Job: ରେଳବାଇରେ ୪,୬୫୧ ଆପ୍ରେଣ୍ଟିସ୍ ପଦବିରେ ନିଯୁକ୍ତି; ଦଶମ-ଆଇଟିଆଇ ପାସ୍ କରିଥିଲେ କରନ୍ତୁ ଆବେଦନ
ନୂଆଦିଲ୍ଲୀ:ରେଳବାଇରେ ଚାକିରି କରିବାକୁ ଆଶା ରଖିଥିବା ଯୁବକଯୁବତୀଙ୍କ ପାଇଁ ଖୁସି ଖବର। ରେଳବାଇ ନିଯୁକ୍ତି ସେଲ୍, ଉତ୍ତର ରେଳବାଇ ପକ୍ଷରୁ ଆପ୍ରେଣ୍ଟିସ୍ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ନିଯୁକ୍ତି ଅଧୀନରେ ମୋଟ ୪,୬୫୧ଟି ପଦବି ପୂରଣ କରାଯିବ। ବିଶେଷ କଥା ହେଉଛି, ଏଥିପାଇଁ ପ୍ରାର୍ଥୀଙ୍କୁ କୌଣସି ଲିଖିତ ପରୀକ୍ଷା କିମ୍ବା ସାକ୍ଷାତକାର ଦେବାକୁ ପଡ଼ିବ ନାହିଁ। ଦଶମ ଓ ଆଇଟିଆଇ ପରୀକ୍ଷାରେ ପ୍ରାପ୍ତ ନମ୍ବର ଆଧାରରେ ପ୍ରସ୍ତୁତ ମେଧା ତାଲିକା ଅନୁସାରେ ପ୍ରାର୍ଥୀ ଚୟନ କରାଯିବ।
ଏହି ନିଯୁକ୍ତି ପାଇଁ ନଭେମ୍ବର ୧୧, ୨୦୨୬ରୁ ଅନଲାଇନ୍ ଆବେଦନ ଆରମ୍ଭ ହେବ। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଉତ୍ତର ରେଳବାଇର ଆଧିକାରିକ ୱେବ୍ସାଇଟ୍ rrcnr.org ମାଧ୍ୟମରେ ଆବେଦନ କରିପାରିବେ। ଡିସେମ୍ବର ୧୧, ୨୦୨୬ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ଆବେଦନ କରିବାର ସୁଯୋଗ ରହିଛି। ନଭେମ୍ବର ୬, ୨୦୨୬ରେ ଏହି ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି।
କେଉଁ କ୍ଲଷ୍ଟରରେ କେତେ ପଦବି?
ଉତ୍ତର ରେଳବାଇର ବିଭିନ୍ନ ଡିଭିଜନ୍, ୟୁନିଟ୍ ଓ କର୍ମଶାଳାରେ ଏହି ପଦବୀଗୁଡ଼ିକ ବଣ୍ଟନ କରାଯାଇଛି। ସେଥିମଧ୍ୟରୁ ଲକ୍ଷ୍ନୌ କ୍ଲଷ୍ଟରରେ ସର୍ବାଧିକ ୧,୫୨୫ଟି ପଦବି ଥିବାବେଳେ ଦିଲ୍ଲୀରେ ୧,୩୧୨ଟି, ଅମ୍ବାଲାରେ ୯୭୯ଟି ଏବଂ ଫିରୋଜପୁରରେ ୭୪୦ଟି ପଦବି ରହିଛି। ସେହିପରି ମୁରାଦାବାଦ କ୍ଲଷ୍ଟରରେ ୬୩ଟି ଓ ଜମ୍ମୁ କ୍ଲଷ୍ଟରରେ ୩୨ଟି ପଦବି ପୂରଣ କରାଯିବ।
ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ଅତିକମରେ ୫୦ ପ୍ରତିଶତ ନମ୍ବର ସହ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। ଏଥିସହ ସମ୍ପୃକ୍ତ ଟ୍ରେଡରେ ଏନ୍ସିଭିଟି (NCVT) କିମ୍ବା ଏସ୍ସିଭିଟି (SCVT) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଆଇଟିଆଇ ପ୍ରମାଣପତ୍ର ଥିବା ଜରୁରୀ। ଦଶମ ଓ ଆଇଟିଆଇର ଫଳାଫଳ ନଭେମ୍ବର ୬, ୨୦୨୬ ସୁଦ୍ଧା ପ୍ରକାଶ ପାଇଥିବା ଦରକାର।
ବୟସ ସର୍ବନିମ୍ନ ୧୫-ସର୍ବାଧିକ ୨୪ ବର୍ଷ
ବୟସ ସୀମା ଅନୁଯାୟୀ, ଡିସେମ୍ବର ୧୧, ୨୦୨୬ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୫ ବର୍ଷ ଓ ସର୍ବାଧିକ ୨୪ ବର୍ଷ ହୋଇଥିବା ଆବଶ୍ୟକ। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁଯାୟୀ ବୟସ ସୀମାରେ ଛାଡ଼ ମିଳିବ। ଆବେଦନ ଶୁଳ୍କ ବାବଦରେ ସାଧାରଣ, ଓବିସି ଓ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଦେବାକୁ ପଡ଼ିବ। ଏହି ଶୁଳ୍କ ଫେରସ୍ତଯୋଗ୍ୟ ନୁହେଁ। ତେବେ ଏସ୍ସି, ଏସ୍ଟି , ଦିବ୍ୟାଙ୍ଗ ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି।
ISRO: ଇସ୍ରୋରେ ୪୦୦ ଅପ୍ରେଣ୍ଟିସ୍ ପଦବିରେ ନିଯୁକ୍ତି, ନଭେମ୍ବର ୨୬ ଆବେଦନର ଶେଷ ତାରିଖ
ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଦଶମ ଓ ଆଇଟିଆଇ ପରୀକ୍ଷାରେ ମିଳିଥିବା ନମ୍ବରର ହାରାହାରି ଆଧାରରେ ମେଧା ତାଲିକା ପ୍ରସ୍ତୁତ ହେବ। ଉଭୟ ପରୀକ୍ଷାର ନମ୍ବରକୁ ସମାନ ଗୁରୁତ୍ୱ ଦିଆଯିବ। ମେଧା ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କ ଦସ୍ତାବିଜ୍ ଯାଞ୍ଚ କରାଯିବା ସହ ଶାରୀରିକ ସୁସ୍ଥତା ପରୀକ୍ଷା କରାଯିବ। ତେଣୁ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ ପୂର୍ବରୁ ଆଧିକାରିକ ବିଜ୍ଞପ୍ତିରେ ଥିବା ସମସ୍ତ ନିୟମ ଓ ସର୍ତ୍ତାବଳୀ ଭଲଭାବେ ଯାଞ୍ଚ କରିବା ଉଚିତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।