେ ବହୁତ ଦୌଡ଼ିଲୁଣି, ଏବେ ଟିକେ ଥମ୍‌ ହୋଇ ବସ। ଜୀବନକୁ ଟିକେ ବୁଝ। ବୃଦ୍ଧାବସ୍ଥାରେ ଶ୍ରବଣ ଶକ୍ତି କମିଯାଏ। ଅନ୍ୟମାନଙ୍କର କଥା ଅପେକ୍ଷା ନିଜ ଅନ୍ତରାତ୍ମାର ସ୍ୱରକୁ ଅଧିକ ଗଭୀରତାରେ ଶୁଣିବା ପାଇଁ ଏହାଦ୍ୱାରା ପ୍ରଭୁ ମଣିଷକୁ ସୂଚାଇ ଦିଅନ୍ତି। ବୃଦ୍ଧାବସ୍ଥାରେ ମଣିଷ ଅଧିକ ବିଶ୍ରାମ ଲୋଡ଼ିଥାଏ। ସଂସାରର ଦୌଡ଼ରୁ ମଣିଷ ଧୀରେ ଧୀରେ ଅବସର ନେଇ ନିଜ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବିଷୟରେ ଚିନ୍ତା କରିବାକୁ ସୁଯୋଗ ପାଇଥାଏ।

Rescue: ୨ ମା’ଛେଉଣ୍ଡ ଛୁଆଙ୍କୁ ବିକିଦେଲେ ୨ ବାପା; ସାହୁକାର ଘରୁ ଖସିଆସି ୨୦ କିମି ଚାଲିଲେ

ତା’ପରେ ଭଗବାନ କହିଲେ- ତୁମକୁ ଯଦି ସବୁଦିନ ଯୁବା ରଖିଥାନ୍ତି, ତେବେ ତୁମେ କେବେ ବୁଝିପାରିଥାନ୍ତ କି, ଏ ସଂସାର ଚିରସ୍ଥାୟୀ ନୁହେଁ ବୋଲି? ବୃଦ୍ଧାବସ୍ଥା  ଆସକ୍ତିରୁ ଅନାସକ୍ତି ଆଡ଼କୁ, ଦୌଡ଼ରୁ ବିଶ୍ରାମ ଆଡ଼କୁ, ବାହ୍ୟ ଜଗତରୁ ଅନ୍ତର୍ଜଗତ ଆଡ଼କୁ ଏବଂ ଜୀବନରୁ ପରମ ସତ୍ୟ ଆଡ଼କୁ ଯିବାର ଏକ ନିରବ ଯାତ୍ରା।
ଯୁବାବସ୍ଥା ଆମକୁ ଜୀବନ ଗଢ଼ିବା ଶିଖାଏ, ବୃଦ୍ଧାବସ୍ଥା ଆମକୁ ଜୀବନକୁ ବୁଝିବା ଶିଖାଏ। ଯୁବାବସ୍ଥାରେ ଆମେ ପଚାରୁ- ‘ମୁଁ କ’ଣ ପାଇବି?’ କିନ୍ତୁ ପରିପକ୍ୱ ବୟସରେ ମନ ପଚାରେ- ‘ମୁଁ କ’ଣ ନେଇକି ଯିବି?’ ଆଧ୍ୟାତ୍ମିକ ଜୀବନରେ ପ୍ରଶ୍ନଟି ଆହୁରି ଗଭୀର ହୋଇଯାଏ- ‘ମୁଁ ପ୍ରକୃତରେ କିଏ?’ ଏହି ପ୍ରଶ୍ନର ଉତ୍ତର ଖୋଜିବାର ପ୍ରକୃଷ୍ଟ ସମୟ ହିଁ ବୋଧହୁଏ ବୃଦ୍ଧାବସ୍ଥା। ବୃଦ୍ଧାବସ୍ଥାକୁ ଅଭିଶାପ ବୋଲି ଭାବନ୍ତୁ ନାହିଁ। ଏହା ଭଗବାନଙ୍କର ଏକ ନିରବ ଆଶୀର୍ବାଦ, ଯାହା ଆମକୁ ଧୀରେ ଧୀରେ ଶିଖାଏ ଥମିବାକୁ, କୃତଜ୍ଞ ହେବାକୁ, କ୍ଷମା କରିବାକୁ, ଆସକ୍ତି ଛାଡ଼ିବାକୁ, ଅନ୍ତରକୁ ଦେଖିବାକୁ ଏବଂ ଶେଷଯାତ୍ରା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ। ହୁଏତ ଭଗବାନ ଆମକୁ ବୃଦ୍ଧ କରାନ୍ତି, ଯେପରି ଆମେ ଧୀରେ ଧୀରେ ଚିରସ୍ଥାୟୀ ସତ୍ୟ ଆଡ଼କୁ ଫେରିବା ପାଇଁ ମନକୁ ପ୍ରସ୍ତୁତ କରି ରଖିପାରିବା। 
ଜନ୍ମ ଆମକୁ ସଂସାରକୁ ଆଣେ, ଯୌବନ ଆମକୁ ସଂସାରରେ ବାନ୍ଧେ, ବୃଦ୍ଧାବସ୍ଥା ଆମକୁ ସେହି ବନ୍ଧନକୁ ଢିଲା କରିବା ଶିଖାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।