Kalinga Ghati Landslide: ମାସେ ପରେ ବି ଖୋଲିଲାନି କଳିଙ୍ଗା ଘାଟି, ୫୦ କିମି ବୁଲି ହନ୍ତସନ୍ତ ହେଉଛନ୍ତି ଲୋକେ
"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ସାରା ଦେଶରେ ସମସ୍ତ ସାମଗ୍ରିର ଦର ବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି।
କନ୍ଧମାଳ ଏବଂ ଗଞ୍ଜାମ ସୀମା ଅଞ୍ଚଳବାସୀଙ୍କ ପାଇଁ ମଧ୍ୟ ସମାନ ଅବସ୍ଥା।
ଏହାର କାରଣ ହେଲା କଳିଙ୍ଗା ଘାଟି ଦୀର୍ଘ ଏକ ମାସ ହେଲା ବନ୍ଦ ରହିବା।
ଗତ ମାସରେ ଲଗାଣ ବର୍ଷା ପାଇଁ ୨୩ ଏବଂ ୨୪ ତାରିଖ ଦୁଇ ଦିନ ପ୍ରଶାସନ ପକ୍ଷରୁ କଳିଙ୍ଗା ଘାଟି ରାସ୍ତାରେ ଯାତାୟତ ବନ୍ଦ ରଖିଥିବା ବେଳେ ଗତ ବର୍ଷ ଯେଉଁ ସ୍ଥାନରେ ଭୂସ୍ଖଳନ ଘଟି ଦୀର୍ଘ ୪୭ଦିନ ରାସ୍ତା ବନ୍ଦ ରହିଥିଲା ସେଇ ସ୍ଥାନରେ ପୁଣି ଏକ ବିରାଟ ପଥର ଖସିବା ଫଳରେ ରାସ୍ତା ଉପରେ ପଥର ପଡ଼ିବା ସହ ଦୁଇ ପାର୍ଶ୍ଵର ଗାର୍ଡ ୱାଲ ଭାଙ୍ଗି ଯାଇଥିଲା।
Advertisment ଅନ୍ୟପକ୍ଷରେ ଅନ୍ଧାରକୋଟ ନିକଟରେ ଚାଲିଥିବା ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା।
ଫଳରେ ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଯାତାୟତ ବନ୍ଦ ରହିଛି।
ଉଭୟ ଜିଲ୍ଲାର ସୀମାନ୍ତବର୍ତ୍ତି ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ନିତ୍ୟାବଶ୍ୟକ ସାମଗ୍ରିର ଯାହା ଦର ବୃଦ୍ଧିରେ ଲୋକ ସନ୍ତୁଳି ହେଉଥିବା ବେଳେ ଘାଟି ରାସ୍ତା ବନ୍ଦ ଯୋଗୁଁ ଲୋକଙ୍କୁ ଅଧିକ ୫୦କିମି ରାସ୍ତା ବୁଲିବାକୁ ପଡୁଛି।
ଏହି କାରଣରୁ ସମସ୍ତ ସାମଗ୍ରୀ ଉପରେ ପୁଣି ଅତିରିକ୍ତ ଚାପ ପଡୁଛି।
ଦରଦାମ ଆହୁରି ବୃଦ୍ଧି ପାଉଛି।
ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ଆରମ୍ଭ ହୋଇନି ଗାର୍ଡ ୱାଲ କାର୍ଯ୍ୟ ଘାଟି ରାସ୍ତା ବନ୍ଦ ହେବାକୁ ଏକ ମାସ ପୂର୍ତ୍ତି ହେବାକୁ ବସିଲାଣି।
ଅଥଚ କାର୍ଯ୍ୟରେ ସେଇ ଭଳି ଆଖି ଦୃଶିଆ ଆଗ୍ରସର ନାହିଁ।
ବର୍ତମାନ କିଛି ଦିନ ହେଲା କାର୍ଯ୍ୟ ବନ୍ଦ ରହିଛି।
ଆଜି ପର୍ଯ୍ୟନ୍ତ ଭୂସ୍ଖଳନ ସ୍ଥଳରେ ଭାଙ୍ଗିଥିବା ଗାର୍ଡ ୱାଲ କାର୍ଯ୍ୟ ଆରମ୍ଭ ହୋଇନି।
ଜାତୀୟ ରାଜପଥ କର୍ତ୍ତୃପକ୍ଷ କରୁଛନ୍ତି କ"ଣ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି।
ଦୁର୍ଗାପ୍ରସାଦ ଏବଂ କଳିଙ୍ଗାର ଚା" ପାନ ଦୋକାନୀ ହୋଟେଲ, ଢ଼ାବା ଏବଂ ରେସ୍ତୋରାଁ ଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ପଡିଛି।
ଶହଶହ ପରିବାର ଭୋକ ଉପବାସରେ କାଳାତିପାତ କରୁଥିବା ବେଳେ ବିଭାଗୀୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ।
Landslides: ଭୂସ୍ଖଳନ, ସୁରକ୍ଷା ପାଚେରୀ ଭାଙ୍ଗିବା ପରେ କଳିଙ୍ଗା ଘାଟି ବଢ଼ାଇଲା ଚିନ୍ତା ରାସ୍ତା ଖୋଲୁନି କାହିଁକି?
ଗତବର୍ଷ ୪୭ଦିନ ପରେ ଘାଟି ରାସ୍ତା ଖୋଲିଥିଲା।
ଭୂସ୍ଖଳନସ୍ଥଳରେ ଦୁଇ ଦୁଇ ଥର ପଥର ଖସିବା ଏବଂ ଏକ ପୋଲ ଧୋଇ ହୋଇଯିବା ପରେ ମଧ୍ୟ ରାସ୍ତା କାର୍ଯ୍ୟ ହୋଇ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା।
ହେଲେ ଚଳିତ ବର୍ଷ ସେଇଭଳି ବଡ଼ ଧରଣର ଭୂସ୍ଖଳନ ହୋଇନାହିଁ।
କେବଳ ଏକ ବଡ଼ ପଥର ଖସିଥିଲା ତାକୁ ଦୁଇ ଦିନ ପରେ ତଳକୁ ଖସେଇ ଦିଆଯାଇଥିଲା।
ପରବର୍ତ୍ତୀ ସମୟରେ ଉପର ଅଟକି ରହିଥିବା କିଛି ପଥର ବ୍ଲାଷ୍ଟିଂ କରାଯାଇ ଥିବା ଦୃଶ୍ୟ ଦେଖୁବାକୁ ମିଳିଛି।
ହେଲେ ଆଜି ପର୍ଯ୍ୟନ୍ତ ରାସ୍ତା ଖୋଲୁନି କାହିଁକି?
କଳିଙ୍ଗା ଘାଟି ରାସ୍ତାକୁ ନେଇ ଦୁଇ ସିମନ୍ତବର୍ତ୍ତୀ ଅଞ୍ଚଳବାସୀଙ୍କ ଭାବାବେଗ ସହ ଏକ ପ୍ରକାର ଖେଳ ଖେଳୁଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ।
ଲୋକଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି।ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।