Hockey: ପୁରସ୍କାର ପାଇଲେ ପୁରୁଷ, ମହିଳା ହକି ଟିମ୍
/sambad/media/media_files/2026/10/16/whatsapp-image-2026-10-16-21-53-49.jpeg)
ଆମ ଯୁବବର୍ଗ ପ୍ରକୃତ ଆଇକନ୍
ଏହି ଅବସରରେ ସ୍ୱର୍ଣ୍ଣ ପଦକ ବିଜେତା ପୁରୁଷ ଓ ମହିଳା ଖେଳାଳିମାନଙ୍କୁ ଆମ ଯୁବବର୍ଗର ପ୍ରକୃତ ଆଇକନ୍ (ICON) ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ଣ୍ଣନା କରିଛନ୍ତି। ଏହି ସମ୍ବର୍ଦ୍ଧନା ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ବିଜେତା ଦଳର ଖେଳାଳି, କୋଚ୍ ଏବଂ ସହଯୋଗୀ କର୍ମଚାରୀମାନଙ୍କୁ ପ୍ରଶଂସା କରିବା ସହ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଛନ୍ତି।
/sambad/media/media_files/2026/10/16/whatsapp-image-2026-10-16-21-55-27.jpeg)
ପୁରୁଷ ଓ ମହିଳା ହକି ଦଳ ସ୍ୱର୍ଣ୍ଣ ପଦକ
ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ଓ ମହିଳା ଉଭୟ ହକି ଦଳ ସ୍ୱର୍ଣ୍ଣ ପଦକ ଅର୍ଜନ କରିବା ସହ ଆଗାମୀ ୨୦୨୮ ଲସ୍ ଏଞ୍ଜେଲ୍ସ ଅଲମ୍ପିକ୍ସ ପାଇଁ ସ୍ଥାନ ପକ୍କା କରିଛନ୍ତି। ଏହି ସଫଳତା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରତ୍ୟେକ ଖେଳାଳୀଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍ଙ୍କୁ ୫ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଇଛି। ସମୁଦାୟ ଭାବେ ଭାରତୀୟ ପୁରୁଷ ହକି ଟିମ୍ ଓ ସପୋର୍ଟ ଷ୍ଟାଫ୍ଙ୍କ ପାଇଁ ୨ କୋଟି ୭୫ ଲକ୍ଷ ଟଙ୍କା ଏବଂ ମହିଳା ହକି ଟିମ୍ ପାଇଁ ୨ କୋଟି ୮୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଉଭୟ ପୁରୁଷ ଓ ମହିଳା ଦଳଙ୍କୁ ଓଡ଼ିଶା ପକ୍ଷରୁ ୫.୬୧ କୋଟି ଟଙ୍କା ପୁରସ୍କାର ଦିଆଯାଇଛି।
/sambad/media/media_files/2026/10/16/whatsapp-image-2026-10-16-21-56-05.jpeg)
ଦେଶ ପାଇଁ ଗୌରବ
ଏହା ସହିତ ଭାରତୀୟ ଦଳର ଓଡ଼ିଆ ଖେଳାଳୀ ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଏବଂ ସୁନେଲିତା ଟପ୍ପୋଙ୍କୁ ସେମାନଙ୍କର ଅସାଧାରଣ ଯୋଗଦାନ ପାଇଁ ସ୍ୱତନ୍ତ୍ର ଭାବେ ୨୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ସମସ୍ତ ଖେଳାଳି ଆମ ଯୁବବର୍ଗର ପ୍ରକୃତ ଆଇକନ୍। ସେମାନେ ସମଗ୍ର ଯୁବ ସମାଜର ଆଦର୍ଶ ତଥା ଭାରତର ଗର୍ବ ଓ ଗୌରବ। ୪୪ ବର୍ଷର ଦୀର୍ଘ ଅନ୍ତରାଳ ପରେ ମହିଳା ଟିମ୍ର ଏହି ସ୍ୱର୍ଣ୍ଣ ବିଜୟ ଦେଶର ପ୍ରତ୍ୟେକ ମହିଳାଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରା ଏବଂ ସୁନେଲିତା ଟପ୍ପୋ ନିଜର ଅଦମ୍ୟ ପ୍ରତିଭା ଓ ପରିଶ୍ରମ ବଳରେ ସମଗ୍ର ଦେଶ ପାଇଁ ଗୌରବ ଆଣିଦେଇଛନ୍ତି।
/sambad/media/media_files/2026/10/16/whatsapp-image-2026-2026-10-16-21-56-42.jpeg)
ସଚ୍ଚି ରାଉତରାୟଙ୍କ କବିତା
