Indian Women’s Kabaddi Team Win Gold: ଇରାନକୁ ହରାଇ ଇତିହାସ ରଚିଲା ଭାରତ, ଏସିଆନ୍ ଗେମ୍ସରେ ମହିଳା କବାଡ଼ିକୁ ଚତୁର୍ଥ ସ୍ୱର୍ଣ୍ଣ
ମହିଳା କବାଡ଼ିରେ ଚତୁର୍ଥ ଥର ପାଇଁ ଚାମ୍ପିଅନ୍ ହେଲା ଭାରତ। ଫାଇନାଲରେ ଇରାନକୁ ୩୭-୩୪ ପଏଣ୍ଟରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ଦଳ। ପ୍ରଥମ ହାଫ୍ରେ ଭାରତ ୨୨-୧୬ ପଏଣ୍ଟରେ ଆଗରେ ଥିଲା। ଦ୍ୱିତୀୟ ହାଫ୍ରେ ଇରାନ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା। ଏକ ସମୟରେ ଭାରତର ଅଗ୍ରଣୀ ମାତ୍ର ଗୋଟିଏ ପଏଣ୍ଟକୁ କମିଯାଇଥିଲା।
ହେଲେ ଶେଷ ସମୟରେ ଭାରତୀୟ ଖେଳାଳିମାନେ ଭଲ ଡିଫେନ୍ସ କରି ମ୍ୟାଚ୍କୁ ନିଜ ନିୟନ୍ତ୍ରଣରେ ରଖିଥିଲେ। ସଞ୍ଜୁଙ୍କ ଗୁରୁତ୍ୱପୂର୍ଣ୍ଣ ରେଡ୍ ଏବଂ ପୁଷ୍ପା ରାଣାଙ୍କ ଜରୁରୀ ଟ୍ୟାକଲ୍ ଭାରତକୁ ଆଗରେ ରଖିଥିଲା।
ଏହି ବିଜୟ ସହ ଏସିଆନ୍ ଗେମ୍ସରେ ଭାରତ ଚତୁର୍ଥ ଥର ପାଇଁ ମହିଳା କବାଡ଼ିର ସ୍ୱର୍ଣ୍ଣ ଜିତିଛି। ୨୦୧୦ରେ ଏସିଆନ୍ ଗେମ୍ସରେ ମହିଳା କବାଡ଼ି ସାମିଲ ହେବା ପରଠାରୁ ୨୦୧୮କୁ ଛାଡ଼ି ଭାରତ ପ୍ରତିଥର ସ୍ୱର୍ଣ୍ଣ ଜିତିଛି।
ବିଜୟ ପରେ ଭାରତୀୟ ଦଳ ଷ୍ଟାଡିୟମରେ ବିଜୟ ପରିକ୍ରମା କରିବା ସହ ‘ବନ୍ଦେ ମାତରମ୍’ ଗାନ କରିଥିଲା। ଏବେ ପୁରୁଷ କବାଡ଼ି ଦଳ ମଧ୍ୟ ସ୍ୱର୍ଣ୍ଣ ପାଇଁ ମଇଦାନକୁ ଓହ୍ଲାଇବ। ଫାଇନାଲରେ ଭାରତର ମୁକାବିଲା ଇରାନ ସହ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।