Jantar Mantar: ବିକ୍ଷୋଭ ସ୍ଥଳ ତାଲିକାରୁ ବାଦ୍ ପଡ଼ିଲା ଜନ୍ତରମନ୍ତର
"ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ ଚାଲିଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜନ୍ତରମନ୍ତରକୁ ବିକ୍ଷୋଭ ସ୍ଥଳ ତାଲିକାରୁ ହଟାଇ ଦେଇଛି।
ଗୃହ ମନ୍ତ୍ରଣାଳୟର କମିଟିର ସୁପାରିସ ଆଧାରରେ ଦିଲ୍ଲୀରେ ଧାରଣା ଓ ପ୍ରତିବାଦ ପାଇଁ ନୂଆ ସ୍ଥାନ ନିର୍ଦ୍ଧାରଣ କରାଯାଇଛି।
ଏଣିକି ଦିଲ୍ଲୀର ରାମଲୀଳା ମୈଦାନ, ବୁରାଡ଼ି ମୈଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି ମୈଦାନରେ ପ୍ରତିବାଦ କରାଯାଇପାରିବ।
ଜନ୍ତରମନ୍ତରକୁ ବିକ୍ଷୋଭ ସ୍ଥଳ ଭାବେ ମାନ୍ୟତା ଦେଇଥିବା ପୂର୍ବ ବିଜ୍ଞପ୍ତିକୁ ରଦ୍ଦ କରାଯାଇଛି।
ପ୍ରାୟ ୩୩ ବର୍ଷ ଧରି ଜନ୍ତରମନ୍ତର ଦିଲ୍ଲୀରେ ପ୍ରତିବାଦର ଏକ ପ୍ରମୁଖ କେନ୍ଦ୍ର ରହିଥିଲା।
ଏହା ପୂର୍ବରୁ ଇଣ୍ଡିଆ ଗେଟ୍ର ବୋଟ୍ କ୍ଲବ୍ ପ୍ରତିବାଦ ସ୍ଥଳ ଥିଲା।
ପୁରୁଣା ନିର୍ଦ୍ଦେଶରେ ପରିବର୍ତ୍ତନ ଦିଲ୍ଲୀ ପୁଲିସର ନୂଆ ନିର୍ଦ୍ଦେଶରେ ୨୮ ଏପ୍ରିଲ୍ ୨୦୨୨ରେ ଜାରି ହୋଇଥିବା ପୁରୁଣା ନିର୍ଦ୍ଦେଶରେ କିଛି ପରିବର୍ତ୍ତନ କରାଯାଇଛି।
ପ୍ରତିବାଦ ପାଇଁ ନିର୍ଦ୍ଧାରିତ ସ୍ଥାନ ଓ ଏହା ସହ ଜଡ଼ିତ ବ୍ୟବସ୍ଥାକୁ ସ୍ପଷ୍ଟ କରିବା ନୂଆ ନିୟମର ଉଦ୍ଦେଶ୍ୟ।ତେବେ ପ୍ରତିବାଦ ପାଇଁ ଅନୁମତି, ଅଂଶଗ୍ରହଣକାରୀଙ୍କ ସଂଖ୍ୟା ଏବଂ ଅନ୍ୟାନ୍ୟ ସର୍ତ୍ତ ସମ୍ପର୍କରେ ବିସ୍ତୃତ ନିୟମାବଳୀ ଜାରି ହେବା ପରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ସ୍ପଷ୍ଟ ହେବ।
ଜନ୍ତରମନ୍ତରକୁ କାହିଁକି ହଟାଗଲା?
ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜନ୍ତରମନ୍ତର ବଦଳରେ ଅନ୍ୟ ପ୍ରତିବାଦ ସ୍ଥଳ ଚିହ୍ନଟ କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା।
ବିଭିନ୍ନ ସ୍ଥାନର ଯାଞ୍ଚ ପରେ କମିଟି ନିଜର ସୁପାରିସ ଦେଇଥିଲା।
ଏହି ସୁପାରିସ ଆଧାରରେ ଜନ୍ତରମନ୍ତରକୁ ନିର୍ଦ୍ଧାରିତ ବିକ୍ଷୋଭ ସ୍ଥଳ ତାଲିକାରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି।
ଦୀର୍ଘ ବର୍ଷ ଧରି ଜନ୍ତରମନ୍ତର ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ସାଧାରଣ ଲୋକଙ୍କ ପ୍ରତିବାଦର ପ୍ରମୁଖ କେନ୍ଦ୍ର ରହିଆସିଛି।
ବିଭିନ୍ନ ପ୍ରସଙ୍ଗକୁ ନେଇ ଏଠାରେ ଧାରଣା ଓ ବିକ୍ଷୋଭ ଆୟୋଜିତ ହେଉଥିଲା।
ନୂଆ ବ୍ୟବସ୍ଥା ଅନୁଯାୟୀ, ପ୍ରତିବାଦ ପାଇଁ ଅନୁମତି, ଆୟୋଜନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ଆବଶ୍ୟକ ନିୟମ ସମ୍ପର୍କରେ ଏକ ସ୍ୱତନ୍ତ୍ର ମାନକ ପରିଚାଳନା ପ୍ରକ୍ରିୟା (ଏସ୍ଓପି) ଜାରି କରାଯିବ।
Advertisment ଦୁଇଟି ଭାଗରେ ଆସିବ "ରାମାୟଣ", ନିଜ ଭାଷାରେ ଦେଖିବେ ବିଶ୍ବବାସୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।