ମୁଖ୍ୟମନ୍ତ୍ରୀ ମହାନ କବି ସଚ୍ଚି ରାଉତରାୟଙ୍କ କବିତାକୁ ଉଦ୍ଧାର କରି କହିଥିଲେ ଯେ, ପ୍ରତିଭାବାନ୍ ବ୍ୟକ୍ତିମାନେ ଯେଉଁ ମାଟିରେ ଜନ୍ମ ନିଅନ୍ତି, ସେ ମାଟି ନିଶ୍ଚିତ ଭାବରେ ବିଶ୍ୱସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥାଏ। ଓଡ଼ିଶା ସରକାର ଜାତୀୟ ହକି ଦଳର ଅଫିସିଆଲ୍ ସ୍ପନ୍ସର୍ ଭାବେ ନିଜର ପ୍ରତିବଦ୍ଧତାକୁ ଆଗକୁ ମଧ୍ୟ ଜାରି ରଖିବେ। ୨୦୩୬ ଅଲମ୍ପିକ୍ସ ଗେମ୍ସକୁ ଭାରତରେ କରିବା ପାଇଁ ପ୍ରସ୍ତାବ ରହିଛି। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସରରେ, ଓଡ଼ିଶାରେ ନିଶ୍ଚିତ ଭାବରେ ହକି ଇଭେଣ୍ଟ ଆୟୋଜିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ପୋଷଣ କରିଛନ୍ତି।
/sambad/media/media_files/2026/10/16/whatsapp-image-2026-10-16-21-57-54.jpeg)
ନେତୃତ୍ୱକୁ ବହୁତ ପ୍ରଶଂସା
ସଲିମା ଟେଟେ ଏବଂ ହରମନପ୍ରୀତ ସିଂଙ୍କ ଅସାଧାରଣ ନେତୃତ୍ୱକୁ ସେ ବହୁତ ପ୍ରଶଂସା କରିଛନ୍ତି। ସଲିମା ଟେଟେ ସ୍ମାର୍ଟ ଏବଂ ଆଧୁନିକ ସ୍ପୋର୍ଟ୍ସ କ୍ୟାପ୍ଟେନ୍ସିର ଏକ ଶ୍ରେଷ୍ଠ ଉଦାହରଣ ସୃଷ୍ଟି କରି ନିଜର ଦଳକୁ ସଶକ୍ତ କରିଛନ୍ତି। ସେହିପରି କ୍ୟାପ୍ଟେନ୍ ହରମନପ୍ରୀତ ସିଂ ନିଜର ଦୃଢ଼ ସଂକଳ୍ପ ଦ୍ୱାରା ଦଳକୁ କ୍ରମାଗତ ଦ୍ୱିତୀୟ ଥର ଏସୀଆନ୍ ଗେମ୍ସ ଗୋଲ୍ଡ ମେଡାଲ ଦିଗକୁ ନେଇଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
/sambad/media/media_files/2026/10/16/whatsapp-image-2026-10-16-21-58-45.jpeg)
‘ଖେଲୋ ଇଣ୍ଡିଆ’ ମିସନ
ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ନିଜେ ଏସୀୟ କ୍ରୀଡ଼ା ପଦକ ବିଜେତାମାନଙ୍କୁ ନିଜ ବାସଭବନକୁ ନିମନ୍ତ୍ରଣ କରି ସେମାନଙ୍କ ହୋସଲା ବଢ଼ାଇଛନ୍ତି। ‘ଖେଲୋ ଇଣ୍ଡିଆ’ ମିସନ ଦେଶର ପ୍ରତ୍ୟେକ କୋଣରୁ ଯୁବ ପ୍ରତିଭାମାନଙ୍କୁ ସମ୍ମୁଖକୁ ଆଣିବାରେ ଏକ ବଡ଼ ମାଧ୍ୟମ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
/sambad/media/media_files/2026/10/16/whatsapp-image-2026-10-16-21-59-21.jpeg)
ବ୍ଲକ୍ ସ୍ତରରେ ୪,୦୦୦ କୋଟିରୁ ଅଧିକ ବିନିଯୋଗ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସରକାର କେବଳ ଭୁବନେଶ୍ୱରରେ କ୍ରୀଡ଼ା ଭିତ୍ତିଭୂମିକୁ ସୀମିତ ନରଖି ବ୍ଲକ୍ ସ୍ତରରେ ୪,୦୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ଷ୍ଟାଡିଅମ ନିର୍ମାଣ କରୁଛନ୍ତି। ଗୋଠପାଟଣାରେ ନିର୍ମିତ ହେବାକୁ ଥିବା ୧,୦୦୦ କୋଟି ଟଙ୍କାର ଗ୍ଲୋବାଲ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଏବଂ କଳିଙ୍ଗ ଷ୍ଟାଡିଅମରେ ଅନୁଷ୍ଠିତ ହେବାକୁ ଥିବା ୨୦୨୮ ୱାର୍ଲ୍ଡ ଇନ୍ଡୋର୍ ଆଥ୍ଲେଟିକ୍ସ ଚମ୍ପିଆନ୍ସିପ୍ ଓଡ଼ିଶାକୁ ବିଶ୍ୱର ପ୍ରମୁଖ ସ୍ପୋର୍ଟିଂ ହବ୍ରେ ପରିଣତ କରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।