How To Clean Electric Switchboard: ସ୍ୱିଚ୍ ବୋର୍ଡ ଚାରିପାଖ କଳା ପଡିଯାଇଛି କି ? କିପରି କରିବେ ସଫା… ଜାଣନ୍ତୁ ସହଜ ଉପାୟ

Oct 17, 2026 - 20:32
How To Clean Electric Switchboard: ସ୍ୱିଚ୍ ବୋର୍ଡ ଚାରିପାଖ କଳା ପଡିଯାଇଛି କି ? କିପରି କରିବେ ସଫା… ଜାଣନ୍ତୁ ସହଜ ଉପାୟ

ଘର ସଫା କରିବା ସମୟରେ ଆମେ ଚଟାଣ, ଆସବାବପତ୍ର, ରୋଷେଇ ଘର ଏବଂ ଅନ୍ୟାନ୍ୟ ଜିନିଷ ପ୍ରତି ବେଶ୍ ଧ୍ୟାନ ଦେଇଥାଉ। କିନ୍ତୁ ସ୍ୱିଚ୍ ବୋର୍ଡକୁ ଅନେକ ସମୟରେ ଅଣଦେଖା କରିଦେଉ। ପ୍ରତିଦିନ ବ୍ୟବହାର ହେଉଥିବାରୁ ସ୍ୱିଚ୍ ବୋର୍ଡ ସହିତ ଏହାର ଆଖପାଖରେ ମଧ୍ୟ ଧୂଳି, ମଇଳା ଏବଂ ହାତର ଚିହ୍ନ ଜମି ରହିଥାଏ। କିଛିଦିନ ପରେ ଏହି ସ୍ଥାନରେ କଳା କିମ୍ବା ମଇଳା ଦାଗ ଦେଖାଯିବାକୁ ଲାଗେ। ଫଳରେ ସଫାସୁତୁରା ଘର ମଧ୍ୟ ସାମାନ୍ୟ ଅପରିଷ୍କାର ଦେଖାଯାଏ।

ସ୍ୱିଚ୍ ବୋର୍ଡ ଆଖପାଖରେ ଏଭଳି ଦାଗ ପଡ଼ିବାର ଏକ ବଡ଼ କାରଣ ହେଉଛି ଏହାର ଦୈନନ୍ଦିନ ବ୍ୟବହାର। ସ୍ୱିଚ୍ ଅନ୍ କିମ୍ବା ଅଫ୍ କରିବା ସମୟରେ ହାତରେ ଲାଗିଥିବା ତେଲ ଓ ମଇଳା ବୋର୍ଡ ଏବଂ ଏହାର ଆଖପାଖରେ ଲାଗିଯାଏ। ଏହାପରେ ସେହି ସ୍ଥାନରେ ଧୂଳି ସହଜରେ ଲାଗି ରହିଥାଏ। ଦୀର୍ଘଦିନ ପର୍ଯ୍ୟନ୍ତ ସଫା ନକଲେ ଏହି ମଇଳା କଳା ଦାଗ ଭଳି ଦେଖାଯିବାକୁ ଲାଗେ।

ଯଦି ଆପଣ ଦୀପାବଳି ପାଇଁ ଘର ସଫା କରୁଛନ୍ତି, ତେବେ କେବଳ ସ୍ୱିଚ୍ ବୋର୍ଡକୁ ସଫା ନକରି ଏହାର ଆଖପାଖ ସ୍ଥାନ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ତେବେ ସଫା କରିବା ସମୟରେ ତରବରିଆ ହେବା ଠିକ୍ ନୁହେଁ। ସ୍ୱିଚ୍ ବୋର୍ଡ ଆଖପାଖ ସ୍ଥାନକୁ ସଫା କରିବା ବେଳେ ମଧ୍ୟ ବିଦ୍ୟୁତ୍ ସମ୍ବନ୍ଧୀୟ ସତର୍କତା ଅବଲମ୍ବନ କରିବା ଜରୁରୀ।

ସ୍ୱିଚ୍ ବୋର୍ଡ ଆଖପାଖ ସ୍ଥାନକୁ ଏପରି ସଫା କରନ୍ତୁ

ସର୍ବପ୍ରଥମେ ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦିଅନ୍ତୁ। ଏହାପରେ ଏକ ଶୁଖିଲା କିମ୍ବା ସାମାନ୍ୟ ଓଦା କପଡ଼ା ନେଇ ସ୍ୱିଚ୍ ବୋର୍ଡ ଆଖପାଖରେ ଥିବା ଧୂଳି ସଫା କରନ୍ତୁ। କପଡ଼ା ଯେପରି ଅଧିକ ଓଦା ନହୁଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଯଦି ଆଖପାଖ ସ୍ଥାନରେ ପୁରୁଣା କଳା ଦାଗ ରହିଛି, ତେବେ କପଡ଼ାରେ ସାମାନ୍ୟ ସଫା କରିବା ସାମଗ୍ରୀ ଲଗାଇ ସେହି ସ୍ଥାନକୁ ଧୀରେ ଧୀରେ ସଫା କରାଯାଇପାରିବ।

