Jailer 2 Box Office Prediction: ପ୍ରଥମ ଦିନରେ ହେବ ଟଙ୍କାର ବର୍ଷା! ଭାଙ୍ଗିବ ‘ଆନିମଲ୍’ ସହିତ ଅନେକ ଫିଲ୍ମର ରେକର୍ଡ!
ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜେଲର ୨’କୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ । ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂରେ ଫିଲ୍ମକୁ ମିଳୁଛି ଭଲ ପ୍ରତିକ୍ରିୟା । ଅକ୍ଟୋବର ୧୫ରେ ବଡ଼ ପରଦାକୁ ଆସିବାକୁ ଥିବା ଏହି ଫିଲ୍ମ ପ୍ରଥମ ଦିନରେ ବକ୍ସ ଅଫିସରେ ବଡ଼ ଧମାକା କରିବ ବୋଲି ଆଶା କରାଯାଉଛି ।
ସାଉଥ୍ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଜେଲର ୨’କୁ ନେଇ ଏବେ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଶୀର୍ଷରେ ପହଞ୍ଚିଛି । ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧୫ ତାରିଖ ଗୁରୁବାର ଦିନ ସାରା ବିଶ୍ୱର ସିନେମା ହଲ୍ରେ ରିଲିଜ୍ ହେବ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ । ତେବେ ରିଲିଜ୍ ପୂର୍ବରୁ ଏହାର ଆଡଭାନ୍ସ ବୁକିଂ ଆକଳନ ସିନେମା ବଜାରରେ ଚର୍ଚ୍ଚା ସୃଷ୍ଟି କରିଛି ।
ଆଡଭାନ୍ସ ବୁକିଂରେ ଜବରଦସ୍ତ ରେସପନ୍ସ
ଅକ୍ଟୋବର ୧୦ ତାରିଖରୁ ଭାରତରେ ‘ଜେଲର ୨’ର ଆଡଭାନ୍ସ ଟିକେଟ୍ ବୁକିଂ ଆରମ୍ଭ ହୋଇଥିଲା । ଭାରତ ସମେତ ବିଦେଶରେ ମଧ୍ୟ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳୁଛି । ବିଭିନ୍ନ ବକ୍ସ ଅଫିସ ରିପୋର୍ଟ ଅନୁସାରେ, ଫିଲ୍ମର ଆଡଭାନ୍ସ ବୁକିଂ ଭାରତରେ ୨୧ କୋଟି ଟଙ୍କା ଅତିକ୍ରମ କରିଛି । ଅନ୍ୟପଟେ କେତେକ ରିପୋର୍ଟରେ ଏହି ଆକଳନ ୨୭ କୋଟି ଟଙ୍କା ପାଖାପାଖି ପହଞ୍ଚିଥିବା କୁହାଯାଉଛି । ତେବେ ବୁକିଂ ସମୟ ଓ ହିସାବ ପଦ୍ଧତି ଅନୁସାରେ ଏହି ସଂଖ୍ୟା ଭିନ୍ନ ରହିଛି ।
ବିଶେଷକରି ତାମିଲନାଡୁରେ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ଅନେକ ସିନେମା ହଲ୍ରେ ଆଗୁଆ ଟିକେଟ୍ ବୁକିଂ ଜୋରଦାର ଚାଲିଥିବା ବେଳେ ପ୍ରଥମ ଦିନରେ ଫିଲ୍ମର ଆୟ ୧୦୦ କୋଟି ଟଙ୍କା ଅତିକ୍ରମ କରିପାରେ ବୋଲି ବିଶ୍ୱ ବକ୍ସ ଅଫିସକୁ ନେଇ ଆକଳନ କରାଯାଉଛି ।
‘କୁଲି’ର ରେକର୍ଡ ଭାଙ୍ଗିବ କି ‘ଜେଲର ୨’ ?
