India Secures Deportation of Narco Kingpin: ଗୁଇନ୍ଦା ଏଜେନ୍ସିର ବଡ଼ ଅପରେସନ୍‌, ତୁର୍କୀରୁ ଭାରତ ଫେରିଲା କୁଖ୍ୟାତ ଡ୍ରଗ୍ସ ମାଫିଆ

Oct 03, 2026 - 13:47
India Secures Deportation of Narco Kingpin: ଗୁଇନ୍ଦା ଏଜେନ୍ସିର ବଡ଼ ଅପରେସନ୍‌, ତୁର୍କୀରୁ ଭାରତ ଫେରିଲା କୁଖ୍ୟାତ ଡ୍ରଗ୍ସ ମାଫିଆ

ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଚାଲାଣ ନେଟୱର୍କ ବିରୋଧରେ ଭାରତୀୟ ଗୁଇନ୍ଦା ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ବଡ଼ ସଫଳତା ମିଳିଛି। ତୁର୍କୀରୁ କୁଖ୍ୟାତ ନିଶାଦ୍ରବ୍ୟ ଚାଲାଣକାରୀ ନବପ୍ରୀତ ସିଂହକୁ ଭାରତକୁ ଫେରାଇ ଅଣାଯାଇଛି। ନିଶାଦ୍ରବ୍ୟ ଚାଲାଣ ମାଧ୍ୟମରେ ଭାରତର ବିଭିନ୍ନ ଅଞ୍ଚଳକୁ ବିପୁଳ ପରିମାଣର ହେରୋଇନ୍ ଓ ସିନ୍ଥେଟିକ୍ ଡ୍ରଗ୍ସ ପଠାଏ ନବପ୍ରୀତ ସିଂହ। ଏହି ଘଟଣାକୁ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଚାଲାଣ ନେଟୱର୍କ ବିରୋଧରେ ଏକ ବଡ଼ ସଫଳତା ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ଅମିତ ଶାହ କହିଛନ୍ତି ଯେ, ତୁର୍କୀରୁ ନିଶାଦ୍ରବ୍ୟ ଚାଲାଣର ମୁଖ୍ୟ ଅଭିଯୁକ୍ତ ନବପ୍ରୀତ ସିଂହକୁ ଭାରତକୁ ଫେରାଇ ଅଣାଯିବା ମୋଦି ସରକାରଙ୍କ ପାଇଁ ଏକ ସଫଳତା। ଏହି ପଦକ୍ଷେପ ଦ୍ୱାରା ବିଦେଶରୁ ପରିଚାଳିତ ନିଶାଦ୍ରବ୍ୟ ଚାଲାଣ ନେଟୱର୍କ ବିରୋଧରେ ଭାରତର ଲଢ଼େଇ ଆହୁରି ମଜବୁତ ହୋଇଛି।

ନବପ୍ରୀତ ସିଂହ ନିଜର ପ୍ରକୃତ ପରିଚୟ ଲୁଚାଇବା ପାଇଁ ଜାଲ ପରିଚୟପତ୍ର ବ୍ୟବହାର କରିଥିଲା। ସେ ‘ନବାବ ବିର୍କ’ ନାମରେ ତୁର୍କୀର ନାଗରିକତା ହାସଲ କରିଥିଲା। ଏହି ନକଲି ପରିଚୟର ଆଢ଼ୁଆଳରେ ରହି ସେ ଆଫଗାନିସ୍ତାନରୁ ଭାରତକୁ ହେରୋଇନ୍ ଓ ମେଥାମ୍‌ପେଟାମିନ୍ ଭଳି ନିଶାଦ୍ରବ୍ୟ ଚାଲାଣ କରୁଥିଲା।

ତଦନ୍ତକାରୀ ସଂସ୍ଥାଗୁଡ଼ିକ ଦୀର୍ଘ ସମୟ ଧରି ତାର ପରିଚୟ ଓ ଗତିବିଧି ଉପରେ ନଜର ରଖିଥିଲେ। ଜାଲ୍ ଦସ୍ତାବିଜ୍ ଓ ବିଦେଶୀ ନାଗରିକତାର ସାହାଯ୍ୟରେ ସେ ନିଜର ପରିଚୟ ଲୁଚାଇ ରଖିଥିଲେ ମଧ୍ୟ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ତାର ପ୍ରକୃତ ପରିଚୟ ଓ ଉପସ୍ଥିତି ଚିହ୍ନଟ କରିଥିଲେ। ପରେ ତୁର୍କୀର କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ତାକୁ ଭାରତକୁ ଫେରାଇ ଆଣିବାର ବ୍ୟବସ୍ଥା କରାଯାଇଥିଲା।

ଅଧିକାରୀଙ୍କ ଅନୁସାରେ, ନବପ୍ରୀତ ସିଂହ ଆଫଗାନିସ୍ତାନରୁ ବିପୁଳ ପରିମାଣର ହେରୋଇନ୍ ଓ କୃତ୍ରିମ ନିଶାଦ୍ରବ୍ୟ ଭାରତର ବିଭିନ୍ନ ଅଞ୍ଚଳକୁ ପଠାଇବା ପାଇଁ ଏକ ବ୍ୟାପକ ଆନ୍ତଃସୀମା ନେଟୱର୍କ ପରିଚାଳନା କରୁଥିଲା। ଏହି ନେଟୱର୍କ ମାଧ୍ୟମରେ ନିଶାଦ୍ରବ୍ୟ ଚାଲାଣ କରାଯାଉଥିବା ଅଭିଯୋଗ ରହିଛି। ତାକୁ ଭାରତକୁ ଫେରାଇ ଅଣାଯିବା ପରେ ହେପାଜତକୁ ନିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।