ଯେଉଁଠାରେ ଆଙ୍ଗୁଠିର ଚିହ୍ନ କିମ୍ବା ତେଲିଆ ମଇଳା ଅଧିକ ଜମିଛି, ସେଠାରେ ନରମ କପଡ଼ା ସାହାଯ୍ୟରେ ହାଲୁକା ଭାବେ ସଫା କରନ୍ତୁ। କୋଣରେ ଜମିଥିବା ଧୂଳି ହଟାଇବା ପାଇଁ ଶୁଖିଲା ଓ ନରମ ବ୍ରଶ୍ ବ୍ୟବହାର କରାଯାଇପାରିବ। ସଫା କରିବା ସମୟରେ ପାଣି କିମ୍ବା କୌଣସି ତରଳ ପଦାର୍ଥକୁ ସିଧାସଳଖ ସ୍ୱିଚ୍ ବୋର୍ଡ କିମ୍ବା ଏହାର ଧାରରେ ପକାନ୍ତୁ ନାହିଁ।

ଟୁଥ୍‌ପେଷ୍ଟ ସାହାଯ୍ୟରେ ହାଲୁକା ଦାଗ ହଟାନ୍ତୁ

ଯଦି ସ୍ୱିଚ୍ ବୋର୍ଡ କିମ୍ବା ଏହାର ଆଖପାଖ ସ୍ଥାନରେ ହାଲୁକା ମଇଳା, ଦାଗ କିମ୍ବା ହଳଦିଆ ରଙ୍ଗର ଚିହ୍ନ ଦେଖାଯାଉଛି, ତେବେ ସାଧା ଧଳା ଟୁଥ୍‌ପେଷ୍ଟ ବ୍ୟବହାର କରାଯାଇପାରିବ। ଏଥିପାଇଁ ଅଳ୍ପ ପରିମାଣର ଟୁଥ୍‌ପେଷ୍ଟ ନେଇ ପୁରୁଣା ଟୁଥ୍‌ବ୍ରଶ୍ କିମ୍ବା ନରମ କପଡ଼ା ସାହାଯ୍ୟରେ ଦାଗ ଥିବା ସ୍ଥାନକୁ ଧୀରେ ଧୀରେ ସଫା କରନ୍ତୁ।

ଅଧିକ ଜୋରରେ ଘଷିବାଠାରୁ ଦୂରେଇ ରୁହନ୍ତୁ। ବିଶେଷକରି ଆଖପାଖ ସ୍ଥାନରେ ରଙ୍ଗ କିମ୍ବା କୌଣସି ସ୍ୱତନ୍ତ୍ର ଫିନିଶିଂ ଥିଲେ ସାବଧାନ ରୁହନ୍ତୁ। ସଫା କରିବା ପରେ ଶୁଖିଲା କପଡ଼ାରେ ସେହି ସ୍ଥାନକୁ ଭଲ ଭାବେ ପୋଛି ଦିଅନ୍ତୁ। ରଙ୍ଗୀନ କିମ୍ବା ଜେଲ୍ ଟୁଥ୍‌ପେଷ୍ଟ ବ୍ୟବହାର ନକରିବା ଭଲ।

ଲେମ୍ବୁ ଓ ଲୁଣର ବ୍ୟବହାର

ଜିଦ୍‌ଖୋର ମଇଳା ସଫା କରିବା ପାଇଁ ଲେମ୍ବୁ ଓ ଲୁଣ ମଧ୍ୟ ବ୍ୟବହାର କରାଯାଏ। ଲେମ୍ବୁ ମଇଳାକୁ ନରମ କରି ଛଡ଼ାଇବାରେ ସାହାଯ୍ୟ କରିଥାଏ, ଅନ୍ୟପଟେ ଲୁଣ ହାଲୁକା ସ୍କ୍ରବ୍ ଭଳି କାମ କରେ।

କିନ୍ତୁ ଏହାକୁ ବ୍ୟବହାର କରିବା ସମୟରେ ସତର୍କ ରହିବା ଜରୁରୀ। ଲେମ୍ବୁ ରସ କିମ୍ବା ଅନ୍ୟ କୌଣସି ତରଳ ପଦାର୍ଥକୁ ସିଧାସଳଖ ସ୍ୱିଚ୍ ବୋର୍ଡରେ ପକାନ୍ତୁ ନାହିଁ। ବିଦ୍ୟୁତ୍ ଯୋଗାଣ ବନ୍ଦ କରିବା ପରେ ହିଁ ଏହାର ଆଖପାଖ ସ୍ଥାନରେ ଅତି କମ୍ ପରିମାଣରେ ବ୍ୟବହାର କରନ୍ତୁ ଏବଂ ସଫା କରିବା ପରେ ସେହି ସ୍ଥାନକୁ ସମ୍ପୂର୍ଣ୍ଣ ଶୁଖାଇ ଦିଅନ୍ତୁ।

କୌଣସି ପ୍ରକାର ଆର୍ଦ୍ରତା ଯେପରି ସ୍ୱିଚ୍, ସକେଟ୍ କିମ୍ବା ବିଦ୍ୟୁତ୍ ସମ୍ବନ୍ଧୀୟ ଅଂଶ ଭିତରକୁ ନଯାଏ, ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।