15 SEPTEMBER 2026

Welcome!

Unlock your personalized experience.
Sign Up

Indigenous paddy: ହଜିଯାଉଛି ଦେଶୀ ଧାନ ବିହନ: ରାସାୟନିକ ସାର ବ୍ୟବହାରରୁ କମୁଛି ମାଟିର ଉର୍ବରତା

Sep 15, 2026 - 04:32
Indigenous paddy: ହଜିଯାଉଛି ଦେଶୀ ଧାନ ବିହନ: ରାସାୟନିକ ସାର ବ୍ୟବହାରରୁ କମୁଛି ମାଟିର ଉର୍ବରତା

ଜୟପୁର: ଅଧିକ ଓ କମ୍ ସମୟରେ ଅମଳ ଆଶାରେ ଚାଷୀଙ୍କ ମଧ୍ୟରେ ହାଇବ୍ରିଡ୍‌ ବିହନର ଚାହିଦା ବଢ଼ିଛି। ଏହା ସହ ଡିଏପି, ୟୁରିଆ ଓ ପଟାସ୍‌ ଭଳି ରାସାୟନିକ ସାର ବ୍ୟବହାର ମାତ୍ରା ମଧ୍ୟ ବଢ଼ିଛି। ଫଳରେ ଜୈବ ବିବିଧତାରେ ସମୃଦ୍ଧ କୋରାପୁଟର ସଂରକ୍ଷିତ ଦେଶୀଧାନ ବିହନ ଏବେ ସଂକଟରେ। ମାଟିର ଉର୍ବରତା କମୁଥିବାରୁ ଅନେକ ପାରମ୍ପରିକ କିସମ ବିହନ ବ୍ୟବହାର ମଧ୍ୟ ସୀମିତ ହୋଇଯାଇଛି। 

EPFO: ଇପିଏଫ୍‌ଓର ହ୍ବାଟ୍‌ସଆପ୍‌ ଚ୍ୟାନେଲ୍‌ ଆରମ୍ଭ: ହାତପାଆନ୍ତାରେ ମିଳିବ ସୂଚନା

ଏକଦା ପାହାଡ଼ିଆ ଓ ଉପତ୍ୟକା ଅଞ୍ଚଳରେ ସ୍ଥାନୀୟ ମାଟି ଓ ଜଳବାୟୁ ସହ ଖାପ ଖାଉଥିବା ବିଭିନ୍ନ ଦେଶୀଧାନ ଚାଷ ହେଉଥିଲା। ଚାଷୀ ନିଜ ଅମଳରୁ ବିହନ ବାଛି ସଂରକ୍ଷଣ କରି ପରବର୍ତ୍ତୀ ଋତୁରେ ବ୍ୟବହାର କରୁଥିଲେ। ଜୟପୁର ନିକଟସ୍ଥ ବାଟଜଗନ୍ନାଥପୁର ଗ୍ରାମର ଅନୁଭବୀ ଚାଷୀ ମୁକୁନ୍ଦ ଜାନୀଙ୍କ କହିବାନୁସାରେ, ପୂର୍ବରୁ ଗୋବର ଓ ଖତ ବ୍ୟବହାର କରି ଜମିର ଉର୍ବରତା ବଜାୟ ରଖାଯାଉଥିଲା। ଏବେ ସମସ୍ତେ ରାସାୟନିକ ସାର ଉପରେ ନିର୍ଭରଶୀଳ। ବର୍ତ୍ତମାନ ସମୟରେ ଅସନ୍ତୁଳିତ ସାର ପ୍ରୟୋଗ ମାଟିର ଜୈବିକ ଗୁଣ ଓ ଉର୍ବରତାକୁ ପ୍ରଭାବିତ କରୁଛି। ସେପଟେ ଅମଳ ଓ ବଜାର ଚାହିଦା ଯୋଗୁଁ ଆଡଭେଣ୍ଟା, ଡିଟି, ୧୧୫୬, ୧୧୫୩ ଓ ୧୦୧୦ ଭଳି ହାଇବ୍ରିଡ୍‌ ଓ ସରକାରୀ ରିସର୍ଚ୍ଚ କିସମ ଚାଷୀଙ୍କୁ ଆକର୍ଷିତ କରୁଛି। ବାଉଁଶୁଣିମୁଣ୍ଡି, ଭାଲୁ ଧାନ, ହଳଦୀ ଧାନ, ଗଦାକୁଟା, ବାଗୁରିଚୁରି, ଆସାମଚୁରି ଓ ପାତ୍ରା ଧାନ ଭଳି ପାରମ୍ପରିକ କିସମର ଚାଷ ହ୍ରାସ ପାଇଛି। ତଥାପି ଗ୍ରାମର ମୁକୁନ୍ଦ ଓ ଲୋକନାଥଙ୍କ ଭଳି କିଛି ଚାଷୀ ‘ପାରିଜାତ’, ‘ବାୟା ଅଳସୀ’ ଓ ‘ଯଯାତି’ କିସମ ଦେଶୀଧାନ ଚାଷ କରୁଛନ୍ତି। ‌

Man Dies of Electric Shock ଷଣ୍ଢ ପାଇଁ ବିଦ୍ୟୁତ୍‌ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ବୃଦ୍ଧ ମୃତ

କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ‘କଳା ଜିରା’ ଓ ‘ଲିକିଟିମାଛି’ ଭଳି ସୁଗନ୍ଧିତ ଦେଶୀଧାନ ଚାଷ ଏ ଅଞ୍ଚଳର ସମୃଦ୍ଧ କୃଷି ପରମ୍ପରାର ଏକ ଅନନ୍ୟ ପରିଚୟ। ସୁଗନ୍ଧ, ସ୍ୱାଦ ଓ ସ୍ଥାନୀୟ ପରିବେଶ ସହ ଖାପ ଖୁଆଇବାର କ୍ଷମତା ଏହି କିସମର ବିଶେଷତା। ଧୀରେ ଧୀରେ ଦେଶୀବିହନ ବ୍ୟବହାର ହ୍ରାସ ପାଇବା ଯୋଗୁଁ ପାରମ୍ପରିକ କୃଷିଜ୍ଞାନ ଓ ଜୈବ ବିବିଧତା ମଧ୍ୟ ବିପଦରେ। ଜଳବାୟୁ ପରିବର୍ତ୍ତନର ଆହ୍ବାନ ମଧ୍ୟରେ ସ୍ଥାନୀୟ ପରିବେଶରେ ଖାପ ଖୁଆଉଥିବା ଏହି ବିହନ ଭବିଷ୍ୟତ ପିଢ଼ିର ଚାଷୀଙ୍କ ପାଇଁ ମୂଲ୍ୟବାନ ହୋଇପାରେ। ତେଣୁ ଲୁପ୍ତପ୍ରାୟ କିସମର ସର୍ଭେ, ଚିହ୍ନଟ ଓ ସଂରକ୍ଷଣ ସହ ବିହନ ବ୍ୟାଙ୍କ ପ୍ରତିଷ୍ଠା, ଚାଷୀଙ୍କୁ ପ୍ରୋତ୍ସାହନ ଏବଂ ଦେଶୀଧାନ ପାଇଁ ଉଚିତ ବଜାର ସୃଷ୍ଟି କରିବା ଆବଶ୍ୟକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।