Images and Symbols: ବହୁବଚନ: ପ୍ରତିମା ଓ ପ୍ରତୀକ
"ବିଜୟ ନାୟକ ଦେଶ ଏକ ନାମବାଚକ ଶବ୍ଦ କେବଳ ନୁହେଁ, ଗୁଣବାଚକ ଅବଧାରଣ ମଧ୍ୟ।
କାନ୍ଥରେ ଟଙ୍ଗା ହୋଇଥିବା ମାନଚିତ୍ର କ"ଣ ଦେଶ?
ନା, ମାନଚିତ୍ର ଆଢୁଆଳରେ ଥିବା ଜୀବନ ପ୍ରବାହ ହିଁ ଦେଶର ସ୍ପନ୍ଦନ।
ଏହି ପରିପ୍ରେକ୍ଷୀରେ ଭାରତ କହିଲେ କ"ଣ କେତୋଟି ପ୍ରଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳର ସମାହାର ମାତ୍ର?
ଏହା ଅବଶ୍ୟ ଭାରତର ଭୌତିକ ଅବସ୍ଥିତି।
କିନ୍ତୁ ଭାରତ କହିଲେ ପୃଥିବୀର ସର୍ବବୃହତ୍ ଗଣରାଜ୍ୟ ଓ ସବୁଠୁଁ ବଡ଼ ସଂବିଧାନକୁ ବୁଝାଏ।
ବୁଝାଏ ମଧ୍ୟ ଗଣତନ୍ତ୍ରର ଆଦିଭୂମିକୁ ଏବଂ ବେଦ, ଉପନିଷଦ, ରାମାୟଣ ଓ ମହାଭାରତର ସର୍ଜନା କ୍ଷେତ୍ରକୁ।
ନାନାବିଧ କଳା, କାରିଗରି, ଜ୍ଞାନ ଓ ବିଜ୍ଞାନର ଉତ୍ପତ୍ତିସ୍ଥଳୀ ବି ଭାରତ।
ଭାରତର ଏବଂ ସେହିକ୍ରମରେ ଯେ କୌଣସି ଦେଶର ଗୁଣ, ଗରିମା, ସ୍ଥିତି ଓ ଗତିକୁ ଅତି ସଂକ୍ଷେପରେ ପରିପ୍ରକାଶ କରିବାର ଉପାୟ କ"ଣ?
ଏହି ପରିପ୍ରକାଶ ପୁଣି ଏପରି ହେବା ଆବଶ୍ୟକ ଯାହା ସେହି ଦେଶର ପରିଚୟକୁ ପ୍ରଗାଢ଼ ଓ ପ୍ରାଞ୍ଜଳ କରୁଥିବ।Advertisment Annual function: "ବରିଷ୍ଠ ନାଗରିକ ସମାଜର ଅମୂଲ୍ୟ ସମ୍ପଦ" କୌଣସି ଏକ ଦେଶ ଅଛି କି ପୃଥିବୀରେ ଯାହାର ଜାତୀୟ ପତାକା ନାହିଁ?
ଜାତୀୟ ସଙ୍ଗୀତ ନାହିଁ?
ଜାତୀୟ ପ୍ରତୀକ ବା ଏମ୍ବଲମ୍ ନାହିଁ?
