Hyundai: ଏର୍ଟିଗା ଓ କ୍ୟାରେନ୍ସକୁ ଟକ୍କର ଦେବାକୁ ଆସୁଛି ହୁଣ୍ଡାଇର ନୂତନ ୭-ସିଟର ଏମପିଭି 'ନେଇରା'
ନୂଆଦିଲ୍ଲୀ: ଭାରତୀୟ ବଜାରରେ ମଲ୍ଟି ପର୍ପଜ୍ ଭେଇକିଲ୍ (MPV) ବା ୭-ସିଟର ଗାଡ଼ିଗୁଡ଼ିକର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷକରି ମାରୁତି ଏର୍ଟିଗା ଏବଂ କିଆ କ୍ୟାରେନ୍ସ ଭଳି ଗାଡ଼ିଗୁଡ଼ିକ ଗ୍ରାହକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇପାରିଛି। ଏହି ସଫଳତାକୁ ଦୃଷ୍ଟିରେ ରଖି ଦକ୍ଷିଣ କୋରିଆର ପ୍ରମୁଖ ଅଟୋମୋବାଇଲ୍ କମ୍ପାନୀ 'ହୁଣ୍ଡାଇ' (Hyundai) ଭାରତୀୟ ବଜାରରେ ନିଜର ଏକ ନୂତନ ୭-ସିଟର MPV 'ନେଇରା' (Neira) ଲଞ୍ଚ କରିବାକୁ ଯାଉଛି।
୨୦୨୭ ପ୍ରଥମାର୍ଦ୍ଧରେ ହୋଇପାରେ ଲଞ୍ଚ୍
କମ୍ପାନୀ ପକ୍ଷରୁ ଏହି ଗାଡ଼ିକୁ ପ୍ରଥମେ ୨୦୨୬ ଇଣ୍ଡୋନେସିଆ ମୋଟର ଶୋ'ରେ 'ନେଇରା ଇଭି କନସେପ୍ଟ' ଭାବରେ ପ୍ରଦର୍ଶିତ କରାଯାଇଥିଲା। ଏହାର ପ୍ରଡକ୍ସନ ମଡ଼େଲ୍ ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ଭାରତୀୟ ବଜାରରେ ଲଞ୍ଚ୍ ହେବାର ସମ୍ଭାବନା ରହିଛି। ଆସନ୍ତାବର୍ଷ ଆରମ୍ଭରେ ହେବାକୁଥିବା 'ଭାରତ ମୋବିଲିଟି ଏକ୍ସପୋ'ରେ ମଧ୍ୟ ଏହାକୁ ପ୍ରଦର୍ଶିତ କରାଯାଇପାରେ।
ଆହୁରି ପଢନ୍ତୁ: Theft: ଡାବୁଗାଁ ଜଗନ୍ନାଥ ମନ୍ଦିରରୁ ବଡ଼ ଧରଣର ଚୋରି, ମଦନମୋହନଙ୍କ ରୂପା ପ୍ରତିମା ସହ ସୁନାରୂପା ଅଳଙ୍କାର ଲୁଟ୍
ପେଟ୍ରୋଲ, ଡିଜେଲ ସହିତ ମିଳିବ ସିଏନଜି ବିକଳ୍ପ
ରିପୋର୍ଟ ଅନୁଯାୟୀ, ହୁଣ୍ଡାଇ ଏହି ଗାଡ଼ିକୁ ପେଟ୍ରୋଲ, ଡିଜେଲ, ଟର୍ବୋ ପେଟ୍ରୋଲ ଏବଂ ସିଏନଜି ଭର୍ଜନରେ ଆଣିବ। ବିଶେଷକରି ଏହାର ସିଏନଜି ଭର୍ଜନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ, କାରଣ ଏହା ହୁଣ୍ଡାଇର ଏଯାବତ ସବୁଠାରୁ ବଡ଼ ସିଏନଜି ମଡ଼େଲ୍ ହେବ। ଏହାଦ୍ୱାରା ଗ୍ରାହକମାନେ ଉତ୍କୃଷ୍ଟ ମାଇଲେଜ୍ ପାଇପାରିବେ।
ଡିଜାଇନ୍ ଏବଂ ମୁକାବିଲା
'ନେଇରା'ର ସାଇଜ୍ ପ୍ରାୟତଃ କିଆ କ୍ୟାରେନ୍ସ ଭଳି ହୋଇଥିବାବେଳେ ଏଥିରେ ସ୍ୱତନ୍ତ୍ର ହୁଣ୍ଡାଇ ସିଗ୍ନେଚର ଫ୍ରଣ୍ଟ ଡିଜାଇନ୍ ଏବଂ ଆକର୍ଷକ ହ୍ବିଲ୍ ଦେଖିବାକୁ ମିଳିବ। ଏହାର ପଛପାଖରେ କନେକ୍ଟେଡ୍ ଟେଲ୍ ଲ୍ୟାମ୍ପ୍ ଡିଜାଇନ୍ ରହିଛି। ଭାରତୀୟ ବଜାରରେ ଏହା ମୁଖ୍ୟତଃ ମାରୁତି ଏର୍ଟିଗା, ମାରୁତି XL6, କିଆ କ୍ୟାରେନ୍ସ ଏବଂ କ୍ଲେଭିସ୍ ଭଳି ଗାଡ଼ିଗୁଡ଼ିକୁ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।