Investment: ‘ଛୋଟ ବୟସରୁ ସଞ୍ଚୟ-ନିବେଶ ନେଇ ଅଭ୍ୟାସ କଲେ ଭବିଷ୍ୟତରେ କୋଟିପତି ସ୍ବପ୍ନ ସାକାର ହେବ’

Aug 25, 2026 - 18:07
Investment: ‘ଛୋଟ ବୟସରୁ ସଞ୍ଚୟ-ନିବେଶ ନେଇ ଅଭ୍ୟାସ କଲେ ଭବିଷ୍ୟତରେ କୋଟିପତି ସ୍ବପ୍ନ ସାକାର ହେବ’

"ନୂଆଦିଲ୍ଲୀ: ଆମେରିକାରେ ଅବସ୍ଥାପିତ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା, ମିଡିଆ ଉଦ୍ୟୋଗୀ ଏବଂ ୱାର୍ଲଡ଼ ଓମ୍ୟାନ ଫାଉଣ୍ଡେସନ (ଡବ୍ଲୁଡବ୍ଲୁଏଫ)ର ସିଇଓ ରୂପା ଦାଶ ସମ୍ପ୍ରତି ନୂଆଦିଲ୍ଲୀର କାଲକା ପବ୍ଲିକ ସ୍କୁଲ ଠାରେ ବାଳିକାମାନଙ୍କର ଆର୍ଥିକ ସ୍ୱାଧୀନତା ଉପରେ ଏକ କର୍ମଶାଳା ଆୟୋଜନ କରିଛନ୍ତି।

ଏହି ପ୍ରୟାସ ଭାରତର ୮୦ ବର୍ଷର ସ୍ୱାଧୀନତା ଉତ୍ସବ ଅବସରରେ ଦେଶର ୮ କୋଟି କିଶୋରୀଙ୍କର ଆର୍ଥିକ ସ୍ୱାଧୀନତା ଓ ମାଲିକାନା ଅଧିକାରକୁ ସୁନିଶ୍ଚିତ କରିବା ନେଇ ୱାର୍ଲଡ଼ ଓ଼ମ୍ୟାନ ଫାଉଣ୍ଡେସନ‌ ତରଫରୁ ଆରମ୍ଭ କରାଯାଇଥିବା ମହାଅଭିଯାନର ଏକ ଅଂଶ ବିଶେଷ ଥିଲା।

Advertisment ଏଠାରେ ଟଙ୍କାର ଅସଲ କରାମତି ଉପରେ ପରଦାଫାସ କରିବା ,କିଶୋରୀମାନଙ୍କର  ଅର୍ଥନୈତିକ ଦୃଷ୍ଟିକୋଣକୁ ସହଜ ସାଧ୍ୟ କରିବା ଏବଂ ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ହାସଲ କରିବା ପାଇଁ ବ୍ୟବହାରିକ ଦକ୍ଷତା ପ୍ରଦାନ କରିବା ଉପରେ ଆଲୋଚନା ହୋଇଥିଲା। "କିପ୍ ଇଟ୍ ଗ୍ରୋ ଇଟ୍" ଶୀର୍ଷକ ଏହି ଏକ ଘଣ୍ଟାବ୍ୟାପୀ ମତାମତ ଆଦାନ ପ୍ରଦାନ ଅଧିବେଶନ ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା।

କର୍ମଶାଳାରେ ଉପହାର, ପକେଟ ଖର୍ଚ୍ଚ, ଛାତ୍ରବୃତ୍ତି ଓ ପୁରସ୍କାର ଭାବେ ମିଳୁଥିବା ଛୋଟ ଛୋଟ ରାଶିକୁ ସଞ୍ଚୟ ଓ ନିବେଶ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା।

ଡବ୍ଲୁଡବ୍ଲୁଏଫ"ର ଯୁବ ଶାଖାର ବିଶ୍ୱ ମୁଖ୍ୟ ଏବଂ "କିପ୍ ଇଟ୍ ଗ୍ରୋ ଇଟ୍" ଉଦ୍ୟମର ସଂସ୍ଥାପିକା ଓ ସୃଜନଶୀଳ ନିର୍ଦ୍ଦେଶିକା ଆୟାତୀ ଦାଶ କର କର୍ମଶାଳାର ସହ-ପରିଚାଳକ ଥିଲେ।

Investor: ବିଦେଶୀ ନିବେଶକ କିଣିଲେଣି ୨୩,୫୪୪ କୋଟିର ସେୟାର ଚକ୍ରବୃଦ୍ଧି ଶକ୍ତିର ବ୍ୟବହାର କରି ସାମାନ୍ୟ ସଞ୍ଚୟକୁ ମଧ୍ୟ ନିୟମିତ ଭାବେ ନିବେଶ କରାଗଲେ ଏହା କିଭଳି  ସମୟକ୍ରମେ ବୃହତ ଆର୍ଥିକ ସମ୍ପତ୍ତିରେ ପରିଣତ ହୋଇପାରେ ତାହା କର୍ମଶାଳାରେ ଦର୍ଶାଯାଇଥିଲା।

ଆର୍ଥିକ ଆତ୍ମବିଶ୍ୱାସ କିପରି ଉତ୍ତମ ଶିକ୍ଷାର ସୁଯୋଗ, ସଠିକ କ୍ୟାରିଅର ପସନ୍ଦ ଉପଲବ୍ଧ , ଉତ୍ପାଦକ ଉଦ୍ୟୋଗିତା ର ଅବସର ଓ ଦୀର୍ଘକାଳୀନ ଆର୍ଥିକ ସୁରକ୍ଷା ପ୍ରଦାନ କରିପାରେ, ସେସମ୍ପର୍କରେ ଛାତ୍ରୀମାନେ ବିସ୍ତୃତ ଭାବେ ଚର୍ଚ୍ଚା କରିଥିଲେ।

