IRS Officer Bribe Case: ଲାଞ୍ଚ ମାମଲାରେ ଗିରଫ ହେଲେ ଆଇଆରଏସ ଅଧିକାରୀ, କୋର୍ଟ କହିଲେ ବେଆଇନ

Aug 29, 2026 - 14:21
IRS Officer Bribe Case: ଲାଞ୍ଚ ମାମଲାରେ ଗିରଫ ହେଲେ ଆଇଆରଏସ ଅଧିକାରୀ, କୋର୍ଟ କହିଲେ ବେଆଇନ

ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ୪୦ ଲକ୍ଷ ଟଙ୍କାର ଲାଞ୍ଚ ମାମଲାକୁ ନେଇ ସିବିଆଇ କୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ଜଣେ IRS ଅଧିକାରୀ, ଜଣେ CGST ସୁପରିଣ୍ଟେଣ୍ଡେଣ୍ଟ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସିବିଆଇ ଗିରଫ କରିଥିଲା। କିନ୍ତୁ ଥାଣେର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ଗିରଫଦାରୀକୁ ବେଆଇନ ବୋଲି କହିବା ସହ ତିନିଜଣଙ୍କୁ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଗିରଫ ବ୍ୟକ୍ତିମାନେ ହେଲେ ୨୦୦୯ ବ୍ୟାଚ୍‌ର IRS ଅଧିକାରୀ ଏବଂ ରାୟଗଡ଼ର ଆଡିସନାଲ କମିଶନର ବିନୟ କୁମାର କାନହେଟି, CGST ସୁପରିଣ୍ଟେଣ୍ଡେଣ୍ଟ ରାକେଶ କୁମାର ସିହ୍ନା ଏବଂ ଅନ୍ୟ ଜଣେ ବ୍ୟକ୍ତି ନରିନ୍ଦର ରାଜପୁତ।

CBIର ଅଭିଯୋଗ ଅନୁସାରେ, ଏକ ପଥର ଖଣି ବ୍ୟବସାୟ ସହ ଜଡ଼ିତ ଜିଏସଟି ଓ ରୟାଲ୍ଟି ମାମଲା ସମାଧାନ କରିବା ପାଇଁ ଅଧିକାରୀମାନେ ପ୍ରଥମେ ₹୧.୫ କୋଟି ଲାଞ୍ଚ ଦାବି କରିଥିଲେ। ପରେ ଆଲୋଚନା ପରେ ଏହି ଲାଞ୍ଚ ରାଶି ₹୪୦ ଲକ୍ଷକୁ ଖସିଥିଲା। କିନ୍ତୁ ଲାଞ୍ଚ ଟଙ୍କା ସିଧାସଳଖ ସରକାରୀ ଅଧିକାରୀମାନେ ନନେଇ ଜଣେ ଘରୋଇ ବ୍ୟକ୍ତିଙ୍କ ମାଧ୍ୟମରେ ଗ୍ରହଣ କରିଥିଲେ। ଏହାପରେ ସିବିଆଇ ଅଧିକାରୀମାନଙ୍କୁ ଧରିବା ପାଇ ଏକ ଅପରେସନ୍‌ କରି ଘରୋଇ ବ୍ୟକ୍ତି ନରିନ୍ଦର ରାଜପୁତଙ୍କୁ ₹୪୦ ଲକ୍ଷ ଗ୍ରହଣ କରୁଥିବା ସମୟରେ ଧରିଥିବା ସିବିଆଇ କହିଛି।

ପରେ ଏହି ଟଙ୍କା ଗ୍ରହଣ କରାଯାଇଥିବା କଥା ସିଜିଏସଟି ସୁପରିଣ୍ଟେଣ୍ଡେଣ୍ଟ ରାକେଶ କୁମାର ସିହ୍ନା ଏବଂ ଆଡିସନାଲ କମିଶନର ବିନୟ କୁମାର କାନହେଟିଙ୍କ ଦ୍ୱାରା ସ୍ୱୀକାର କରାଯାଇଥିଲା।

ସିବିଆଇ ଅଗଷ୍ଟ ୨୬ ତାରିଖରେ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗିରଫ ପରେ ସିବିଆଇ ସେମାନଙ୍କୁ ହେପାଜତରେ ନେଇ ଅଧିକ ପଚରାଉଚରା କରିବାକୁ କୋର୍ଟଙ୍କ ଅନୁମତି ମାଗିଥିଲା। କିନ୍ତୁ ଥାନେର ସ୍ୱତନ୍ତ୍ର ସିବିଆଇ କୋର୍ଟ ସିବିଆଇର ହେପାଜତ ଆବେଦନକୁ ଖାରଜ କରିବା ସହ ତିନିଜଣଙ୍କ ଗିରଫକୁ ବେଆଇନ ବୋଲି ମତ ଦେଇଥିଲେ।

କିନ୍ତୁ ଗିରଫ ପରେ ସିବିଆଇ ସେମାନଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ତଲାସୀ କରିଥିଲା। ଏହି ତଲାସୀ ସମୟରେ ପ୍ରାୟ ₹୪୩ ଲକ୍ଷ ନଗଦ ଟଙ୍କା ଏବଂ ପ୍ରାୟ ₹୯୦ ଲକ୍ଷ ମୂଲ୍ୟର ଅଳଙ୍କାର ମିଳିଥିବା ସୂଚନା ମିଳିଛି। ଏସବୁ ଜବତ ସମ୍ପତ୍ତିର ଉତ୍ସ ନେଇ ତଦନ୍ତ ଚାଲିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।