Japan Earthquake: ସକାଳୁ ସକାଳୁ ଭୟଙ୍କର ଭୂମିକମ୍ପ; ଦେଖନ୍ତୁ ଛାତିଥରା ଦୃଶ୍ୟ

Aug 23, 2026 - 09:10
Japan Earthquake: ସକାଳୁ ସକାଳୁ ଭୟଙ୍କର ଭୂମିକମ୍ପ; ଦେଖନ୍ତୁ ଛାତିଥରା ଦୃଶ୍ୟ

ଆଜି ସକାଳୁ ଭୂମିକମ୍ପରେ ଥରି ଉଠିଲା ପୂର୍ବ ଜାପାନ। ୫.୯ ତୀବ୍ରତାର ଏହି ଭୂମିକମ୍ପର ଝଟକା ଟୋକିଓ ସମେତ ବ୍ୟାପକ ଅଞ୍ଚଳରେ ଅନୁଭୂତ ହୋଇଛି। ଭୂମିକମ୍ପରେ ଅତି କମ୍‌ରେ ୨୩ ଜଣ ଆହତ ହୋଇଥିବା ବେଳେ ଟ୍ରେନ୍ ଚଳାଚଳ ଓ ବିଦ୍ୟୁତ୍ ସେବା ପ୍ରଭାବିତ ହୋଇଛି। ତେବେ ଭୂମିକମ୍ପ ପରେ ସୁନାମିର କୌଣସି ବିପଦ ନଥିବା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।

୭୦ କିମି ଗଭୀରରେ ଭୂମିକମ୍ପ

ଜାପାନ ମେଟିଓରୋଲଜିକାଲ ଏଜେନ୍ସି (JMA) ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ଇବାରାକି ପ୍ରିଫେକ୍ଚରର ଦକ୍ଷିଣ ଅଞ୍ଚଳ। ଭୂମିକମ୍ପଟି ପୃଥିବୀ ପୃଷ୍ଠଠାରୁ ପ୍ରାୟ ୭୦ କିଲୋମିଟର ଗଭୀରରେ ସୃଷ୍ଟି ହୋଇଥିଲା। ଆମେରିକାର US Geological Survey ପକ୍ଷରୁ ଏହାର ପ୍ରାରମ୍ଭିକ ତୀବ୍ରତା ୫.୮ ରେକର୍ଡ କରାଯାଇଛି।

ଭୟରେ ଘରୁ ଉଠି ପଡ଼ିଲେ, ୨୩ ଆହତ

ଭୂମିକମ୍ପରେ ସାଇତାମାରେ ୯ ଜଣ, କାନାଗାୱାରେ ୯ ଜଣ, ଚିବାରେ ୪ ଜଣ ଏବଂ ଇବାରାକିରେ ଜଣେ ଆହତ ହୋଇଛନ୍ତି। ଅଧିକାଂଶ ଲୋକ ଭୂମିକମ୍ପ ସମୟରେ ଶୋଇଥିଲେ। ହଠାତ୍ ଝଟକାରେ ଭୟଭୀତ ହୋଇ ବିଛଣାରୁ ଉଠିବା ସମୟରେ ସେମାନେ ପଡ଼ିଯାଇଥିଲେ।
କାନାଗାୱାର ୟୋକୋହାମାରେ ଜଣେ ୮୦ ବର୍ଷରୁ ଅଧିକ ବୟସ୍କା ମହିଳା ବିଛଣାରୁ ପଡ଼ି ଗୁରୁତର ଭାବେ ଆହତ ହୋଇଛନ୍ତି।

ଟୋକିଓରେ ଟ୍ରେନ୍ ସେବା ପ୍ରଭାବିତ 

ଭୂମିକମ୍ପ ପରେ ଟୋକିଓ ଓ ନାରିତା ବିମାନବନ୍ଦରକୁ ଯାଉଥିବା ଏକ୍ସପ୍ରେସ୍ ଟ୍ରେନ୍‌ଗୁଡ଼ିକରେ ବିଳମ୍ବ ହୋଇଥିଲା। ଉତ୍ତର-ପୂର୍ବ ଜାପାନର ଅନ୍ୟାନ୍ୟ ସ୍ଥାନୀୟ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଥିଲା। ଏବଂ ଟୋକିଓର କୋଟୋ ୱାର୍ଡରେ ଏକ ଭୂଗର୍ଭ ଜଳ ପାଇପ୍ ଫାଟିଯିବାରୁ ରାସ୍ତା ଉପରେ ପାଣି ଜମିଥିଲା। 

୪୬୦ ଘରରେ ବିଦ୍ୟୁତ୍ ବିଚ୍ଛିନ୍ନ

ଭୂମିକମ୍ପର ପ୍ରଭାବରେ ଟୋକିଓର ପ୍ରାୟ ୪୬୦ଟି ଘରରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଥିଲା। ତେବେ ରବିବାର ସକାଳ ସୁଦ୍ଧା ବିଦ୍ୟୁତ୍ ସେବା ପୁନଃସ୍ଥାପିତ କରାଯାଇଥିବା TEPCO Power Grid ପକ୍ଷରୁ କୁହାଯାଇଛି।

ଭୂମିକମ୍ପ ପରେ ସରକାର ତୁରନ୍ତ ପରିସ୍ଥିତିର ଆକଳନ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ମଧ୍ୟ ସମ୍ଭାବ୍ୟ କ୍ଷୟକ୍ଷତି ଓ ପରିସ୍ଥିତି ଉପରେ ନଜର ରଖିଥିବା ଜଣାପଡ଼ିଛି।

ଦେଖନ୍ତୁ ଭୂକଂପ ବେଳର ଭୟଙ୍କର ଦୃଶ୍ୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।