Harmanpreet Ends Decade-Long T20I Captaincy: ଅଧିନାୟକ ପଦ ଛାଡ଼ିଲେ ହରମନପ୍ରୀତ କୌର, କହିଲେ- ‘କ୍ୟାପଟେନ୍ସି ଶେଷ, ଯାତ୍ରା ଜାରି’
ଭାରତୀୟ ମହିଳା କ୍ରିକେଟ୍ ଦଳର ଦୀର୍ଘଦିନର ଅଧିନାୟକ ହରମନପ୍ରୀତ କୌର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଭାରତୀୟ ମହିଳା ଦଳର ତିନିଟି ଯାକ ଫର୍ମାଟ୍ର ଅଧିନାୟକ ପଦରୁ ଓହରି ଯାଇଛନ୍ତି। ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟ ମାଧ୍ୟମରେ ଏହି ଘୋଷଣା କରିଛନ୍ତି ୩୭ ବର୍ଷୀୟା ହରମନପ୍ରୀତ।
ହରମନପ୍ରୀତ କହିଛନ୍ତି ଯେ, ଅଧିନାୟକ ଭାବେ ତାଙ୍କ ଦାୟିତ୍ୱ ସେ ପୂରଣ କରିଛନ୍ତି। ଏବେ ଅଧିନାୟକ ପଦର ଚାପ ବିନା କେବଳ ଖେଳ ପ୍ରତି ଭଲପାଇବା ନେଇ ପଡ଼ିଆକୁ ଫେରିବାକୁ ସେ ପ୍ରସ୍ତୁତ। ତେବେ ଅଧିନାୟକ ପଦ ଛାଡ଼ିବା ତାଙ୍କ ପାଇଁ ଆଦୌ ସହଜ ନଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।
‘ଏହା ସହଜ ନିଷ୍ପତ୍ତି ନୁହେଁ’
ଏକ ବିବୃତିରେ ହରମନପ୍ରୀତ କହିଛନ୍ତି, ଆଜି ମୁଁ ସମସ୍ତ ଫର୍ମାଟ୍ରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ପଦରୁ ଓହରୁଛି। ଏହା ସହଜ ନିଷ୍ପତ୍ତି ନୁହେଁ। ଏଥିରେ ବର୍ଷ ବର୍ଷର ସ୍ମୃତି, ଭାବନା, ତ୍ୟାଗ ଏବଂ ଏଭଳି ଅନେକ ମୁହୂର୍ତ୍ତ ରହିଛି, ଯାହା ସାରା ଜୀବନ ମୋ ସହ ରହିବ।
ଭାରତୀୟ ମହିଳା କ୍ରିକେଟ୍ ପାଇଁ ନିଜ ସମୟ, ପରିଶ୍ରମ ଓ ଅନେକ ବ୍ୟକ୍ତିଗତ ଆକାଂକ୍ଷାକୁ ପଛକୁ ରଖିଥିବା ସେ କହିଛନ୍ତି।
୧୦ ବର୍ଷ ଧରି T20 ଦଳର ନେତୃତ୍ୱ
ହରମନପ୍ରୀତ ୨୦୧୬ରେ ଭାରତୀୟ ମହିଳା T20 ଦଳର ଅଧିନାୟକ ଦାୟିତ୍ୱ ନେଇଥିଲେ। ପ୍ରାୟ ଏକ ଦଶନ୍ଧି ଧରି ସେ ଏହି ଦାୟିତ୍ୱରେ ରହିଥିଲେ। ୨୦୨୨ରେ ସେ ଭାରତୀୟ ମହିଳା ODI ଦଳର ଅଧିନାୟକ ହୋଇଥିଲେ। ଏହାପରେ ୨୦୨୩ରେ ସେ ସମସ୍ତ ଫର୍ମାଟ୍ର ଅଧିନାୟକ ଦାୟିତ୍ୱ ନେଇଥିଲେ। ଅଧିନାୟକ ଭାବେ ହରମନପ୍ରୀତଙ୍କ ଯାତ୍ରାରେ ଭାରତୀୟ ମହିଳା କ୍ରିକେଟ୍ର ଅନେକ ସ୍ମରଣୀୟ ସଫଳତା ଯୋଡ଼ି ହୋଇଛି।
ବିଶ୍ୱକପ୍ ବିଜୟଠାରୁ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ
ହରମନପ୍ରୀତଙ୍କ ନେତୃତ୍ୱରେ ଭାରତ ଗତ ନଭେମ୍ବରରେ ପ୍ରଥମ ଥର ପାଇଁ ODI ବିଶ୍ୱକପ୍ ଜିତିଥିଲା। ଏହା ଭାରତୀୟ ମହିଳା କ୍ରିକେଟ୍ ଇତିହାସର ଏକ ବଡ଼ ଉପଲବ୍ଧି ଥିଲା। ଏହା ସହ ନିକଟରେ ଭାରତୀୟ ମହିଳା ଦଳ T20 ଫର୍ମାଟ୍ରେ କ୍ରମାଗତ ଦ୍ୱିତୀୟ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଛି।
ଏଭଳି ସଫଳତା ପରେ ଅଧିନାୟକ ପଦ ଛାଡ଼ିବା ନିଷ୍ପତ୍ତି ନେଇଛନ୍ତି ହରମନପ୍ରୀତ। ତେବେ ଏହି ନିଷ୍ପତ୍ତି ସହ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ବିରାମ ଲାଗିବ ନାହିଁ।
ହରମନପ୍ରୀତ ସ୍ପଷ୍ଟ କରିଛନ୍ତି ଯେ, ସେ ଖେଳାଳି ଭାବେ ଦଳ ସହ ରହିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ଏବେ ମୁଁ ପୁଣି ଥରେ ଖେଳ ପ୍ରତି ଥିବା ଭଲପାଇବା ପାଇଁ ଖେଳିବାକୁ ପ୍ରସ୍ତୁତ। କ୍ୟାପଟେନ୍ସି ଶେଷ। କିନ୍ତୁ ଯାତ୍ରା ଜାରି ରହିବ।
.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।