High Court Raps Civic Body: କିଛି ସ୍ଥାନ ସଫା ରହିବା ଅର୍ଥ ନୁହେଁ, ପୂରା ସହର ସଫା ଅଛି: ବିଏମସି ଉପରେ ବର୍ଷିଲେ ହାଇକୋର୍ଟ

Oct 08, 2026 - 13:19
High Court Raps Civic Body: କିଛି ସ୍ଥାନ ସଫା ରହିବା ଅର୍ଥ ନୁହେଁ, ପୂରା ସହର ସଫା ଅଛି: ବିଏମସି ଉପରେ ବର୍ଷିଲେ ହାଇକୋର୍ଟ

ମୁମ୍ବାଇ ସହରରେ ଆବର୍ଜନା ଓ ଅପରିଷ୍କାର ପରିବେଶକୁ ନେଇ ବୃହନ୍‌ମୁମ୍ବାଇ ମହାନଗର ନିଗମ (ବିଏମ୍‌ସି) ଉପରେ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି ବମ୍ବେ ହାଇକୋର୍ଟ। କେବଳ ସାଉଥ୍‌ ମୁମ୍ବାଇ, ୱର୍ଲି ଭଳି କିଛି ଅଞ୍ଚଳ ସଫା ରହିଲେ ପୂରା ମୁମ୍ବାଇ ସଫା ହୋଇଯାଏ ନାହିଁ ବୋଲି କୋର୍ଟ କହିଛନ୍ତି।

ବୁଧବାର ଜଷ୍ଟିସ୍‌ ଗିରିଶ କୁଲକର୍ଣ୍ଣି ଓ ଜଷ୍ଟିସ୍‌ ନୀଲା ଗୋଖଲେଙ୍କ ଖଣ୍ଡପୀଠ ମୁମ୍ବାଇରେ ଜାରି ରହିଥିବା ଆବର୍ଜନା ସମସ୍ୟାକୁ ନେଇ ବିଏମ୍‌ସିକୁ ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି, ସହରର ଅନେକ ସ୍ଥାନରେ ଏବେ ବି ରାସ୍ତାକଡ଼ ଓ ଖୋଲା ସ୍ଥାନରେ ଆବର୍ଜନା ପଡ଼ି ରହୁଛି। ଏଭଳି ସ୍ଥିତିରେ କେବଳ କିଛି ଅଞ୍ଚଳକୁ ସଫା ରଖିବା ଯଥେଷ୍ଟ ନୁହେଁ।

ଖଣ୍ଡପୀଠ କହିଛନ୍ତି, “ସବୁଠି ଅପରିଷ୍କାର। ସାଉଥ୍‌ ମୁମ୍ବାଇ ସମଗ୍ର ସହର ନୁହେଁ। ସାଉଥ୍‌ ମୁମ୍ବାଇ ଓ ୱର୍ଲି ଭଳି ଅଞ୍ଚଳ ସଫା ଅଛି ବୋଲି ପୂରା ମୁମ୍ବାଇ ସଫା ଅଛି ବୋଲି କୁହାଯାଇପାରିବ ନାହିଁ।”

ମୁମ୍ବାଇର ସମସ୍ତ ୨୪ଟି ୱାର୍ଡ ପାଇଁ ବିଏମ୍‌ସି ପକ୍ଷରୁ ସ୍ୱଚ୍ଛତା ଯୋଜନା କରାଯାଇଥିଲେ ହେଁ ରାସ୍ତାରେ ଆବର୍ଜନା ପକାଇବା ବନ୍ଦ ହୋଇନଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷକରି ପଶ୍ଚିମ ଉପନଗର ଅଞ୍ଚଳର ଯୋଗେଶ୍ୱରୀ ଓ ମାଲାଡ୍‌ରେ ଆବର୍ଜନା ସ୍ଥିତି ସବୁଠାରୁ ଖରାପ ବୋଲି କୋର୍ଟ କହିଛନ୍ତି।

ଏହାସହିତ ପ୍ରତ୍ୟେକ ୱାର୍ଡରେ ଅଧିକାରୀମାନେ କ୍ଷେତ୍ରସ୍ତରୀୟ ପ୍ରକୃତ ସ୍ଥିତି ଯାଞ୍ଚ କରି କଣ ପଦକ୍ଷେପ ନେଇଛନ୍ତି, ସେନେଇ ବିସ୍ତୃତ ଆଫିଡେଭିଟ୍‌ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ଚାଲିଥିବା ‘ସ୍ୱଚ୍ଛତା ଅଭିଯାନ’ରେ କେଉଁ ପଦକ୍ଷେପ ନିଆଯାଇଥିଲା, ତାହାର ତଥ୍ୟ ମଧ୍ୟ ଦେବାକୁ କୁହାଯାଇଛି।

କାଞ୍ଜୁରମାର୍ଗ ଲ୍ୟାଣ୍ଡଫିଲ୍‌ରେ ମ୍ୟୁନିସିପାଲ୍‌ ଆବର୍ଜନା ପକାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ଏକାଧିକ ଆବେଦନର ଶୁଣାଣି ସମୟରେ କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି। ବର୍ଷ ବର୍ଷ ଧରି କୋର୍ଟ ବିଭିନ୍ନ ନିର୍ଦ୍ଦେଶ ଦେଇଆସୁଥିଲେ ମଧ୍ୟ ସହରର ସ୍ୱଚ୍ଛତା ସ୍ଥିତିରେ ବିଶେଷ ସୁଧାର ଦେଖିବାକୁ ମିଳୁନଥିବା କହିଛନ୍ତି ଖଣ୍ଡପୀଠ।

କୋର୍ଟ କହିଛନ୍ତି, “ଆମେ କାହା ବିରୋଧରେ ନୁହେଁ। କିନ୍ତୁ ମୌଳିକ ସ୍ୱଚ୍ଛତା ଓ ଶୃଙ୍ଖଳା ରହିବା ଆବଶ୍ୟକ। ୱାର୍ଡସ୍ତରରେ ସ୍ୱଚ୍ଛତା ବଜାୟ ରହିବା ଦରକାର। ନାଗରିକଙ୍କ ଜୀବନ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଆମର ଚିନ୍ତାର ବିଷୟ।”

ଏହା ପୂର୍ବରୁ ସେପ୍ଟେମ୍ବର ୧୦ରେ ମଧ୍ୟ କୋର୍ଟ ବିଏମ୍‌ସିର ୱାର୍ଡ ଅଧିକାରୀମାନଙ୍କୁ ଚେତାବନୀ ଦେଇଥିଲେ। ସହରରେ ଆବର୍ଜନା ଓ ଖୋଲା ସ୍ଥାନରେ ଅଳିଆ ପକାଇବା ସମସ୍ୟାର ସମାଧାନ ନହେଲେ ଅବମାନନା କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୋର୍ଟ ସତର୍କ କରାଇଥିଲେ।

ଆଇନ ଥିବା ସତ୍ତ୍ୱେ ତାହାର କଡ଼ା କାର୍ଯ୍ୟକାରୀତା ହେଉନଥିବା ନେଇ ମଧ୍ୟ କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଖୋଲା ସ୍ଥାନ ଦେଖିଲେ ସେଠାରେ ଆବର୍ଜନା ପକାଇବା ଏକ ପ୍ରକାର ମାନସିକତାରେ ପରିଣତ ହୋଇଛି ବୋଲି ଖଣ୍ଡପୀଠ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୨ରେ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।