ପ୍ରତି ଦେଶ ନିଜର ପତାକା, ସଙ୍ଗୀତ ଓ ପ୍ରତୀକ ମାଧ୍ୟମରେ ନିଜର ଅସ୍ତିତ୍ବକୁ ପ୍ରତିପାଦିତ କରେ ଏବଂ ଅସ୍ମିତାକୁ ପ୍ରକଟ କରେ।
ଆମ ପତାକାର ତିନି ରଙ୍ଗ ଗୈରିକ, ଧବଳ ଓ ସବୁଜ ଯଥାକ୍ରମେ ସାହସ, ଶାନ୍ତି ଓ ଭ୍ରାତୃତ୍ବର ସନ୍ଦେଶ ବହନ କରନ୍ତି ଏବଂ ମଧ୍ୟସ୍ଥ ଅଶୋକ ଚକ୍ର ବା ଧର୍ମ ଚକ୍ର ନିରନ୍ତର ପ୍ରଗତିର ପରିଚାୟକ।
ସେହିପରି ଆମ "ଜାତୀୟ ସଙ୍ଗୀତ" ବିବିଧତାରେ ଏକତାର ମନ୍ଦ୍ର ଧ୍ୱନି ତ ଆମ "ଜାତୀୟ ଗୀତିକା" ଦେଶ ବନ୍ଦନାର ମଧୁର ମୂର୍ଚ୍ଛନା।
ଆଉ ଭାରତ ଶାସନର ପ୍ରତୀକ?
ସାରନାଥର ଐତିହାସିକ ଅଶୋକ ସ୍ତମ୍ଭ ଆମ ମହାଜାତୀୟତାର ସଙ୍କେତ।
ସେଥିରେ ଖୋଦିତ ଚାରିଗୋଟି ସିଂହ ମୂର୍ତ୍ତି ଶକ୍ତି, ସାହସ, ସ୍ବାଭିମାନ ଓ ଆସ୍ଥାର ପ୍ରତୀକ ତ ତହିଁ ଉଲ୍ଲିଖିତ "ସତ୍ୟମେବ ଜୟତେ" ବାଣୀ ମୁଣ୍ଡକ ଉପନିଷଦରୁ ଆନୀତ, ଯାହାର ଅର୍ଥ ସତ୍ୟର ବିଜୟ ଅବଶ୍ୟମ୍ଭାବୀ।
ଆମ ପତାକା, ସଙ୍ଗୀତ ଓ ପ୍ରତୀକରେ ଭାରତର ସଭ୍ୟତାଗତ ଶାଶ୍ବତ ମୂଲ୍ୟବୋଧର ପ୍ରତିଫଳନ ପରିଦୃଷ୍ଟ ହୁଏ।
ଓଡ଼ିଶା ଶାସନର ପ୍ରତୀକ ମଧ୍ୟ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ।
ଜାତୀୟ ଚିହ୍ନକୁ ଅକ୍ଷତ ରଖାଯାଇ କୋଣାର୍କର ଅଶ୍ବ ଅଙ୍କିତ ଏହି ପ୍ରତୀକରେ।
ଉଲ୍ଲେଖନୀୟ ଯେ ଅଶ୍ବ ଦିଗ୍ବିଜୟର ସ୍ମାରକ।ଏମିତି ପୃଥିବୀର ପ୍ରତି ଦେଶର ପ୍ରତୀକ ତା"ର ପରିଚୟ।
ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ପତାକାରେ ପଚାଶଟି ତାରକା ସ୍ଥାନିତ।
ପଚାଶଟି ତାରକା ପଚାଶଗୋଟି ରାଜ୍ୟର ପ୍ରତିନିଧିତ୍ବ କରନ୍ତି।
ହିନ୍ଦୁବହୁଳ ନେପାଳର ଜାତୀୟ ପତାକା ହିନ୍ଦୁ ମନ୍ଦିରର ଧ୍ବଜା ପରି।
ସେମିତି ଶ୍ରୀଲଙ୍କାର ପତାକାରେ ତା"ର ପୂର୍ବନାମ ସିଂହଳ ଅନୁଯାୟୀ ଅଙ୍କିତ ସିଂହ ଚିହ୍ନ ଶୌର୍ଯ୍ୟର ନିଦର୍ଶନ।
