Indus River Check Dam: ଲଦାଖରେ ଭାରତର ପ୍ରଥମ ରକ୍ ଡ୍ୟାମ୍, ପାକିସ୍ତାନକୁ ଗଲା କଡ଼ା ବାର୍ତ୍ତା
"ନୂଆଦିଲ୍ଲୀ: ସିନ୍ଧୁ ନଦୀର ଜଳକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନର ବିବାଦ ଚାଲିଆସୁଛି।
ଏହାରି ମଧ୍ୟରେ ଲଦାଖରେ ଭାରତ ନିର୍ମାଣ କରିଛି ନିଜର ପ୍ରଥମ ରକ୍ ଡ୍ୟାମ୍।
ଏହି ପ୍ରକଳ୍ପ କେବଳ ଏକ ଜଳସେଚନ ବ୍ୟବସ୍ଥା ନୁହେଁ, ବରଂ ଭାରତର ଜଳ ନୀତି ଏବଂ ସୀମାନ୍ତ ରଣନୀତିର ଏକ ନୂଆ ଅଧ୍ୟାୟ ବୋଲି କୁହାଯାଉଛି।
ସ୍ଥାନୀୟ ଚାଷୀଙ୍କ ପାଇଁ ଏହା ଆଶୀର୍ବାଦ ସଦୃଶ ହୋଇଥିବା ବେଳେ ପାକିସ୍ତାନ ପାଇଁ ଏହା ଏକ ସ୍ପଷ୍ଟ ସନ୍ଦେଶ ମଧ୍ୟ ଦେଇଛି।
ଲଦାଖର ଅନେକ ଅଞ୍ଚଳରେ ବର୍ଷ ବର୍ଷ ଧରି ଚାଷୀମାନେ ଜଳ ଅଭାବରେ ହଇରାଣ ହେଉଥିଲେ।
ସିନ୍ଧୁ ନଦୀ ଗଭୀର ଖାତ ମଧ୍ୟରେ ପ୍ରବାହିତ ହେଉଥିବାରୁ ନଦୀରୁ ଚାଷ ଜମିକୁ ପାଣି ପହଞ୍ଚାଇବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା।
ଫଳରେ ଅନେକ ଜମି ଅନାବାଦୀ ହୋଇପଡ଼ୁଥିଲା ଏବଂ ଚାଷୀମାନେ ଆର୍ଥିକ କ୍ଷତି ସହୁଥିଲେ।ଏହି ସମସ୍ୟାର ସମାଧାନ ପାଇଁ ନିର୍ମିତ ହୋଇଛି ଏହି ରକ୍ ଡ୍ୟାମ୍।Advertisment Ladakh: ଲଦାଖ ପାଇଁ ବଡ଼ ଯୋଜନା: ଅନୁଚ୍ଛେଦ ୩୭୧ ଭଳି ସାମ୍ବିଧାନିକ ସୁରକ୍ଷାକୁ ନେଇ ବଢ଼ିଲା ଚର୍ଚ୍ଚା ପ୍ରାୟ ୪ କୋଟି ଲିଟର ଜଳ ସଞ୍ଚୟ କରିବାର କ୍ଷମତା ଥିବା ଏହି ପ୍ରକଳ୍ପ ମାଧ୍ୟମରେ ଇଗୁ ଫେ ଜଳସେଚନ କେନାଲକୁ ପାଣି ଯୋଗାଣ ହେବ।
ଏହା ଦ୍ୱାରା ଶୁଖିଲା ପଡ଼ିଥିବା ଚାଷ ଜମିରେ ପୁଣି ସବୁଜିମା ଫେରିବା ଆଶା କରାଯାଉଛି।ତେବେ ଏହି ପ୍ରକଳ୍ପର ଗୁରୁତ୍ୱ କେବଳ କୃଷି କ୍ଷେତ୍ରରେ ସୀମିତ ନୁହେଁ।
ସିନ୍ଧୁ ଜଳ ଚୁକ୍ତିକୁ ନେଇ ତିକ୍ତତା ମଧ୍ୟରେ ଭାରତ ନିଜ ଅଞ୍ଚଳରେ ନଦୀ ଜଳର ସର୍ବାଧିକ ବ୍ୟବହାର କରିବା ଦିଗରେ ଅଗ୍ରସର ହେଉଛି।
ବିଶେଷଜ୍ଞମାନଙ୍କ ମତରେ, ଏହି ରକ୍ ଡ୍ୟାମ୍ ପାକିସ୍ତାନକୁ ଏହା ଜଣାଇ ଦେଇଛି ଯେ ଭାରତ ନିଜ ଜଳ ସମ୍ପଦର ସୁରକ୍ଷା ଓ ବ୍ୟବହାରକୁ ଏବେ ସର୍ବୋଚ୍ଚ ପ୍ରାଥମିକତା ଦେଉଛି।ଏହା ସହ ଲଦାଖ ପ୍ରଶାସନ ସିନ୍ଧୁ ନଦୀରେ ଆହୁରି ୩୬ଟି ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛି।
୫୬ କୋଟି ଟଙ୍କାରୁ ଅଧିକ ବ୍ୟୟର ଏହି ଯୋଜନା ସଫଳ ହେଲେ ସୀମାନ୍ତ ଅଞ୍ଚଳରେ ଜଳ ସୁରକ୍ଷା, କୃଷି ଉତ୍ପାଦନ ଓ ସ୍ଥାନୀୟ ଅର୍ଥନୀତିରେ ବଡ଼ ପରିବର୍ତ୍ତନ ଆସିପାରେ।
ସିନ୍ଧୁ ନଦୀକୁ ନେଇ ଭାରତର ଏହି ନୂଆ ପଦକ୍ଷେପ ବର୍ତ୍ତମାନ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।