Kalahandi Rape Case: ପ୍ରାର୍ଥନା ନାଁରେ ପାଷ୍ଟରଙ୍କ ପାଶବିକ କାଣ୍ଡ! ୮ ମାସର ଗର୍ଭବତୀଙ୍କୁ କଲା ଦୁଷ୍କର୍ମ
ଧର୍ମର ଧ୍ବଜା ଧରିଥିଲା କିନ୍ତୁ ମନରେ ସବାର ଥିଲା ସୈତାନ। ରୋଗ ଭଲ କରିବାକୁ ଡାକି ପ୍ରାର୍ଥନା କରାଇବା ବାହାନାରେ ରଚିଥିଲା ଜଘନ୍ୟ କାଣ୍ଡ। ସ୍ବାମୀକୁ ମଦ ପିଆଇ ବେହୋସ କରିବା ପରେ ୮ ମାସର ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ କରିଛି ପାପୀ ପାଷ୍ଟର। ଏମିତି ଏକ ଜଘନ୍ୟ କାଣ୍ଡ ନେଇ ଅଭିଯୋଗ ହୋଇଛି କଳାହାଣ୍ଡି ଜିଲ୍ଲା ସଦର ଥାନାରେ ।
ଏତଲା ଅନୁସାରେ, ୨୦ ବର୍ଷର ମହିଳା ଜଣକ ୮ ମାସର ଗର୍ଭବତୀ ଥିଲେ। ବାରମ୍ବାର ଦେହ ଖରାପ ହେଉଥିବାରୁ ଡାକ୍ତର ପରାମର୍ଶରେ ଔଷଧ ଖାଉଥିଲେ। ତଥାପି ଦେହ ଭଲ ହେଉନଥିଲା। ଏଭଳି ଅବସ୍ଥାରେ ସ୍ଥାନୀୟ ଚର୍ଚ୍ଚର ପାଷ୍ଟର ଜିନେଶ କୁମାର ମହିଳାଙ୍କ ସ୍ବାମୀକୁ ଫୁସୁଲାଇ ରୋଗ ଭଲ କରାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ। ଘରକୁ ଆସି ରାତିରେ ପ୍ରାର୍ଥନା କରିବାକୁ ପଡ଼ିବ କହିବା ପରେ ସ୍ବାମୀ ସ୍ତ୍ରୀ ପାଷ୍ଟର ଘରେ ପହଞ୍ଚିଥିଲେ ।
ସ୍ବାମୀକୁ ମଦ ପିଆଇ ବେହୋସ କରିବା ପରେ ସ୍ତ୍ରୀକୁ ଅନ୍ୟ ରୁମକୁ ପ୍ରାର୍ଥନା କରିବାକୁ ନେଇଥିଲେ ପାଷ୍ଟର। ପରେ ପ୍ରାର୍ଥନା କରିବା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ମହିଳା।
ପ୍ରାୟ ୨ ଘଣ୍ଟା କାଳ ପାଶବିକ ଅତ୍ୟାଚାରର ଶିକାର ହେବା ପରେ ପାଷ୍ଟର କବଳରୁ ମୁକୁଳିଥିଲେ ପୀଡ଼ିତା। ଉଭୟ ସ୍ବାମୀ ସ୍ତ୍ରୀ ଭୟରେ ସେହି ରାତିରେ ସେଠୁ ଲୁଚି ଚାଲି ଆସିବା ପରେ ଏନେଇ ଥାନାରେ ଏତଲା କରିଥିଲେ। ପୋଲିସ ମାମଲା ରୁଜୁ କରି ପୀଡ଼ିତାଙ୍କ ଡାକ୍ତରୀମାଇନା କରିବା ସହ ବୟାନ ରେକର୍ଡ କରିଛି । ତଦନ୍ତ ଜାରି ରହିଛି, ଖୁବଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି କହିଛନ୍ତି କଳାହାଣ୍ଡି ଅତିରିକ୍ତ ଏସପି ।
ସୁସ୍ଥ କରିବାକୁ ଡାକି ଜଣେ ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ କରିବା ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳି ଯାଇଛି । ତୁରନ୍ତ ସଂପୃକ୍ତ ପାଷ୍ଟରଙ୍କୁ ଗିରଫ କରିବାକୁ ସାଧାରଣରେ ଦାବି କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।