କର୍ମଶାଳାକୁ ସମ୍ବୋଧନ କରି ଆୟାତୀ ଦାଶ କର ବାସ୍ତବ ଜୀବନର ବହୁ ପ୍ରକୃଷ୍ଟ ଦୃଷ୍ଟାନ୍ତ  ଓ ଆକର୍ଷଣୀୟ ଉଦାହରଣମାନ ଦର୍ଶାଇ ଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ।

ଜୀବନ ଧାରଣକୁ ସଶକ୍ତ ଓ ସହଜ କରିବା ପାଇଁ ସଞ୍ଚୟ, ନିବେଶ ଓ ଆର୍ଥିକ ଯୋଜନାକୁ ପ୍ରାଥମିକତା ପ୍ରଦାନ କରାଯିବାକୁ ସୁଶ୍ରୀ କର ମତ ପ୍ରକାଶ କରିଥିଲେ।

ନିଜେ ଜଣେ  ଯୁବ ଉଦ୍ୟୋଗୀ ଓ ସୃଜନଶୀଳ ପ୍ରତିଭା ଭାବରେ ପ୍ରତିଷ୍ଠିତ ହୋଇଥିବାର ପୃଷ୍ଠଭୂମି କୁ ସୂଚାଇ ସେ ବାଳିକା ମାନଙ୍କୁ ଆର୍ଥିକ ଭାବେ ସ୍ୱାଧୀନ ଓ ଭବିଷ୍ୟତରେ ନେତୃତ୍ୱ ନେବା ପାଇଁ ଆବଶ୍ୟକୀୟ ଆତ୍ମବିଶ୍ୱାସ ଓ ଶୃଙ୍ଖଳା ବିକାଶ କରିବାକୁ ଉତ୍ସାହିତ କରିଥିଲେ।

ଆର୍ଥିକ ସାକ୍ଷରତା ଉପରେ ଗୁରୁତ୍ୱ ଦେଇ ସୁଶ୍ରୀ କର ଭାରତର ପାରିବାରିକ ସଞ୍ଚୟ ଦେଶର ସର୍ବଶ୍ରେଷ୍ଠ ଆର୍ଥିକ ସମ୍ବଳ ମଧ୍ୟରୁ  ଅନ୍ୟତମ ଏବଂ ଏହା ଜାତୀୟ ଜିଡିପିର ପ୍ରାୟ ୩୦ ଶତାଂଶ  ଭୁକ୍ତ କରିଥାଏ ବୋଲି ଉଲ୍ଲେଖ କରିଥିଲେ।

ଭାରତରେ ୨୫ କୋଟିରୁ ଅଧିକ କିଶୋରୀ ଥିବାରୁ ଛୋଟ ବୟସରୁ ସଞ୍ଚୟ ଓ ନିବେଶ ନେଇ ଅଭ୍ୟାସ ସୃଷ୍ଟି କରିବା ଦ୍ୱାରା ଭବିଷ୍ୟତରେ କୋଟିପତି ବନିବାର ସ୍ବପ୍ନ ସାକାର ହେବା, ଘରୋଇ ନିବେଶ ମଜବୁତ ବନିବା ଏବଂ ଆର୍ଥିକ ଦୁର୍ବଳତା ହ୍ରାସ ପାଇବା ସାଙ୍ଗକୁ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଅର୍ଥନୀତିରେ ପରିଣତ କରିବାର ଯାତ୍ରାକୁ ତ୍ୱରାନ୍ୱିତ କରାଯାଇପାରିବ ବୋଲି ସେ ଦମ୍ଭ ପ୍ରକାଶ କରିଥିଲେ।

ସପ୍ତାହକୁ ମାତ୍ର ୨୦ରୁ୫୦ ଟଙ୍କା ସଞ୍ଚୟ କଲେ ମଧ୍ୟ ଜୀବନଭରୀ ଆର୍ଥିକ ସ୍ୱଚ୍ଛଳତା ସୃଷ୍ଟି ହେବା ଏବଂ ଏକ ସ୍ୱାବଲମ୍ବୀ ମହିଳା ପିଢିର ଅଭ୍ୟୁଦୟ ଘଟିବା ସମ୍ଭବପର ହୋଇ ପାରିବା ନେଇ ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

କର୍ମଶାଳାକୁ ଛାତ୍ରୀ, ଶିକ୍ଷକ,  ଶିକ୍ଷୟତ୍ରୀ ଓ ବିଦ୍ୟାଳୟର ପରିଚାଳନା କର୍ତ୍ତୃପକ୍ଷ ବେଶ ପସନ୍ଦ କରିଥିଲେ।ପ୍ରାୟ ୫୦୦ ଛାତ୍ରୀ ଏହି  ଘନିଷ୍ଠ ମତ ଆଦାନ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଭିନ୍ନଧର୍ମୀ  ଏବଂ ଉଦ୍ଭାବନୀ କର୍ମଶାଳାର ଆୟୋଜକଙ୍କ ମଧ୍ୟରେ ପ୍ଲାଙ୍କ ଏକାଡେମୀର ନିର୍ଦ୍ଦେଶିକା ତପସ୍ୱିନୀ ନାୟକ, ପ୍ରିନ୍ସିପାଲ ଡଃ ଅଞ୍ଜୁ ମେହରୋତ୍ରା ଏବଂ ସଂଯୋଜିକା କାଞ୍ଚନ ୱାଲୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।