ତୁର୍କୀ, ମାଲେସିଆ, ଆଲଜେରିଆ ଆଦି ଦେଶର ପତାକାରେ ଅର୍ଦ୍ଧ ଚନ୍ଦ୍ର ସହିତ ତାରକା ଖଚିତ ଯାହା ସେହି ଦେଶର ଧର୍ମ, ସଂସ୍କୃତି ଓ ସାହିତ୍ୟର ପ୍ରତିବିମ୍ବ।
ଜାପାନର ଜାତୀୟ ପତାକା ମଣ୍ଡିତ ସୂର୍ଯ୍ୟ ସେ ଦେଶର ସୁଦୀର୍ଘ ସୂର୍ଯ୍ୟ ଉପାସନା ପରମ୍ପରାର ଦ୍ୟୋତକ।
Education: ସମାଜ ଆମ ଯୋଗାଯୋଗ ପଦ୍ଧତିକୁ ଆକାର ଦେଇଥାଏ: ଶ୍ରୀ ଅଖିଳ କୁମାର ମିଶ୍ର ଦେଶ ବ୍ୟତୀତ ପ୍ରସିଦ୍ଧ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡ଼ିକର ମଧ୍ୟ ନିଜସ୍ବ ପତାକା ଓ ପ୍ରତୀକ ରହିଛି।
ମିଳିତ ଜାତିସଂଘ ପୃଥିବୀବାସୀଙ୍କର ଏକ ସୁଦୃଢ଼ ସଙ୍ଗଠନ।
ଏହି ସଂସ୍ଥାର ପତାକାରେ ଚିତ୍ରିତ ନୀଳ ଆକାଶର ମଧ୍ୟଭାଗରେ ସମଦୂରତ୍ବ ନୀତି ଆଧାରିତ ପୃଥିବୀର ମାନଚିତ୍ର।
ପତାକାଟି ବିଶ୍ବ ଶାନ୍ତି, ବୈଶ୍ୱିକ ଏକତା ଓ ଆନ୍ତର୍ଜାତିକ ସହଯୋଗ ପରି ଉଚ୍ଚ ଆଦର୍ଶର ବାହକ।
ଦେଶ ଓ ବିଦେଶର ପ୍ରାୟ ସବୁ ବିଶ୍ବବିଦ୍ୟାଳୟର ନିଜର ପ୍ରତୀକ ବା ଲୋଗୋ ରହିଛି।
ଏପରି ପ୍ରତୀକରେ କେଉଁଠି ଲେଖନୀ ଓ ପୁସ୍ତକ ତ କେଉଁଠି ପ୍ରଦୀପ ପୁଣି ଆଉ କେଉଁଠି ସମୁଦ୍ର ତରଙ୍ଗ ବା ପର୍ବତମାଳାର ଚିତ୍ର ସୃଜିତ।ଲୋଗୋଗୁଡ଼ିକରେ ବିଶ୍ବବିଦ୍ୟାଳୟର ଆଦର୍ଶ ଓ ଆଭିମୁଖ୍ୟ ଅନୁରୂପ ଧ୍ୟେୟବାକ୍ୟ ମଧ୍ୟ ଉଦ୍ଧୃତ।
ସୁତରାଂ ଏହିସବୁ ପ୍ରତୀକ ମାଧ୍ୟମରେ ବିଶ୍ବବିଦ୍ୟାଳୟଗୁଡ଼ିକ ନିଜନିଜର ଅନନ୍ୟତାକୁ ପରିପ୍ରକାଶ କରନ୍ତି।ପ୍ରତିମାରୁ ପ୍ରତୀକର ପ୍ରୟୋଗ ଶିକ୍ଷା କରାଯାଇଥିବା ଅନୁମାନ ନିରାଧାର ନୁହେଁ।
ଅନେକ ଧର୍ମରେ ପ୍ରତିମା ପୂଜାର ବିଧି ନାହିଁ।
ସେହି ସମସ୍ତ ଧର୍ମ ଦୃଷ୍ଟିରେ ଈଶ୍ବର ସର୍ବବ୍ୟାପୀ, ତେଣୁ ସ୍ବରୂପର ଊର୍ଦ୍ଧ୍ବରେ।
