How Brain Cells Control Memory And Behaviour: ଆଲୋକରେ ଖୋଲିଲା ମସ୍ତିଷ୍କର ଗୁପ୍ତ ରହସ୍ୟ, ଜାଣନ୍ତୁ ନୋବେଲ ବିଜୟୀ ବୈଜ୍ଞାନିକଙ୍କ ଗବେଷଣା

Oct 05, 2026 - 18:25
How Brain Cells Control Memory And Behaviour: ଆଲୋକରେ ଖୋଲିଲା ମସ୍ତିଷ୍କର ଗୁପ୍ତ ରହସ୍ୟ, ଜାଣନ୍ତୁ ନୋବେଲ ବିଜୟୀ ବୈଜ୍ଞାନିକଙ୍କ ଗବେଷଣା

ମସ୍ତିଷ୍କ କିପରି କାମ କରେ? କେଉଁ ସ୍ନାୟୁକୋଷ ଆମ ସ୍ମୃତି, ଭାବନା ଓ ବ୍ୟବହାରକୁ ନିୟନ୍ତ୍ରଣ କରେ? ଏହି ବଡ଼ ପ୍ରଶ୍ନର ଉତ୍ତର ଖୋଜିବାରେ ବଡ଼ ସଫଳତା ପାଇଛନ୍ତି କାର୍ଲ ଡାଇସେରଥ, ପିଟର ହେଗେମାନ୍ ଓ ଜର୍ଜ ନାଗେଲ୍। ଏହି ଗବେଷଣା ପାଇଁ ସେମାନଙ୍କୁ ୨୦୨୬ ନୋବେଲ୍ ମେଡିସିନ୍ ପୁରସ୍କାର ମିଳିଛି।

ସେମାନଙ୍କ ଗବେଷଣାର ମୁଖ୍ୟ କଥା ହେଉଛି ‘ଅପ୍ଟୋଜେନେଟିକ୍ସ’। ସରଳ ଭାବେ କହିଲେ, ଆଲୋକ ବ୍ୟବହାର କରି ନିର୍ଦ୍ଦିଷ୍ଟ ସ୍ନାୟୁକୋଷକୁ ଅନ୍ କିମ୍ବା ଅଫ୍ କରି ତାହାର ପ୍ରଭାବ ଦେଖିବାର ଏକ ପଦ୍ଧତି।

ଏହି ଗବେଷଣାର ଆରମ୍ଭ ହୋଇଥିଲା ଏକ ଛୋଟ ଜଳଜୀବରୁ। ଚଳାଚଳ କରୁଥିବା ‘କ୍ଲାମାଇଡୋମୋନାସ୍’ ନାମକ ଶୈବାଳ ଆଲୋକ ଆଡ଼କୁ କାହିଁକି ଯାଏ, ଏହା ଜାଣିବାକୁ ଗବେଷଣା କରୁଥିଲେ ହେଗେମାନ୍ ଓ ନାଗେଲ୍।

ସେମାନେ ଏଥିରେ ‘ଚ୍ୟାନେଲରୋଡପ୍ସିନ୍’ ନାମକ ଏକ ପ୍ରୋଟିନ୍ ଖୋଜିଥିଲେ। ନୀଳ ଆଲୋକ ପଡ଼ିଲେ ଏହି ପ୍ରୋଟିନ୍ କୋଷ ଭିତରେ ଏକ ଛୋଟ ପଥ ଖୋଲିଦିଏ ଏବଂ ଏଥିରୁ ବିଦ୍ୟୁତ୍ ସଙ୍କେତ ସୃଷ୍ଟି ହୁଏ।

ପରେ ଡାଇସେରଥ ଏହି ପ୍ରଯୁକ୍ତିକୁ ସ୍ନାୟୁକୋଷ ଉପରେ ପ୍ରୟୋଗ କଲେ। ୨୦୦୫ରେ ସେ ଦେଖାଇଥିଲେ ଯେ ନୀଳ ଆଲୋକ ଦେଲେ ଏହି ନିୟନ୍ତ୍ରିତ ସ୍ନାୟୁକୋଷ ସଙ୍କେତ ଦେଇପାରେ। ପରେ ୨୦୦୭ରେ ଜୀବନ୍ତ ମୂଷାର ମସ୍ତିଷ୍କରେ ମଧ୍ୟ ଏହି ପଦ୍ଧତି କାମ କରିପାରିବ ବୋଲି ପ୍ରମାଣ ହୋଇଥିଲା।

ଏହି ନୂଆ ପଦ୍ଧତି ଯୋଗୁଁ ବୈଜ୍ଞାନିକମାନେ ଏବେ ମସ୍ତିଷ୍କର କେବଳ କେଉଁ ଅଂଶ ସକ୍ରିୟ ଅଛି ତାହା ଦେଖୁନାହାନ୍ତି, ବରଂ ନିର୍ଦ୍ଦିଷ୍ଟ ସ୍ନାୟୁକୋଷକୁ ନିୟନ୍ତ୍ରଣ କରି ତାହାର ପ୍ରଭାବ ମଧ୍ୟ ଦେଖିପାରୁଛନ୍ତି। ଏହା ଦ୍ୱାରା ସ୍ମୃତି, ଭାବନା ଓ ବ୍ୟବହାର ସହ ଜଡ଼ିତ ସ୍ନାୟୁ ସର୍କିଟ୍‌ଗୁଡ଼ିକୁ ବୁଝିବା ସହଜ ହୋଇଛି।

ସ୍ନାୟୁ ଓ ମାନସିକ ରୋଗର ଗବେଷଣା ସହ ଦୃଷ୍ଟିଶକ୍ତି ହରାଇଥିବା ଲୋକଙ୍କ ଦୃଷ୍ଟି ଫେରାଇବା ପାଇଁ ମଧ୍ୟ ଏହି ପ୍ରଯୁକ୍ତି ଉପରେ ଗବେଷଣା ଚାଲିଛି। ନୋବେଲ୍ କମିଟିର କହିବା ଅନୁସାରେ, ଏହି ଗବେଷଣା ମସ୍ତିଷ୍କ କିପରି କାମ କରେ, ତାହା ବୁଝିବାରେ ବିଜ୍ଞାନକୁ ଏକ ନୂଆ ଦିଗ ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।