Gun Unboxing Turns Deadly: ବନ୍ଧୁକ ଅନବକ୍ସିଂ ପାର୍ଟି ହେଲା କାଳ, ଗୁଳି ବାଜି ଚାଲିଗଲା ଜୀବନ

Nov 05, 2026 - 20:56
Gun Unboxing Turns Deadly: ବନ୍ଧୁକ ଅନବକ୍ସିଂ ପାର୍ଟି ହେଲା କାଳ, ଗୁଳି ବାଜି ଚାଲିଗଲା ଜୀବନ

ନାଁ- ତପନ୍ ନାଏକ ଓରଫ ତପୁ।

ଘର- ଭୁବନେଶ୍ବର ଖଣ୍ଡଗିରିର ସୀତାରାମ ବସ୍ତି।

ବୁଧବାର ରାତି ପାଖାପାଖି ସାଢେ ୯ଟା ବେଳେ ତପନ ସାଙ୍ଗମାନଙ୍କ ସହ ପାର୍ଟି କରିବା ପାଇଁ ପହଞ୍ଚିଥିଲେ ଶିଶୁପାଳଗଡ଼ରେ।

ଜାଣିନଥିଲେ ସେହି ରାତି ତାଙ୍କ ପାଇଁ ହେବ ଶେଷ ରାତି।

ଭୋଜିଭାତ ସାଙ୍ଗକୁ ଜମିଥିଲା ମଦର ଆସର।

ରାତି ଅଧରେ ଏଭଳି ପାର୍ଟି ଆୟୋଜନ କରିବାର ଉଦ୍ଦେଶ୍ୟ ଥିଲା ବେଶ୍ ଆଶ୍ଚର୍ଯ୍ୟଜନକ।

ସମସ୍ତେ ମଦ ନିଶାରେ ଚୁର୍ ହୋଇଯିବା ପରେ ମୁଖ୍ୟ ଅଭିଯୁକ୍ତ ଉମେଶ କୁମାର ପଟ୍ଟନାୟକ, ସମସ୍ତଙ୍କୁ ସରପ୍ରାଇଜ୍ ଦେବା ସହ ଖୋଲିଥିଲେ ଏକ ପାର୍ସଲ୍।

ଯେଉଁଥିରେ ଥିଲା ଏକ ବନ୍ଧୁକ ।

ନୂଆ ବନ୍ଧୁକ କିଣିଥିବା ବେଳେ ଏହାକୁ ଓପନିଂ କରିବା ପାଇଁ ସାଙ୍ଗ ବିଷ୍ଣୁପ୍ରସାଦ ସାମନ୍ତରାୟ ଓରଫ ପିକୁନ୍ କୁ କହିଥିଲେ।

ଆଉ ଥଟ୍ଟାମଜାରେ ସେ ବନ୍ଧୁକ ଧରି ଆକ୍ସନ ଦେଖାଉଥିବା ବେଳେ ହଠାତ୍ ଫୁଟିଥିଲା ଗୁଳି।

ଆଉ ଗୁଳି ବାଜି ରକ୍ତାକ୍ତ ହୋଇଥିଲେ ତପୁ।

ତୁରନ୍ତ ଅଭିଯୁକ୍ତମାନେ ତାଙ୍କୁ ହସ୍ପିଟାଲ ନେଇଥିଲେ।

ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଏକ ଘରୋଇ ହସ୍ପିଟାଲ ନେବା ବେଳେ ତପୁଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ଏହାପରେ ମୃତଦେହକୁ ଛାଡି ପାର୍ ହୋଇଯାଇଥିଲେ ଉଭୟ ଅଭିଯୁକ୍ତ।

ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଉମେଶ କୁମାର ପଟ୍ଟନାୟକ ଓ ପିକୁନ ସମେତ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ ହୋଇଛି।

Advertisment ହତ୍ୟାକାଣ୍ଡ ପରେ ପୋଲିସ୍ ନଜରରୁ ବର୍ତ୍ତିବା ପାଇଁ ମିଛ ନାଟକ ରଚନା କରି ରାତି ତମାମ ଭୁଆଁ ବୁଲାଇଥିଲେ ଅଭିଯୁକ୍ତ।

ପୋଲିସ୍ କୁ କହିଥିଲେ, ତପୁ ସହ ବାଇକ୍ ଯୋଗେ ୩ ଜଣ ଘରକୁ ଫେରୁଥିବା ବେଳେ ମାଉସୀମା ଓଭରବ୍ରିଜ୍ ଉପରେ ଦୁର୍ବୃତ୍ତ ଆସି ଗୁଳି ମାଡ଼ କରିଥିଲେ।

ଯେଉଁ ଗୁଳିରେ ତପୁର ମୃତ୍ୟୁ ହୋଇଛି।

ଖବର ପାଇବା ପରେ ବିଳମ୍ୱିତ ରାତିରେ ଘଟଣାସ୍ଥଳରେ ଡିସିପିଙ୍କ ସମେତ ୫ ଥାନାର ଆଇଆଇସି ପହଞ୍ଚି ଆରମ୍ଭ କରିଥିଲେ ତଦନ୍ତ।

ଅଭିଯୁକ୍ତଙ୍କ ଚାଲ୍ ପୋଲିସ ଜାଣିବା ପରେ ଆରମ୍ଭ ହୋଇଥିଲା ଜେରା।

ସିସିଟିଭି ସର୍ଭେଲାନ୍ସ ଓ ହ୍ୟୁମାନ ଇଣ୍ଟେଲିଜେନ୍ସ ଆଧାରରେ ସମସ୍ତ ୮ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ସ୍ଥାନରୁ ଉଠାଇଥିଲା ପୋଲିସ।

ହତ୍ୟାକାଣ୍ଡ ପରେ ବନ୍ଧୁକକୁ ଏକ ନାଳରେ ଫୋପାଡି ଦେଇଥିଲେ ଅଭିଯୁକ୍ତ।

ଆଜି ସକାଳେ ଜଣେ ଅଭିଯୁକ୍ତକୁ ଧରି ପୋଲିସ ସେଠାରେ ପହଞ୍ଚିବା ସହ ଅଗ୍ନିଶମ ବାହିନୀର ସହାୟାତାରେ ବନ୍ଧୁକକୁ ଜବତ କରିଛି।

ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସରଜମିନ୍ ଯାଞ୍ଚ କରିଥିଲା।

ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ୍ ବେଳେ ଅନେକ ସୁରାଗ୍ ପାଇଥିଲା ପୋଲିସ୍।..

ଏଣେ ରୋଜଗାରିଆ ପୁଅର ଏଭଳି ଆକସ୍ମିକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ପରିବାର ଲୋକେ।

ଥାନା ପରିସରରେ ବାପା ମା' କାନ୍ଦି ଗଡୁଥିବା ବେଳେ ଅଭିଯୁକ୍ତମାନଙ୍କୁ ମାଡ଼ ମାରିବାକୁ ମଧ୍ୟ ପଛାଇନଥିଲେ।

ଭୁଲବଶତଃ ନୁହେଁ, ଜାଣିଶୁଣି ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ ଆଣିଛନ୍ତି।

ଏହି ହତ୍ୟାକାଣ୍ଡ ପରେ ପୁଣିଥରେ ସ୍ପଷ୍ଟ ହୋଇଯାଇଛି ରାଜଧାନୀରେ ଚୋରା ବନ୍ଧୁକ ବେପାରୀ ସକ୍ରିୟ ଅଛନ୍ତି।

ଜବତ ବନ୍ଧୁକକୁ ନେଇ ଏବେ ଖୋଳତାଡ଼ କରୁଛି ପୋଲିସ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।