Heavy Rain Across Southern Odisha: ବଙ୍ଗୋପସାଗରରେ ଅବପାତ, ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହେଲାଣି ପ୍ରବଳ ବର୍ଷା

Sep 22, 2026 - 20:13
Heavy Rain Across Southern Odisha: ବଙ୍ଗୋପସାଗରରେ ଅବପାତ, ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହେଲାଣି ପ୍ରବଳ ବର୍ଷା

ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଏବେ ଅବପାତରୁ ଗଭୀର ଅବପାତ ହେବାକୁ ବାକି। ହେଲେ ଏପଟେ କିନ୍ତୁ ୨୩, ୨୪ର ବଡ଼ ବିତ୍ପାତ ଆଗରୁୁ କୋପ ଦେଖାଇଲାଣି ବର୍ଷା। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଆରମ୍ଭ ହୋଇସାରିଛି ପ୍ରବଳ ବର୍ଷା। କିଛି ଜିଲ୍ଲାରେ ଗତକାଲି ରାତିରୁ ନିର୍ଦ୍ଧୁମ ଛେଚିବା ପରେ ଅସ୍ତବ୍ୟସ୍ତ ହେବାକୁ ଯାଉଛି ଜନଜୀବନ। 

ଅବିଶ୍ରାନ୍ତ ବର୍ଷା, ସୁ ସୁ ଦଲକା ପବନ, ଆଉ ଅଶାନ୍ତ ସମୁଦ୍ର। ବଙ୍ଗୋପସାଗରେ ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଏପରି ସ୍ଥିତି। ଗତରାତିରୁ ଲଗାଣ ବର୍ଷା ଛେଚୁଛି ଯେ ଛେଚୁଛି। ଯେମିତି ଛାଡ଼ିବାର ନାଁ ନେଉନି। ଗଜପତିର ମୋହନାରେ କାଲିଠୁ ପ୍ରବଳ ବର୍ଷା ପରେ ଶୁନଶାନ ଦୋକାନ ବଜାର। ମୂଷଳ ଧାରାର ବର୍ଷା ଲାଗିରହିଥିବାରୁ ରାସ୍ତାରେ ରାସ୍ତାରେ କାଁ ଭାଁ ଲୋକଙ୍କୁ ଦେଖିବାକୁ ମିଳୁଛି। ଏପଟେ ବର୍ଷା ଆଉ ପବନରେ କିଛି ସ୍ଥାନରେ ଗଛ ପଡ଼ିବା ପରେ ୩୨୬ ନମ୍ବର ଜାତୀୟ ରାଜପଥରେ ପ୍ରଭାବିତ ହୋଇଛି ଗାଡ଼ି ଚଳାଚଳ। ସେପଟେ ତପ୍ତପାଣି ଘାଟିର ପାଳୁଖୋଳା ନିକଟରେ ପାହାଡ଼ରୁ ସୁ ସୁ ଗର୍ଜନ କରି ବାଦଲ ଫଟା ବର୍ଷାର ପାଣି ମାଡ଼ି ଆସିବାରୁ ମୋହନା-ବ୍ରହ୍ମପୁର ୩୨୬ ଜାତୀୟ ରାଜପଥରେ ଆଗକୁ ଯିବାକୁ ଭୟ କରିଥିଲେ ଗାଡି ଚାଳକ।

