Kandhamal: କନ୍ଧମାଳରେ ହାରାହାରି ୨୧୩.୧୧ ମିମି ବର୍ଷା: ନଦୀବନ୍ଧ ଭାଙ୍ଗି ଗାଁ’କୁ ମାଡ଼ିଆସିଲା ପାଣି
ଫୁଲବାଣୀ: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକ୍ରେ ହାରାହାରି ୨୧୩ ମିମି (୨,୫୫୭ ମିମି) ବର୍ଷା ରେକର୍ଡ କରାଯାଇଛି। ଦୁଇଦିନ ଧରି ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ଖଡ୍ଗ, ବାଘ, ବୃତଙ୍ଗ, ଉତ୍ତେଇ ଓ ରାହୁଳ ନଦୀରେ ଜଳପତ୍ତନ ବୃଦ୍ଧି ପାଇବା ସହ ପ୍ରବଳ ବର୍ଷାରେ ଅନେକ ରାସ୍ତା ଧୋଇଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି। ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ଗ୍ରାମପଞ୍ଚାୟତରେ ନଦୀବନ୍ଧ ଭାଙ୍ଗିଯିବାରୁ ଗାଁକୁ ପାଣି ମାଡ଼ିଆସିଛି। ୯୦ ଜଣଙ୍କୁ ଇନ୍ଦ୍ରଗଡ଼ ସ୍କୁଲ ଏବଂ ପ୍ରବଳ ବର୍ଷାରେ ଘର ଭାଙ୍ଗି ଗୃହଶୂନ୍ୟ ହୋଇଥିବା ୧୯ ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସେହିପରି ଦାରିଙ୍ଗବାଡ଼ି ବ୍ଲକର ୫୨ ପରିବାରକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ତଥ୍ୟ ମୁତାବକ ଘୁ.ଉଦୟଗିରିରେ ସର୍ବାଧିକ ୪୬୨.୮୦ ମିମି ବର୍ଷା ହୋଇଥିବା ବେଳେ ରାଇକିଆରେ ୩୮୪.୮୦, କ.ନୂଆଗାଁରେ ୨୪୦.୮୦, ଫିରିଙ୍ଗିଆରେ ୨୧୬, ଟିକାବାଲିରେ ୧୮୩, ଖଜୁରୀପଡ଼ାରେ ୧୭୫, ବାଲିଗୁଡ଼ାରେ ୧୨୮.୬୦, କୋଟଗଡ଼ରେ ୩୩, ଫୁଲବାଣୀରେ ୧୩୨.୬୦, ତୁମୁଡ଼ିବନ୍ଧରେ ୭୯, ଦାରିଙ୍ଗବାଡ଼ିରେ ୨୭୩ ଓ ଚକାପାଦରେ ୨୪୯ ମିମି ବର୍ଷା ହୋଇଛି।
Health: ଆଜି 'ଆଡପ୍ଟ' ବୈଠକ; ସ୍ୱାସ୍ଥ୍ୟ ନୀତିରେ ବୈଜ୍ଞାନିକ ପ୍ରମାଣ ଉପରେ ଗୁରୁତ୍ୱ
ଗଛ ଉପୁଡ଼ି ରାସ୍ତା ଅବରୋଧ, ଯୋଗାଯୋଗ ବିଚ୍ଛିନ୍ନ
ଅଧିକାଂଶ ସ୍ଥାନରେ ବହୁ ଗଛ ଉପୁଡ଼ି ପଡ଼ିଛି। ଖଜୁରୀପଡ଼ା ବ୍ଲକ ଦୁତିପଡ଼ା ପଞ୍ଚାୟତର ଜାମୁଝରିରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ରାଇକିଆ ବ୍ଲକ ମାଣିକେଶ୍ବର ପଞ୍ଚାୟତର କୃହାବାଦା ଗାଁରେ ପାଣି ପଶିଯାଇଥିବାରୁ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଚକାପାଦ ଘାଟିରେ ଅନେକ ସଂଖ୍ୟାରେ ଗଛ ଉପୁଡି ପଡ଼ିଥିବାରୁ ଯାତାୟାତ ଠପ୍ ହୋଇଯାଇଛି। ବାଲିଗୁଡ଼ାର ମୁଣ୍ଡାସାହି ରାସ୍ତା, ଦାରିଙ୍ଗବାଡ଼ି ବ୍ଲକର ଦାରିଙ୍ଗିବାଡ଼ି-ଚାରିଛକ ରାସ୍ତା ସହିତ ସୁନ୍ଦରପଙ୍କା ଓ ଗଦାପୁର ରାସ୍ତାରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ପହଞ୍ଚି ତଦାରଖ କରିବା ସହ ତୁରନ୍ତ ସ୍ଥିତି ସ୍ବାଭାବିକ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ଧାନଫସଲ ସହିତ ପନିପରିବା ଚାଷ ମଧ୍ୟ ବ୍ୟାପକ ଭାବେ ନଷ୍ଟ ହୋଇଛି। ପ୍ରଭାବିତଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ବେଦଭୂଷଣ ସୂଚନା ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।