Heavy Rains Cuts India's Rainfall Deficit: ପ୍ରବଳ ବର୍ଷାରେ ବଦଳିଲା ମୌସୁମୀ ଚିତ୍ର, IMD ଦେଲା ବଡ଼ ଅପଡେଟ୍
ଦେଶରେ ମୌସୁମୀର ଜବରଦସ୍ତ କମବ୍ୟାକ୍। କିଛି ସପ୍ତାହର ଧିମେଇବା ପରେ ଏବେ ସାରା ଭାରତରେ ସକ୍ରିୟ ହୋଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ପ୍ରବଳ ବର୍ଷା ଯୋଗୁଁ ଦେଶରେ ଦେଖାଦେଇଥିବା ବର୍ଷାର ଅଭାବ ବହୁ ପରିମାଣରେ ହ୍ରାସ ପାଇଛି। ସପ୍ତାହେ ପୂର୍ବରୁ ଥିବା ୪୫ ପ୍ରତିଶତ ବର୍ଷାର ଅଭାବ ଏବେ କମି ସିଧା ୨୮ ପ୍ରତିଶତରେ ପହଞ୍ଚିଛି।
ଭାରତୀୟ ପାଣିପାଗ ବିଭାଗ (IMD) ର ତାଜା ତଥ୍ୟ ଅନୁସାରେ, ଜୁନ୍ ୪ ରୁ ଜୁଲାଇ ୫ ମଧ୍ୟରେ ଦେଶରେ ସ୍ୱାଭାବିକ ବୃଷ୍ଟିପାତ ୧୯୬.୫ ମିଲିମିଟର ହେବା କଥା, କିନ୍ତୁ ଏପର୍ଯ୍ୟନ୍ତ ୧୪୦.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚଳିତ ଶତାବ୍ଦୀର ସବୁଠାରୁ ଶୁଖିଲା ଜୁନ୍ ମାସ ପରେ ଏହି ସକ୍ରିୟତା ଚାଷୀକୂଳକୁ ବଡ଼ ଆଶ୍ୱସ୍ତି ଦେଇଛି। ପଶ୍ଚିମ ଉପକୂଳରେ ସୃଷ୍ଟି ହୋଇଥିବା ଅଫସୋର୍ ଟ୍ରଫ୍ ଏବଂ ମଧ୍ୟ ଭାରତରେ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ଓଡ଼ିଶା, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନାରେ ବ୍ୟାପକ ବର୍ଷା ଜାରି ରହିଛି। ଅରବ ସାଗର ଏବଂ ବଙ୍ଗୋପସାଗର ଉଭୟ ପାର୍ଶ୍ୱରୁ ପ୍ରଚୁର ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଏହି ବର୍ଷାକୁ ଅଧିକ ଶକ୍ତିଶାଳୀ କରୁଛି।
ତେବେ ବର୍ଷାର ଏହି ପରିମାଣ ସବୁ ଆଡ଼େ ସମାନ ନାହିଁ। କେତେକ ଉତ୍ତର ଏବଂ ପଶ୍ଚିମ ରାଜ୍ୟରେ ଏବେ ବି ବର୍ଷାର ଅଭାବ ରହିଛି। ଗୁଜରାଟରେ ୪୫ ପ୍ରତିଶତ, ଉତ୍ତରପ୍ରଦେଶରେ ୪୮, ବିହାରରେ ୫୫ ଏବଂ ଦିଲ୍ଲୀରେ ୫୦ ପ୍ରତିଶତ କମ୍ ବର୍ଷା ହୋଇଛି। ସେହିପରି ପାରମ୍ପରିକ ଭାବେ ଅଧିକ ବର୍ଷା ହେଉଥିବା ଉତ୍ତର-ପୂର୍ବ ଭାରତ, ବିଶେଷ କରି ମେଘାଳୟରେ ବୃଷ୍ଟିପାତ ସ୍ୱାଭାବିକ ଠାରୁ ୬୬ ପ୍ରତିଶତ କମ୍ ରହିଛି। ଅନ୍ୟପଟେ, ଓଡ଼ିଶା ସମେତ ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ସ୍ଥିତି ସ୍ୱାଭାବିକ ଶ୍ରେଣୀକୁ ଫେରିଛି। ଜାମ୍ମୁ-କାଶ୍ମୀର ଏବଂ ତାମିଲନାଡୁରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।