GST: ଅକ୍ଟୋବର ଜିଏସ୍ଟି ସଂଗ୍ରହ; ଦେଶରେ ୨.୩୧ ଲକ୍ଷ କୋଟି, ଓଡ଼ିଶାରେ ୪୭୪୪ କୋଟି
ନୂଆଦିଲ୍ଲୀ: ଦେଶରେ ସାମଗ୍ରୀ ଓ ସେବା କର (ଜିଏସ୍ଟି) ଆଦାୟରେ ବଡ଼ ଅଭିବୃଦ୍ଧି ଘଟିଛି। ଅକ୍ଟୋବରରେ ମୋଟ ଜିଏସ୍ଟି ସଂଗ୍ରହ ୨୨.୯ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ ୩୧ ହଜାର ୨୯୦ କୋଟି ଟଙ୍କାରେ ପହଞ୍ଚିଛି।
ଗତବର୍ଷ ଅକ୍ଟୋବରରେ ଏହି ରାଶି ୧ ଲକ୍ଷ ୮୮ ହଜାର ୧୨୫ କୋଟି ଟଙ୍କା ରହିଥିଲା। ଚାରି ବର୍ଷରୁ ଅଧିକ ସମୟ ମଧ୍ୟରେ ଏହା ସର୍ବାଧିକ ବାର୍ଷିକ ଅଭିବୃଦ୍ଧି। ଅକ୍ଟୋବରରେ ଆମଦାନୀ ଉପରେ ଜିଏସ୍ଟି ଆଦାୟ ୪୨.୨ ପ୍ରତିଶତ ବୃଦ୍ଧି ପାଇ ୭୨,୨୪୬ କୋଟି ଟଙ୍କା ହୋଇଛି। ଗତବର୍ଷ ଅକ୍ଟୋବରରେ ଏହା ୫୦,୭୯୬ କୋଟି ଟଙ୍କା ଥିଲା। ସେହିପରି ଘରୋଇ କାରବାରରୁ ଜିଏସ୍ଟି ଆଦାୟ ୧୫.୮ ପ୍ରତିଶତ ବୃଦ୍ଧି ପାଇ ୧ ଲକ୍ଷ ୫୯ ହଜାର ୪୪ କୋଟି ଟଙ୍କା ହୋଇଛି।
GST Team Raids ଶ୍ରୁତି ତମାଖୁରେ ଜିଏସ୍ଟି ଟିମ୍ର ଚଢ଼ାଉ
ଅନ୍ୟପକ୍ଷରେ ଫେରସ୍ତ ଅର୍ଥକୁ ବାଦ୍ ଦେବା ପରେ ଅକ୍ଟୋବରରେ ନିଟ୍ ଜିଏସ୍ଟି ଆଦାୟ ରାଶି ୨୫.୬ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ ୩ ହଜାର ୩୫୬ କୋଟି ଟଙ୍କାରେ ପହଞ୍ଚିଛି। ଅକ୍ଟୋବରରେ ମୋଟ ଟିକସ ଫେରସ୍ତ ପରିମାଣ ୨୭,୯୩୪ କୋଟି ଟଙ୍କା ରହିଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ମୋଟ ଜିଏସ୍ଟି ସଂଗ୍ରହ ୧୩.୨ ପ୍ରତିଶତ ବୃଦ୍ଧି ପାଇ ୧୪.୭୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଗତ ଆର୍ଥିକ ବର୍ଷର ଏହି ସମୟରେ ଏହା ୧୩.୦୫ ଲକ୍ଷ କୋଟି ଟଙ୍କା ଥିଲା।
ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ସର୍ବାଧିକ ୩୫,୧୫୦ କୋଟି ଟଙ୍କାର ଘରୋଇ ଜିଏସ୍ଟି ଆଦାୟ କରିଛି। ଓଡ଼ିଶାର ଜିଏସ୍ଟି ଆଦାୟ ୧୦ ପ୍ରତିଶତ ବଢ଼ି ୪୭୪୪ କୋଟି ଟଙ୍କାରେ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।