Horticulture Department: ବୌଦ୍ଧ ଜିଲ୍ଲା ଉଦ୍ୟାନ ବିଭାଗ ବିରୋଧରେ ଦୁର୍ନୀତି ଅଭିଯୋଗ
ସାହାଜପାଳ: ଚାଷୀଙ୍କ ଆର୍ଥିକ ଉନ୍ନତି ଓ ମସଲା ଜାତୀୟ ଫସଲ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଉଦ୍ୟାନ ବିଭାଗ ମାଧ୍ୟମରେ ବିଭିନ୍ନ ଯୋଜନା ଚାଲୁ ରହିଛି।
ହେଲେ ବୌଦ୍ଧ ଜିଲ୍ଲାରେ ଅଦା ଓ ହଳଦୀ ଚାଷ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାରେ ଅନିୟମିତତା ହୋଇଥିବା ନେଇ ଚାଷୀମାନେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ଏପରିକି ଯୋଗ୍ୟ ଚାଷୀଙ୍କୁ ଯୋଜନାରୁ ବଞ୍ଚିତ କରାଯାଇ ଅଯୋଗ୍ୟ ବ୍ୟକ୍ତିଙ୍କୁ ବିହନ ଓ ଆର୍ଥିକ ପ୍ରୋତ୍ସାହନ ଦିଆଯାଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି।
Advertisment ଅଭିଯୋଗ ଅନୁଯାୟୀ, ୨୦୨୬-୨୭ ଆର୍ଥିକ ବର୍ଷରେ ବୌଦ୍ଧ ବ୍ଲକରେ ଅଦା ଓ ହଳଦୀ ଚାଷ ପାଇଁ ଉଦ୍ୟାନ ବିଭାଗକୁ ବିହନ ଯୋଗାଇ ଦିଆଯାଇଥିଲା।
ଯୋଜନାର ନିୟମ ଅନୁଯାୟୀ, ଚାଷୀ ଆବେଦନ କରିବା ସହ ଆବଶ୍ୟକ ଔପଚାରିକତା ପୂରଣ କରିବା ପରେ ବିଭାଗ ପକ୍ଷରୁ ବିହନ ଯୋଗାଇ ଦିଆଯାଏ।
ଚାଷ କରିବା ପରେ ନିୟମାନୁସାରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆର୍ଥିକ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ରହିଛି।
କିନ୍ତୁ ରଙ୍କନିଧି ଭୋକ୍ତା, ବିଜୟ ବିଶ୍ୱାଳ, ଅଶୋକ ମହାରଥୀ, ଶିବାନନ୍ଦ ପ୍ରଧାନ, କମ୍ଭୁପାଣି ଭୁକ୍ତା, ହୃଷିକେଶ ପ୍ରଧାନ ଓ ସ୍ୱାଧୀନ ଦେହୁରୀଙ୍କ ସମେତ ଅନ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଉଦ୍ୟାନ ବିଭାଗର ଓଭରସିଅର ସତ୍ୟସାଇ ପ୍ରଧାନ କେତେକ ମଧ୍ୟସ୍ଥିଙ୍କ ସହାୟତାରେ ମନମୁଖୀ ଭାବେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଅଦା ଓ ହଳଦୀ ବିହନ ଯୋଗାଇବା ସହ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି।
ଏହାଦ୍ୱାରା ସରକାରୀ ଅର୍ଥର ଅପବ୍ୟବହାର ହୋଇଥିବା ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି।
ଚାଷୀଙ୍କ ଆଉ ଏକ ଅଭିଯୋଗ ହେଉଛି, ପ୍ରକୃତରେ ଚାଷ କରୁ ନଥିବା କେତେକ ବ୍ୟକ୍ତିଙ୍କ ନାମରେ କାଗଜପତ୍ର ପ୍ରସ୍ତୁତ କରାଯାଇ ଫଟୋ ମାଧ୍ୟମରେ ଚାଷ ହୋଇଥିବା ଦର୍ଶାଯାଇଛି।
ଫଳରେ କାଗଜପତ୍ରରେ ଅଦା ଓ ହଳଦୀ ଚାଷ ହୋଇଥିବା ଦେଖାଇ ଯୋଜନାର ଅର୍ଥ ହଡ଼ପ କରାଯାଇଥିବା ନେଇ ସେମାନେ ଅଭିଯୋଗ ଆଣିଛନ୍ତି।
ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ଏଯାଏଁ ସ୍ୱାଧୀନ ଭାବେ ଯାଞ୍ଚ ହୋଇନାହିଁ।
ଅଦା ଓ ହଳଦୀ ଚାଷ ଯୋଜନାରେ ଅନିୟମିତତା ଅଭିଯୋଗ ଏନେଇ ଚାଷୀମାନେ ଗତ ୫ ଅକ୍ଟୋବର ୨୦୨୬ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ୨୨ ଦିନ ବିତିଯାଇଥିଲେ ମଧ୍ୟ ତଦନ୍ତ ଆରମ୍ଭ ହୋଇ ନଥିବା ଅଭିଯୋଗ କରି ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅଭିଯୋଗ ସମ୍ପର୍କରେ ଉଦ୍ୟାନ ବିଭାଗର ଓଭରସିଅର ସତ୍ୟସାଇ ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଅଦା ଓ ହଳଦୀ ନଷ୍ଟଶୀଳ କୃଷି ସାମଗ୍ରୀ ହୋଇଥିବାରୁ ଶୀଘ୍ର ବଣ୍ଟନ କରିବାକୁ ପଡ଼େ।
ଉପଯୁକ୍ତ ଚାଷୀଙ୍କୁ ଚିହ୍ନଟ କରିବାରେ ସମସ୍ୟା ହେଉଥିବାରୁ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ଲୋକଙ୍କୁ ବିହନ ଦିଆଯାଉଥିବା ସେ କହିଥିବା ଜଣାପଡ଼ିଛି।
ସେହିପରି ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀ ଶୁଭେନ୍ଦୁ ବିଶ୍ୱାସଙ୍କୁ ଏନେଇ ପଚାରିବାରୁ, ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଚାଷୀମାନେ ଏହି ଅଭିଯୋଗ କରିଥିବା ସହିତ ଛୁଟି ଯୋଗୁଁ ତଦନ୍ତ ହୋଇପାରି ନଥିବା ସେ ସ୍ବୀକାର କରିଥିଲେ।
ଏହି ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଯୋଜନାରେ ପ୍ରକୃତ ହିତାଧିକାରୀ କେଉଁମାନେ, କେତେ ପରିମାଣର ବିହନ ବଣ୍ଟନ ହୋଇଛି ଏବଂ କେଉଁମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଳିଛି, ତାହା ଯାଞ୍ଚ କରିବାକୁ ଚାଷୀମାନେ ଦାବି କରିଛନ୍ତି।
ତଦନ୍ତ ହେଲେ ଉଦ୍ୟାନ ବିଭାଗରେ ଅନ୍ୟ କୌଣସି ଅନିୟମିତତା ହୋଇଛି କି ନାହିଁ, ତାହା ମଧ୍ୟ ସାମ୍ନାକୁ ଆସିପାରିବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୃଢ଼ ନେତୃତ୍ୱରେ ଓଡ଼ିଶା ଦ୍ରୁତ ବିକାଶ ପଥରେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।