ଏପଟେ ବଙ୍ଗୋପସାଗରରେ ଅବପାତ ଗଭୀର ଅବପାତର ରୂପ ନେବା ପୂର୍ବରୁ ଗଞ୍ଜାମ ଉପକୂଳରେ ଏହାର ପ୍ରଭାବ ପଡ଼ିଛି। ବର୍ଷା ଓ ପବନ ପ୍ରଭାବରେ ଦିଗପହଣ୍ଡି ଚୁଡିଆଲାଞ୍ଜି ନିକଟ ମୁଖ୍ୟ ରାସ୍ତା ଉପରେ ଉପୁଡ଼ି ଥିଲା ବିରାଟ ଗଛ। ଫଳରେ କିଛି ସମୟ ପାଇଁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା। ସେପଟେ ମଝି ସମୁଦ୍ରରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବାରୁ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଫସିଯାଇଥିଲେ ୨୭ରୁ ଊର୍ଦ୍ଧ୍ୱ ଆନ୍ଧ୍ର ମାଛଧରା ଟ୍ରଲର୍। ଖବର ପାଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲା।...ଏଣେ ଦକ୍ଷିଣ ଓଡ଼ିଶାରେ ତୁହାକୁ ତୁହା ବର୍ଷା ପରେ ଭୂସ୍ଖଳନ ଅନୁମାନ ଓ ଅଘଟଣ ଆଶଙ୍କାରେ କଳିଙ୍ଗା ଘାଟିକୁ ଆସନ୍ତା ୨୩ ଓ ୨୪ ତାରିଖ ୨ ଦିନ ପାଇଁ ବନ୍ଦ ରଖିଛି ଜିଲ୍ଲା ପ୍ରଶାସନ। ଦୁର୍ଗାପ୍ରସାଦ ଠାରେ ବ୍ୟାରିକେଟ୍ ପକାଇ ରାସ୍ତା ସିଲ୍ କରିବାକୁ ନିଷ୍ପତ୍ତି ନେଇଛି। ସେହିଭଳି ଆଗକୁ ବଡ଼ ବର୍ଷା ଆଶଙ୍କାରେ ଭଞ୍ଜନଗର ଜଳଭଣ୍ଡାରର ସ୍ଥିତି ଅସମ୍ଭାଳ ଆଶଙ୍କା କରି ଜଳଭଣ୍ଡାରର ଗେଟ୍ ଖୋଲି ଦିଆଯିବା ସହ ତଳମୁଣ୍ଡରେ ଥିବା ଗାଁକୁ ସତର୍କ କରି ଦିଆଯାଇଛି। 

ସେହିଭଳି ଲଗାଣ ବର୍ଷାର ପ୍ରଭାବ ଦକ୍ଷିଣରେ କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ବି ପଡ଼ିଛି। କୋରାପୁଟ ଜିଲ୍ଲାରେ କାଲିଠୁ ବର୍ଷା ଲାଗି ରହିଛି। ଆଗକୁ ଆହୁରି ବଡ଼ ବର୍ଷା ଆସୁଥିବାରୁ ଆଗୁଆ ଖୋଲି ଦିଆଯାଇଛି ତେଲେଙ୍ଗୀର ଜଳଭଣ୍ଡାରର ଗେଟ୍। ରାୟଗଡ଼ା ଜିଲ୍ଲାରେ ବି ରାତିରୁ ବନ୍ଦ ହୋଇନି ବର୍ଷା। ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ଥିବାରୁ ସମ୍ଭାବ୍ୟ ବର୍ଷା ଓ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ସଜାଗ ରହିଛି ପ୍ରଶାସନ। ଜିଲ୍ଲାରେ ଭୂ ସ୍ଖଳନପ୍ରବଣ ୧୧ଟି ହଟ୍ ସ୍ପଟ୍ ଚିହ୍ନଟ କରାଯାଇଛି। ସେପଟେ ମାଲକାନଗିରି ଜିଲାରେ ଆରମ୍ଭ ହୋଇଛି ବର୍ଷାର ପ୍ରକୋପ। ଏପଟେ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବା ସହ ଜରୁରୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାରେ ୩ଟି ଓଡ୍ରାଫ୍ ଟିମକୁ ସଜାଗ ରଖାଯାଇଛି।

ତେବେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ୨୩ ଓ ୨୪ ତାରିଖରେ ବର୍ଷାର ପ୍ରକୋପ ଅଧିକ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାରୁ ଏସବୁ ଜିଲ୍ଲାବାସୀ ଅଧିକ ସତର୍କ ରହିବାକୁ କୁହାଯାଇଛି।।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।