How to Stop Fighting With Husband: ଛୋଟ ଛୋଟ ଅଭ୍ୟାସ ଦାମ୍ପତ୍ୟ ଜୀବନରେ ବଡ଼ କଳହ ସୃଷ୍ଟି କରିପାରେ; ସାଥୀଙ୍କ ସହ କରନ୍ତୁନି ଏହି ୯ କାମ

Sep 15, 2026 - 18:07
How to Stop Fighting With Husband: ଛୋଟ ଛୋଟ ଅଭ୍ୟାସ ଦାମ୍ପତ୍ୟ ଜୀବନରେ ବଡ଼ କଳହ ସୃଷ୍ଟି କରିପାରେ; ସାଥୀଙ୍କ ସହ କରନ୍ତୁନି ଏହି ୯ କାମ

ସକାଳର ଛୋଟ ଏକ କଥାରୁ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ବଡ଼ ଝଗଡ଼ା—ଏପରି ପରିସ୍ଥିତି ଏବେ ଅନେକ ପରିବାରରେ ଦେଖିବାକୁ ମିଳୁଛି। କେବେ ଘରର ସାମଗ୍ରୀ କେଉଁଠି ରହିବ, କେବେ ଖର୍ଚ୍ଚ, କେବେ ପିଲାଙ୍କୁ ନେଇ ମତଭେଦ। ଛୋଟ ଛୋଟ କଥା ମଧ୍ୟ କେବେ କେବେ ଦାମ୍ପତ୍ୟ ସମ୍ପର୍କରେ ବଡ଼ ତଣାପୋଡ଼ର କାରଣ ହୋଇଯାଏ।

ସମ୍ପର୍କ ବିଶେଷଜ୍ଞମାନଙ୍କ ମତରେ, କେବଳ ଗୋଟିଏ ପକ୍ଷକୁ ଦାୟୀ କରିବା ଠିକ୍ ନୁହେଁ। ସ୍ୱାମୀ କିମ୍ବା ସ୍ତ୍ରୀ—ଉଭୟଙ୍କ କିଛି ଅଭ୍ୟାସ ଅଜାଣତରେ ସମ୍ପର୍କକୁ ଦୁର୍ବଳ କରିପାରେ। ବିଶେଷକରି ନିମ୍ନଲିଖିତ ୯ଟି ଅଭ୍ୟାସ ଦୈନନ୍ଦିନ ଜୀବନରେ କଳହ ବଢ଼ାଇପାରେ।

ପୁରୁଣା କଥା ବାରମ୍ବାର ଉଠାଇବା

ପୁରୁଣା ଭୁଲ୍‌, ଝଗଡ଼ା କିମ୍ବା ଅସନ୍ତୋଷକୁ ପ୍ରତ୍ୟେକ ନୂଆ ବାଦବିବାଦରେ ଟାଣି ଆଣିବା ସମ୍ପର୍କକୁ ଆହୁରି ତିକ୍ତ କରିପାରେ। ପୁରୁଣା କଥାକୁ ବାରମ୍ବାର ଉଠାଇଲେ ସମସ୍ୟାର ସମାଧାନ ହୁଏନି, ବରଂ ମନର ଆଘାତ ପୁଣି ତାଜା ହୋଇଯାଏ।

ପ୍ରତ୍ୟେକ କଥା ଖୁଣିବା

କେମିତି ବସିବେ, କେମିତି ପୋଷାକ ପିନ୍ଧିବେ, କେମିତି କାମ କରିବେ—ପ୍ରତ୍ୟେକ ଛୋଟ ଛୋଟ କଥାରେ ଦୋଷ ଖୋଜିବା କିମ୍ବା ବାରମ୍ବାର ଖୁଣିବା ସାଥୀଙ୍କୁ ଅସହଜ କରିପାରେ। ଏହା ଦୀର୍ଘ ସମୟ ଚାଲିଲେ ଅସନ୍ତୋଷ ଓ ଚିଡ଼ଚିଡ଼ାପଣ ବଢ଼ିପାରେ।

ଟଙ୍କା ଓ ଖର୍ଚ୍ଚକୁ ନେଇ ଟଣ୍ଟ ମାରିବା

ପରିବାରର ବଜେଟ୍‌ ଓ ଖର୍ଚ୍ଚକୁ ନେଇ ଆଲୋଚନା ଆବଶ୍ୟକ। କିନ୍ତୁ ପ୍ରତ୍ୟେକ ଖର୍ଚ୍ଚକୁ ନେଇ ଟଣ୍ଟ ମାରିବା କିମ୍ବା ସାଥୀଙ୍କୁ ହୀନ ମନେ କରାଇବା ଘରର ପରିବେଶକୁ ଭାରୀ କରିପାରେ। ଆର୍ଥିକ ଯୋଜନା ଦୁହେଁ ମିଶି କରିବା ଭଲ।

ଅନାବଶ୍ୟକ ସାମଗ୍ରୀ ଜମା କରିବା

‘ପରେ କାମରେ ଲାଗିବ’ ଭାବି ଦୀର୍ଘଦିନ ଧରି ଅପ୍ରୟୋଜନୀୟ ସାମଗ୍ରୀ, ପୁରୁଣା ଡବା କିମ୍ବା ଭଙ୍ଗା ଜିନିଷ ଜମା କରିବା ମଧ୍ୟ ଘରେ ଅସନ୍ତୋଷର କାରଣ ହୋଇପାରେ। ଏନେଇ ଦୁହେଁ ମିଶି ସୀମା ନିର୍ଦ୍ଧାରଣ କରିବା ଭଲ।

