India Retain Asian Games Women’s Cricket Gold: ଏସିଆନ୍ ଗେମ୍ସରେ ଭାରତର ପ୍ରଥମ ସ୍ୱର୍ଣ୍ଣ, ମନ୍ଧାନାଙ୍କ ମାଷ୍ଟରକ୍ଲାସ୍

Sep 22, 2026 - 15:12
India Retain Asian Games Women’s Cricket Gold: ଏସିଆନ୍ ଗେମ୍ସରେ ଭାରତର ପ୍ରଥମ ସ୍ୱର୍ଣ୍ଣ, ମନ୍ଧାନାଙ୍କ ମାଷ୍ଟରକ୍ଲାସ୍

ଏସିଆନ୍ ଗେମ୍ସରେ ଭାରତର ପଦକ ଖାତା ଖୋଲିଛି ସ୍ୱର୍ଣ୍ଣରେ। ମହିଳା କ୍ରିକେଟ୍ ଫାଇନାଲରେ ଶ୍ରୀଲଙ୍କାକୁ ଏକପାଖିଆ ଭାବେ ହରାଇ ଭାରତ ହାତେଇଛି ସ୍ୱର୍ଣ୍ଣ ପଦକ। ଏହା ସହିତ ତିନି ବର୍ଷ ପୂର୍ବେ ହାଙ୍ଗଝୋଉରେ ଜିତିଥିବା ଟାଇଟଲ୍‌କୁ ମଧ୍ୟ ଭାରତ ନିଜ ପାଖରେ ରଖିଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲା ଭାରତ। ଆରମ୍ଭରୁ ହିଁ ଶ୍ରୀଲଙ୍କା ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା। ପାୱାରପ୍ଲେ ଶେଷରେ ଭାରତର ସ୍କୋର ଥିଲା ୫୯ ରନ୍‌ ବିନା କୌଣସି ୱିକେଟ୍।

ଦୁଇ ଓପନରଙ୍କ ମଧ୍ୟରେ ହୋଇଥିଲା ୬୦ ବଲ୍‌ରୁ ୯୯ ରନ୍‌ର ଦମଦାର ଭାଗୀଦାରୀ। ଶେଫାଳି ୪୮ ରନ୍ କରି ଭାରତକୁ ଦ୍ରୁତ ଆରମ୍ଭ ଦେଇଥିବା ବେଳେ ମନ୍ଧାନା ୪୫ ବଲ୍‌ରେ ୭୯ ରନ୍ କରିଥିଲେ। ତାଙ୍କ ଇନିଂସ୍‌ରେ ଥିଲା ୫ଟି ଚୌକା ଓ ୭ଟି ଛକା।

ମନ୍ଧାନାଙ୍କ ଏହି ଇନିଂସ୍‌ରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ରେକର୍ଡ। ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୧ ହଜାର ରନ୍ ପୂରଣ କରିଥିବା ପ୍ରଥମ ମହିଳା କ୍ରିକେଟର୍ ହୋଇଛନ୍ତି।

ମନ୍ଧାନା ଆଉଟ୍ ହେବା ପରେ ଇନିଂସ୍‌ର ଶେଷ ଓଭରଗୁଡ଼ିକରେ ଝଡ଼ ତୋଳିଥିଲେ ରିଚା ଘୋଷ। ମାତ୍ର ୨୨ ବଲ୍‌ରେ ଅପରାଜିତ ୪୯ ରନ୍ କରି ସେ ଭାରତର ସ୍କୋରକୁ ୨୧୬ ରନ୍‌ରେ ପହଞ୍ଚାଇଥିଲେ। ଏସିଆନ୍ ଗେମ୍ସ ମହିଳା କ୍ରିକେଟ୍ ଇତିହାସରେ ଏହା ସର୍ବାଧିକ ଦଳୀୟ ସ୍କୋର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।