IAS-IPS Couple Faces Corruption Probe: ୪୦ କଟେଜ ଓ ଭିଲ୍ଲା, ବର୍ଷକୁ ଆୟ ୧.୮ କୋଟି; ଏସିବି ଜାଲରେ ଆଇଏଏସ-ଆଇପିଏସ ଦମ୍ପତି

Nov 01, 2026 - 11:50
IAS-IPS Couple Faces Corruption Probe: ୪୦ କଟେଜ ଓ ଭିଲ୍ଲା, ବର୍ଷକୁ ଆୟ ୧.୮ କୋଟି; ଏସିବି ଜାଲରେ ଆଇଏଏସ-ଆଇପିଏସ ଦମ୍ପତି

ଆଇଏଏସ ଅଧିକାରୀଙ୍କ ପୁଳାପୁଳା ସମ୍ପତ୍ତି।

୪୦ଟି ଭିଲ୍ଲା ଓ କଟେଜ କିଣି ଲିଜ୍‌ରେ ଦେଇଛି ତାଙ୍କ ପରିବାର।

ଜଣେ ଆଇଏଏସ ଅଧିକାରୀଙ୍କ ପରିବାର ୨ ବର୍ଷ ୬ ମାସ ମଧ୍ୟରେ ୪୦ଟି ଭିଲା ଓ କଟେଜ୍ କିଣିବା ପରେ ସେହି ସଂସ୍ଥାକୁ ଲିଜ୍‌ରେ ଦେଇଥିବା ଘଟଣା ଏବେ ଚର୍ଚ୍ଚାକୁ ଆସିଛି।

ଏହି ସମ୍ପତ୍ତି କିଣିବା ପାଇଁ ପରିବାର ମୋଟ ୬.୧୬ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଲିଜ୍ ବାବଦରେ ବାର୍ଷିକ ପ୍ରାୟ ୧.୮ କୋଟି ଟଙ୍କା ଆୟ ହେଉଥିବା ଜଣାପଡ଼ିଛି।

ଏହି କାରବାରରେ ସରକାରୀ ପଦବୀର ଅପବ୍ୟବହାର କରିଥିବା ଅଭିଯୋଗରେ ରାଜସ୍ଥାନର ଦୁର୍ନୀତି ବିରୋଧୀ ବ୍ୟୁରୋ (ଏସିବି) ତଦନ୍ତ ଆରମ୍ଭ କରିଛି।

Advertisment ଏହି ଅଭିଯୋଗରେ ଆଇଏଏସ ଅଧିକାରୀ ଶିଖର ଅଗ୍ରୱାଲଙ୍କୁ ପୂର୍ବରୁ ଏପିଓରେ ରଖାଯାଇଥିବା ବେଳେ ତାଙ୍କ ପତ୍ନୀ ତଥା ବରିଷ୍ଠ ଆଇପିଏସ ଅଧିକାରୀ ପ୍ରଶାଖା ମାଥୁରଙ୍କୁ ମଧ୍ୟ ଶନିବାର ରାଜ୍ୟ ସରକାର ଏପିଓରେ ରଖିଛନ୍ତି।

ଶିଖର ଅଗ୍ରୱାଲ ପୂର୍ବରୁ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଥିଲେ।

ଅକ୍ଟୋବର ୩୦ରେ ଏସିବି ଜାରି କରିଥିବା ବିବୃତି ଅନୁସାରେ, ପ୍ରାଥମିକ ତଦନ୍ତରେ ଅଗ୍ରୱାଲ ଗୋୟଲ ଫ୍ୟାସନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକଙ୍କ ସହ ମିଶି କମ୍ପାନୀକୁ ଅନୁଚିତ ଫାଇଦା ପହଞ୍ଚାଇଥିବା ନେଇ ପ୍ରାଥମିକ ପ୍ରମାଣ ମିଳିଛି।

ଏହାଦ୍ୱାରା ରାଜ୍ୟ ସରକାରଙ୍କ ବିପୁଳ ଆର୍ଥିକ କ୍ଷତି ହୋଇଥିବା ମଧ୍ୟ ଏଜେନ୍ସି ସନ୍ଦେହ କରୁଛି।

Advertisment ଶିଖର ଅଗ୍ରୱାଲ ଉଦୟପୁର ଜିଲ୍ଲାପାଳ, ରାଜସ୍ଥାନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଏବଂ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭଳି ବିଭିନ୍ନ ପଦବୀରେ ଥିବା ସମୟରେ ଏହି ଅନୁକମ୍ପା ଦିଆଯାଇଥିବା ଅଭିଯୋଗ ହୋଇଛି।