ଅନ୍ୟଙ୍କ ସହ ତୁଳନା କରିବା

“ସେମାନଙ୍କ ସ୍ୱାମୀ ଏମିତି”, “ସେମାନଙ୍କ ସ୍ତ୍ରୀ ଏମିତି”—ଏପରି ତୁଳନା ଦାମ୍ପତ୍ୟ ସମ୍ପର୍କକୁ ଆଘାତ କରିପାରେ। ସାଥୀଙ୍କୁ ଅନ୍ୟ କାହା ସହ ତୁଳନା କରିବାରୁ ଆତ୍ମସମ୍ମାନରେ ଆଘାତ ଲାଗିପାରେ।

ପ୍ରତ୍ୟେକ କଥାରେ ବାପଘର କିମ୍ବା ଶ୍ୱଶୁର ଘରକୁ ଟାଣି ଆଣିବା
ଘରୋଇ ବିବାଦରେ ନିଜ ପରିବାର କିମ୍ବା ସାଥୀଙ୍କ ପରିବାରକୁ ବାରମ୍ବାର ଉଦାହରଣ ଦେବାରୁ କଥା ଆହୁରି ଜଟିଳ ହୋଇପାରେ। ଦାମ୍ପତ୍ୟ ସମସ୍ୟାକୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଶାନ୍ତିପୂର୍ବକ ସମାଧାନ କରିବା ଉଚିତ।

ବ୍ୟକ୍ତିଗତ ସମୟକୁ ସମ୍ମାନ ନ ଦେବା

ସାରାଦିନ କାମ ପରେ ଘରକୁ ଫେରିବା ସାଙ୍ଗେ ସାଙ୍ଗେ ସମସ୍ତ ସମସ୍ୟା ଏକାଥରେ କହିଦେବା ଚାପ ବଢ଼ାଇପାରେ। ଦୁହେଁଙ୍କୁ କିଛି ସମୟ ନିଜ ପାଇଁ ଆବଶ୍ୟକ। ଶାନ୍ତ ହେବା ପରେ ଗୁରୁତ୍ୱପୂର୍ଣ୍ଣ କଥା ଆଲୋଚନା କରିବା ଭଲ।

ପ୍ରଶଂସା କରିବାକୁ ଭୁଲିଯିବା

ସାଥୀଙ୍କ ଛୋଟ ଛୋଟ ପ୍ରୟାସ, ଦାୟିତ୍ୱ ଓ ପରିଶ୍ରମକୁ ସ୍ୱୀକାର କରିବା ସମ୍ପର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। କେବଳ ଭୁଲ୍‌ ଖୋଜିଲେ ସାଥୀଙ୍କୁ ଅବହେଳିତ ଲାଗିପାରେ।

ସିଧା କଥା ନକହି ଥଟ୍ଟା କରିବା

ମନର କଥା ସିଧାସଳଖ କହିବା ପରିବର୍ତ୍ତେ ବ୍ୟଙ୍ଗ, ଥଟ୍ଟା କିମ୍ବା ପରୋକ୍ଷ ଭାଷା ବ୍ୟବହାର କଲେ ଭୁଲ୍‌ ବୁଝାମଣା ବଢ଼ିପାରେ। ସ୍ପଷ୍ଟ ଓ ସମ୍ମାନଜନକ ଆଲୋଚନା ସମ୍ପର୍କକୁ ଅଧିକ ମଜବୁତ କରିଥାଏ।

ଦୈନନ୍ଦିନ କଳହରୁ କେମିତି ମିଳିବ ମୁକ୍ତି?

ସମ୍ପର୍କରେ ପୁଣିଥରେ ଭରସା, ଶାନ୍ତି ଓ ଭଲପାଇବା ଫେରାଇବାକୁ ହେଲେ ପ୍ରଥମେ କଥାବାର୍ତ୍ତାର ଶୈଳୀ ବଦଳାଇବା ଦରକାର। ଟଣ୍ଟ ମାରିବା ପରିବର୍ତ୍ତେ ଶାନ୍ତ ହୋଇ ଆଲୋଚନା କରନ୍ତୁ। ପରସ୍ପରର ବ୍ୟକ୍ତିଗତ ସମୟ, ମନସ୍ଥିତି ଓ ଭାବନାକୁ ସମ୍ମାନ ଦିଅନ୍ତୁ। ଘର ଚଳାଇବା ପାଇଁ ଟଙ୍କାର ସଞ୍ଚୟ ଯେତେ ଜରୁରୀ, ସେତିକି ଜରୁରୀ ହେଉଛି ମାନସିକ ଶାନ୍ତି। ସୁସ୍ଥ ଦାମ୍ପତ୍ୟ ପାଇଁ ଜିତିବା ନୁହେଁ, ପରସ୍ପରକୁ ବୁଝିବା ସବୁଠାରୁ ବଡ଼ କଥା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।