ଗତବର୍ଷ ରିଲିଜ୍ ହୋଇଥିବା ରଜନୀକାନ୍ତଙ୍କ ଫିଲ୍ମ ‘କୁଲି’ ବକ୍ସ ଅଫିସରେ ଦମଦାର ଓପନିଂ କରିଥିଲା । ଏବେ ‘ଜେଲର ୨’ ମଧ୍ୟ ବଡ଼ ଓପନିଂ ଦେବାକୁ ପ୍ରସ୍ତୁତ ଥିବା ଚର୍ଚ୍ଚା ହେଉଛି । ରିଲିଜ୍ ପୂର୍ବରୁ ଟିକେଟ୍ ବିକ୍ରିର ଗତିକୁ ଦେଖି ଫିଲ୍ମଟି ରଜନୀକାନ୍ତଙ୍କ ସର୍ବାଧିକ ଓପନିଂ କରିଥିବା ଫିଲ୍ମ ତାଲିକାରେ ସ୍ଥାନ ପାଇପାରେ ବୋଲି ଆଶା କରାଯାଉଛି ।
ଏହା ପୂର୍ବରୁ ୨୦୨୩ରେ ରିଲିଜ୍ ହୋଇଥିବା ‘ଜେଲର’ ବକ୍ସ ଅଫିସରେ ବଡ଼ ସଫଳତା ହାସଲ କରିଥିଲା । ପ୍ରଥମ ଭାଗର ସଫଳତା ପରେ ଏହାର ସିକ୍ୱେଲ୍କୁ ନେଇ ଦର୍ଶକଙ୍କ ଆଶା ମଧ୍ୟ ବଢ଼ିଛି ।
ହିନ୍ଦୀ ଭର୍ସନକୁ ନେଇ ଚର୍ଚ୍ଚା
ଦକ୍ଷିଣ ଭାରତରେ ‘ଜେଲର ୨’କୁ ନେଇ ଜବରଦସ୍ତ କ୍ରେଜ୍ ଥିବା ବେଳେ ହିନ୍ଦୀ ଭର୍ସନକୁ ନେଇ କିଛି ବିତରଣ ସମସ୍ୟା ସାମ୍ନାକୁ ଆସିଥିଲା । ଓଟିଟି ରିଲିଜ୍ ସମୟସୀମାକୁ ନେଇ ମଲ୍ଟିପ୍ଲେକ୍ସ ଚେନ୍ ଓ ଫିଲ୍ମ ବିତରକଙ୍କ ମଧ୍ୟରେ ମତଭେଦ ହୋଇଥିବା ରିପୋର୍ଟ ମିଳିଥିଲା । ତେବେ ପରବର୍ତ୍ତୀ ରିପୋର୍ଟରେ ହିନ୍ଦୀ ଭର୍ସନ ରିଲିଜ୍ ହେବା ନେଇ ସ୍ପଷ୍ଟୀକରଣ ଆସିଛି ।
ଏକାଠି ନଜର ଆସିବେ ଅନେକ ବଡ଼ ଷ୍ଟାର
ନେଲସନ୍ ଦିଲୀପ କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଜେଲର ୨’କୁ ପ୍ରଯୋଜନା କରିଛି ସନ୍ ପିକ୍ଚର୍ସ । ଫିଲ୍ମରେ ରଜନୀକାନ୍ତଙ୍କ ସହ ବିଦ୍ୟା ବାଲନ୍, ରମ୍ୟା କ୍ରିଷ୍ଣନ୍, ମିଥୁନ ଚକ୍ରବର୍ତ୍ତୀ, ଏସ୍ଜେ ସୂର୍ଯ୍ୟା, ସୁରଜ ଭେଞ୍ଜାରାମୁଡୁ, ଯୋଗୀ ବାବୁ ଓ ଅନ୍ୟ କଳାକାରମାନେ ନଜର ଆସିବେ । ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନିରୁଦ୍ଧ ରବିଚନ୍ଦର ।
ତେବେ ଆଡଭାନ୍ସ ବୁକିଂର ଏହି ଉତ୍ସାହ ବକ୍ସ ଅଫିସରେ କେତେ ବଡ଼ ସଫଳତାରେ ପରିଣତ ହେଉଛି, ତାହା ରିଲିଜ୍ ପରେ ସ୍ପଷ୍ଟ ହେବ । ‘ଜେଲର ୨’ ପୂର୍ବ ଫିଲ୍ମର ରେକର୍ଡ ଭାଙ୍ଗିବ ନା ନୂଆ ଇତିହାସ ରଚିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।