ଏସିବିର ଅଭିଯୋଗ ଅନୁସାରେ, ଅନନ୍ତା ବ୍ରାଣ୍ଡରେ ରିସର୍ଟ ପରିଚାଳନା କରୁଥିବା ଗୋୟଲ ଫ୍ୟାସନ୍ସ କମ୍ପାନୀକୁ ରିସର୍ଟ ନିର୍ମାଣ ସମ୍ପର୍କିତ କେତେକ ନିୟମରେ କୋହଳ, ଆବଶ୍ୟକ ପ୍ରମାଣପତ୍ରର ଉପଯୁକ୍ତ ଯାଞ୍ଚ ବିନା ଅନୁମୋଦନ ଏବଂ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଦିଆଯାଇଥିଲା।

ଏହି ସମସ୍ତ ନିଷ୍ପତ୍ତିରେ ଅଗ୍ରୱାଲଙ୍କ ଭୂମିକା ରହିଥିଲା କି ନାହିଁ, ତାହାର ତଦନ୍ତ ହେବ।

ଦୁର୍ନୀତି ନିରୋଧୀ ଆଇନର ଧାରା ୧୭(କ) ଅନୁଯାୟୀ ବିସ୍ତୃତ ତଦନ୍ତ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।

ଏଥିରେ ଅଧିକାରୀଙ୍କ ସହ କମ୍ପାନୀର ନିର୍ଦ୍ଦେଶକ ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୂମିକା ମଧ୍ୟ ଯାଞ୍ଚ କରାଯିବ।

ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ, ରାଜସ୍ଥାନର ଦୁଇଟି ଅନନ୍ତା ରିସର୍ଟରୁ ଏହି ସମ୍ପତ୍ତି କିଣାଯାଇଛି।

୨୦୨୩ ସେପ୍ଟେମ୍ବରରେ ଉଦୟପୁରର ବୁଝଡ଼ାସ୍ଥିତ ରିସର୍ଟରୁ ୨୦ଟି କଟେଜ୍ କିଣାଯାଇଥିଲା।

ଏହାପରେ ୨୦୨୬ ମାର୍ଚ୍ଚରେ ଅଲୱାରର ଅଜବଗଡ଼ସ୍ଥିତ ରିସର୍ଟରୁ ଆଉ ୨୦ଟି ଭିଲ୍ଲା କିଣାଯାଇଥିଲା।

ଗୋୟଲ ଫ୍ୟାସନ୍ସ କମ୍ପାନୀଠାରୁ ଏହି ୪୦ଟି ସମ୍ପତ୍ତି ମୋଟ ୬.୧୬ କୋଟି ଟଙ୍କାରେ କିଣାଯାଇଥିଲା।

କିନ୍ତୁ କେତେକ ଭିଲ୍ଲା ବଜାର ମୂଲ୍ୟଠାରୁ ଯଥେଷ୍ଟ କମ୍ ଦାମ୍‌ରେ କିଣାଯାଇଥିବା ଏସିବି ସନ୍ଦେହ କରୁଛି।

ଉଦୟପୁର ରିସର୍ଟରୁ ଶିଖର ଅଗ୍ରୱାଲ ଓ ପ୍ରଶାଖା ମାଥୁର ପ୍ରତ୍ୟେକକୁ ୧୫ ଲକ୍ଷ ଟଙ୍କା ମୂଲ୍ୟରେ ୧୦ଟି ଲେଖାଏଁ ଭିଲ୍ଲା କିଣିଥିଲେ।

ଅଲୱାର ରିସର୍ଟରେ ଉଭୟଙ୍କ ନାଁରେ ୧୬.୫ ଲକ୍ଷ ଟଙ୍କା ମୂଲ୍ୟର ୮ଟି ଲେଖାଏଁ ଭିଲା ପଞ୍ଜୀକୃତ ହୋଇଥିଲା।

