India's Company To America's Largest Steel Plant: ଆମେରିକା ଇତିହାସର ସବୁଠୁ ବଡ଼ ଷ୍ଟିଲ୍ ପ୍ଲାଣ୍ଟ, ଖୁସି ହେଲେ ଟ୍ରମ୍ପ
ଆମେରିକାରେ ଭାରତୀୟ ଏସାର୍ ଗ୍ରୁପ୍ର ବଡ଼ ନିବେଶ। ଆମେରିକାର ଆଇଓୱାରେ ୧୫ ବିଲିୟନ୍ ଡଲାର ଖର୍ଚ୍ଚରେ ଏକ ବିଶାଳ ଇସ୍ପାତ କାରଖାନା ନିର୍ମାଣ କରିବ ଏସାର୍ ଗ୍ରୁପ୍। ଏହା ସହିତ ଆମେରିକାରେ କମ୍ପାନୀ ମୋଟ ୧୮ ବିଲିୟନ୍ ଡଲାର ନିବେଶ କରିବାକୁ ଯୋଜନା କରିଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓଭାଲ୍ ଅଫିସ୍ରେ ଏହି ପ୍ରକଳ୍ପ ଘୋଷଣା କରିଛନ୍ତି। ଏସାର୍ ଗ୍ରୁପ୍ର ଆମେରିକୀୟ ସହଯୋଗୀ କମ୍ପାନୀ ମେସାବି ମେଟାଲିକ୍ସ ଏହି ଇସ୍ପାତ କାରଖାନା ନିର୍ମାଣ କରିବ।
ଟ୍ରମ୍ପଙ୍କ କହିବା ଅନୁସାରେ, ଏହା ଆମେରିକା ଇତିହାସର ସବୁଠାରୁ ବଡ଼ ଇସ୍ପାତ କାରଖାନା ହେବ। ୨୦୩୦ ମସିହାରୁ ଏଠାରେ ଉତ୍ପାଦନ ଆରମ୍ଭ ହେବା ଯୋଜନା ରହିଛି। ସମ୍ପୂର୍ଣ୍ଣ କ୍ଷମତାରେ ଏହି କାରଖାନାରୁ ପ୍ରତିବର୍ଷ ପ୍ରାୟ ୧ କୋଟି ଟନ୍ ଇସ୍ପାତ ଉତ୍ପାଦନ ହେବ।
କାରଖାନା ପାଇଁ ଆବଶ୍ୟକ ଲୁହାପଥର ମିନେସୋଟାରେ ଥିବା ଏସାର୍ର ଖଣି ପ୍ରକଳ୍ପରୁ ଆସିବ। କମ୍ପାନୀ ଅନୁସାରେ, ଇସ୍ପାତ ଉତ୍ପାଦନର ସମ୍ପୂର୍ଣ୍ଣ ପ୍ରକ୍ରିୟା ଆମେରିକା ଭିତରେ ହିଁ କରାଯିବ। ଏହି ଘୋଷଣା ପରେ ମେସାବି ମେଟାଲିକ୍ସର ଅଧ୍ୟକ୍ଷ ରେୱନ୍ତ ରୁଇଆ ଆମେରିକାରେ ଉତ୍ପାଦନ କ୍ଷେତ୍ରକୁ ଗୁରୁତ୍ୱ ଦେବା ପାଇଁ ଟ୍ରମ୍ପ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।
ଭାରତରେ ଏସାର୍ ଗ୍ରୁପ୍ ୧୯୬୯ ମସିହାରେ ଶଶୀ ରୁଇଆ ଓ ରବି ରୁଇଆଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଏନର୍ଜି, ଖଣି, ଇସ୍ପାତ ସମେତ ବିଭିନ୍ନ କ୍ଷେତ୍ରରେ କମ୍ପାନୀର ବ୍ୟବସାୟ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।