Human hair: ମଣିଷ କେଶରୁ ଏମ୍ବ୍ରୋଏଡୋରି
"ଏମ୍ବ୍ରୋଏଡୋରି ହେଉଛି କପଡ଼ା ଉପରେ ସିଲେଇ କରି ବିଭିନ୍ନ କଳାକୃତି ପ୍ରସ୍ତୁତ କରିବାର କଳା।
ଏଥିରେ ସାଧାରଣତଃ ଛୁଞ୍ଚି, ସୂତା ବ୍ୟବହାର ହୋଇଥାଏ।
ତେବେ ଚୀନରେ କିଛି କଳାକାର ଅତି ସୂକ୍ଷ୍ମ କଳାକୃତି ତିଆରି କରିବା ପାଇଁ ମାନବ କେଶର ବ୍ୟବହାର କରିଥାନ୍ତି।
ଚୀନର ପାରମ୍ପରିକ ରେଶମ କାରୁକାର୍ଯ୍ୟ ସାରା ବିଶ୍ୱରେ ପ୍ରସିଦ୍ଧ।
ତେବେ ଏହି କେଶ କାରୁକାର୍ଯ୍ୟ ଆହୁରି ଅନନ୍ୟ।
ତଥ୍ୟ ଅନୁସାରେ, ଏହି ପରମ୍ପରା ୧୩୦୦ ବର୍ଷରୁ ଅଧିକ ପୁରୁଣା, ଯାହା ତାଙ୍ଗ୍ ରାଜବଂଶର ଶାସନ କାଳରେ ସେଠାକାର ଜିଆଙ୍ଗ୍ସୁ ପ୍ରଦେଶର ଡଙ୍ଗ୍ଟାଇ ଓ ଜିଆଙ୍ଗ୍ସୁ ଭଳି କେତେକ ପ୍ରଦେଶେର ଆରମ୍ଭ ହୋଇଥିଲା।Advertisment ସେତେବେଳେ ମୂଳତଃ ବୌଦ୍ଧ ଧର୍ମାବଲମ୍ବୀ ମହିଳାମାନେ ସେମାନଙ୍କ ଭକ୍ତିର ନିଦର୍ଶନ ଭାବେ ନିଜ କେଶରେ ସିଲେଇ କରି ବିଭିନ୍ନ ଠାକୁରଙ୍କ ପ୍ରତିମା ତିଆରି କରୁଥିଲେ।
ମଣିଷର କେଶ ସହଜରେ ମଳିନ ହୁଏନାହିଁ କି କ୍ଷୟ ହୋଇ ନଥାଏ।
ତେଣୁ ଶହ ଶହ ବର୍ଷ ତଳେ କେଶରୁ ତିଆରି ହୋଇଥିବା କଳାକୃତି ଅକ୍ଷୁଣ୍ଣ ରହିଛି।
ମଣିଷର କେଶ ସ୍ୱାଭାବିକ ଭାବରେ ପତଳା, ତେବେ ଦକ୍ଷ କାରିଗରମାନେ ଏହାକୁ ଆଉ ପାଦେ ଆଗକୁ ନେଇ ଆହୁରି ସୂକ୍ଷ୍ମ କରିପାରନ୍ତି।
ଏବେ କେତେକ କଳାକାର ସେମାନଙ୍କ କଳାକୃତିକୁ ଆହୁରି ବାସ୍ତବବାଦୀ କରିବାକୁ କଳା, ଧୂସର, ଧଳା ଏବଂ ରଙ୍ଗିନ କେଶକୁ ସୂକ୍ଷ୍ମ ରେଶମ କିମ୍ବା ଧାତବ ସୁନା ସୂତା ସହିତ ମିଶାଇ ସିଲେଇ କରିବାର ଦେଖିବାକୁ ମିଳେ।
ଏଥିରେ ପୁଣି ବିଭିନ୍ନ ସିଲେଇ କୌଶଳ ବ୍ୟବହାର କରାଯାଉଛି।
କେଶ କାରୁକାର୍ଯ୍ୟ ଅତି ସୂକ୍ଷ୍ମ ହୋଇଥିବାରୁ ଏହାକୁ ପ୍ରାୟ ହାତରେ ହିଁ କରାଯାଇଥାଏ।
ସିଲେଇ ମେସିନ୍ ବ୍ୟବହାର କରି ଏଥିରେ ରେଶମ କାରୁକାର୍ଯ୍ୟ ବି ଯୋଡ଼ିହେବ।
ବିଗତ ଶତାବ୍ଦୀରେ ଏହି ହସ୍ତଶିଳ୍ପର ଚାହିଦା କମିବାରେ ଲାଗିଥିଲା।
ହେଲେ ଏବେ ଏହାର ପୁନରୁଦ୍ଧାର କରାଯାଇଛି।
୨୦୨୧ ମସିହାରେ ଡଙ୍ଗ୍ଟାଇ କେଶ କାରୁକାର୍ଯ୍ୟକୁ ଚୀନ୍ର ଜାତୀୟ ଐତିହ୍ୟ ଭାବେ ଆନୁଷ୍ଠାନିକ ସ୍ୱୀକୃତି ଦିଆଯାଇଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।