ସେହିପରି ତାଙ୍କର ଦୁଇ ପୁଅଙ୍କ ନାଁରେ ପ୍ରତ୍ୟେକ ୪ଟି ଲେଖାଏଁ ଭିଲ୍ଲା ପ୍ରାୟ ୧୫ ଲକ୍ଷ ଟଙ୍କା ମୂଲ୍ୟରେ କିଣାଯାଇଥିବା ବେଳେ ପ୍ରଶାଖାଙ୍କ ବାପା ମାଆଙ୍କ ନାଁରେ ମଧ୍ୟ ପ୍ରାୟ ୧୬.୫ ଲକ୍ଷ ଟଙ୍କା ମୂଲ୍ୟର ୪ଟି ଭିଲ୍ଲା ପଞ୍ଜୀକୃତ ହୋଇଥିଲା।

ଜଣାପଡ଼ିଛି ଯେ, ନିଜ ପୁଅମାନଙ୍କ ପକ୍ଷରୁ ପାୱାର ଅଫ୍ ଆଟର୍ଣ୍ଣି ଜରିଆରେ ପ୍ରଶାଖା ଏହି ପଞ୍ଜୀକରଣ କରାଇଥିଲେ।

ଏହି କାରବାରର ସବୁଠାରୁ ଚର୍ଚ୍ଚିତ ଘଟଣା ହେଉଛି, ଯେଉଁ କମ୍ପାନୀଠାରୁ ଅଧିକାରୀଙ୍କ ପରିବାର ସମ୍ପତ୍ତି କିଣିଥିଲେ, ପରେ ସେହି କମ୍ପାନୀକୁ ହିଁ ଲିଜ୍‌ରେ ଦେଇଥିଲେ।

ଏଥିପାଇଁ ଉଭୟ ପକ୍ଷ ମଧ୍ୟରେ ପଞ୍ଜୀକୃତ ଲିଜ୍ ଚୁକ୍ତି ମଧ୍ୟ ହୋଇଥିଲା।

ଚୁକ୍ତି ଅନୁସାରେ, ଉଦୟପୁରର ପ୍ରତ୍ୟେକ କଟେଜ୍ ପାଇଁ ବାର୍ଷିକ ୪ ଲକ୍ଷ ଟଙ୍କା ଏବଂ ଅଲୱାରର ପ୍ରତ୍ୟେକ ଭିଲ୍ଲା ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଭଡ଼ା ମିଳିବାର ବ୍ୟବସ୍ଥା ଥିଲା।

ଏହି ହିସାବରେ ଉଦୟପୁରର ୨୦ଟି କଟେଜ୍‌ରୁ ବର୍ଷକୁ ୮୦ ଲକ୍ଷ ଟଙ୍କା ଏବଂ ଅଲୱାରର ୨୦ଟି ଭିଲ୍ଲାରୁ ୧ କୋଟି ଟଙ୍କା ଆୟ ହେବାର ଥିଲା।

ଅର୍ଥାତ୍ ମୋଟ ବାର୍ଷିକ ଲିଜ୍ ଆୟ ୧.୮ କୋଟି ଟଙ୍କା।

ଏଥିସହ ଗୋୟଲ ଫ୍ୟାସନ୍ସକୁ ସ୍ୱତନ୍ତ୍ର ରିହାତି ଯୁକ୍ତ ଆର୍ଥିକ ପ୍ୟାକେଜ୍ ୨୦୨୬ ମାର୍ଚ୍ଚ ୨୭ ତାରିଖରେ ମିଳିଥିଲା।

ସେହି ଦିନ ହିଁ ଅଗ୍ରୱାଲଙ୍କ ପରିବାର ଅଲୱାର ରିସର୍ଟର ୨୦ଟି ଭିଲ୍ଲା ପଞ୍ଜୀକରଣ କରିଥିବା ଅଭିଯୋଗ ରହିଛି।

ତେବେ ଏହି ୪୦ଟି କଟେଜ ଓ ଭିଲ୍ଲା କିଣିବା ପାଇଁ ଅର୍ଥ କେଉଁଠୁ ଆସିଥିଲା, ଅଧିକାରୀଙ୍କ ଆୟ ଅନୁସାରେ ତାହା କିଣାଯାଇଛି କି ନାହିଁ, ସେ ନେଇ ତଦନ୍ତ ଆରମ୍ଭ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।