ହିନ୍ଦୁ ଦର୍ଶନରେ ମଧ୍ୟ ଈଶ୍ବରଙ୍କୁ ଅନାଦି, ଅନନ୍ତ ଓ ନିରାକାର ଭାବରେ ବର୍ଣ୍ଣନା କରାଯାଇଛି ଯେମିତି "ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଶୂନ୍ୟ ମଧ୍ୟେ ନିରାକାର" ବା "ନମଇଁ ନୃସିଂହ ଚରଣ, ଅନାଦି ପରମ କାରଣ" ଇତ୍ୟାଦି।
କିନ୍ତୁ ସାଧାରଣ ଜନତା ଶୂନ୍ୟ ସହିତ ସଂଯୁକ୍ତ ହେବା କଷ୍ଟକର ବ୍ୟାପାର।
ଭକ୍ତ ଓ ଭଗବାନ ମଧ୍ୟରେ ସଂଯୋଗକୁ ସୁଗମ କରିବା ପାଇଁ ଭାରତର ମୁନିଋଷିମାନେ ଅସୀମକୁ ସୀମାବଦ୍ଧ କରିଛନ୍ତି ଏବଂ ନିରାକାରକୁ ଆକାର ପ୍ରଦାନ କରିଛନ୍ତି।
ଅତଏବ, ହିନ୍ଦୁ ଦର୍ଶନରେ ଚିତ୍ର ଅନେକ କଥା କହେ, ପ୍ରତିମା ଉହାଡ଼ରେ ଥାଏ ପ୍ରତିଷ୍ଠା ଓ ପରାକାଷ୍ଠାର ଇତିବୃତ୍ତ।
ଅବଶ୍ୟ ଜୈନ ଓ ବୌଦ୍ଧ ଧର୍ମରେ ପ୍ରତିମା ପୂଜାର ବିଧି ବିଦ୍ୟମାନ।
କ୍ରୁଶବିଦ୍ଧ ଯୀଶୁ, ମାତା ମ୍ୟାରି ଓ ଖ୍ରୀଷ୍ଟଧର୍ମର କତିପୟ ବିଶିଷ୍ଟ ସନ୍ଥଙ୍କ ଚିତ୍ର ଓ ପ୍ରତିମା ଗୀର୍ଜା ଆଦିରେ ପ୍ରଦର୍ଶିତ ହୋଇଥିବା ପରିଲକ୍ଷିତ ହୁଏ।
କିନ୍ତୁ ଈଶ୍ବରଙ୍କ ଅଦୃଶ୍ୟ ଅଥଚ ସର୍ବବିଦ୍ୟମାନ ସତ୍ତାକୁ ପ୍ରତିମା ମାଧ୍ୟମରେ ପ୍ରମୂର୍ତ୍ତ କରିବା ପୃଥିବୀର ଜ୍ଞାନ ଭଣ୍ଡାରକୁ ଭାରତୀୟ ମୁନିମନୀଷାର ଅପୂର୍ବ ଅବଦାନ।ସ୍ଥୂଳ ସ୍ଥିତି ସାଙ୍ଗକୁ ସୂକ୍ଷ୍ମ ସାଂସ୍କୃତିକ ବିଭବ ଯେ କୌଣସି ଦେଶର ନିତ୍ୟ ଭୂଷଣ।
ତାହାକୁ ଭିତ୍ତିକରି ଚିତ୍ର ମାଧ୍ୟମରେ ସ୍ୱଦେଶର ପରିଚୟ ପ୍ରତିଷ୍ଠା କରିବା ପାଇଁ ଜାତୀୟ ପତାକା, ଜାତୀୟ ପ୍ରତୀକ ଓ ଜାତୀୟ ସଙ୍ଗୀତ ଆଦିର ସର୍ଜନା।
ଚରିତ୍ରକୁ ଚିତ୍ର ମାଧ୍ୟମରେ ପ୍ରକାଶ କରିବାର କଳା ପୃଥିବୀ ଭାରତଠାରୁ ଶିକ୍ଷା କରିଛି କୁହାଯିବା ଯୁକ୍ତିଯୁକ୍ତ ମନେ ହୁଏ।(ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୪୩୭୧୪୩୮୯୬"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।