India’s Exports to China Are Rising: ଚୀନ୍କୁ ଭାରତୀୟ ସାମଗ୍ରୀ ରପ୍ତାନିରେ ବଡ଼ ବୃଦ୍ଧି, ଜାଣନ୍ତୁ କାରଣ
ଚୀନ୍କୁ ଭାରତୀୟ ସାମଗ୍ରୀ ରପ୍ତାନିରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଚୀନ୍କୁ ଭାରତର ରପ୍ତାନି ପ୍ରାୟ ୪୦ ପ୍ରତିଶତ ବଢ଼ିଛି। ଏଥିରେ ଇଲେକ୍ଟ୍ରୋନିକ୍ସ ଓ ଇଞ୍ଜିନିୟରିଂ ସାମଗ୍ରୀର ବଡ଼ ଭୂମିକା ରହିଛି। ସ୍ମାର୍ଟଫୋନ୍, ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ ଆସେମ୍ବ୍ଲି, ଡିସ୍ପ୍ଲେ ମଡ୍ୟୁଲ୍ ଓ ଟେଲିକମ୍ ଉପକରଣ ରପ୍ତାନି ବଢ଼ିଛି। ଗତ ଆର୍ଥିକ ବର୍ଷରେ ଚୀନ୍କୁ ଇଲେକ୍ଟ୍ରୋନିକ୍ସ ରପ୍ତାନି ପ୍ରାୟ ତିନିଗୁଣ ବଢ଼ି ୩.୧୮ ବିଲିୟନ୍ ଡଲାରରେ ପହଞ୍ଚିଥିଲା।
ବିଶେଷଜ୍ଞଙ୍କ ମତରେ, ଏଆଇ ଓ ଡାଟା ସେଣ୍ଟର ପାଇଁ ଉଚ୍ଚମାନର ଉପକରଣର ବଢ଼ୁଥିବା ଚାହିଦା ଏହି ବୃଦ୍ଧିର ଏକ କାରଣ। ଏପ୍ରିଲ୍ରୁ ଅଗଷ୍ଟ ମଧ୍ୟରେ ଚୀନ୍କୁ ଭାରତର ଇଲେକ୍ଟ୍ରୋନିକ୍ସ ରପ୍ତାନି ୧୫ ପ୍ରତିଶତରୁ ଅଧିକ ବଢ଼ିଛି। କେବଳ ଇଲେକ୍ଟ୍ରୋନିକ୍ସ ନୁହେଁ, ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନି ମଧ୍ୟ ପ୍ରାୟ ୨୧ ପ୍ରତିଶତ ବଢ଼ିଛି। ଏଥିରେ ମେସିନାରୀ, ଅଟୋ କମ୍ପୋନେଣ୍ଟ ଓ ହ୍ୟାଣ୍ଡ ଟୁଲ୍ସ ଭଳି ସାମଗ୍ରୀ ରହିଛି।
ତେବେ ରପ୍ତାନି ବଢ଼ିଥିଲେ ମଧ୍ୟ ଭାରତ-ଚୀନ୍ ବାଣିଜ୍ୟ ଅସନ୍ତୁଳନରେ ଏହାର ପ୍ରଭାବ ଏବେ ବି ସୀମିତ। ଗତ ଆର୍ଥିକ ବର୍ଷରେ ଭାରତ ଚୀନ୍ରୁ ୧୩୧.୬ ବିଲିୟନ୍ ଡଲାରର ସାମଗ୍ରୀ ଆମଦାନି କରିଥିବା ବେଳେ, ଚୀନ୍କୁ ଭାରତୀୟ ରପ୍ତାନି ତାହାଠାରୁ ବହୁତ କମ୍ ରହିଛି।
ଅର୍ଥାତ୍, ଚୀନ୍ ବଜାରରେ ‘ମେଡ୍ ଇନ୍ ଇଣ୍ଡିଆ’ର ଚାହିଦା ବଢ଼ୁଥିବା ସଙ୍କେତ ମିଳୁଛି, କିନ୍ତୁ ବାଣିଜ୍ୟ ନିଅଣ୍ଟ କମାଇବା ପାଇଁ ଭାରତକୁ ଆହୁରି ଦୂର ବାଟ ଯିବାକୁ ପଡ଼ିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।