Kangana Ranaut Slams CJP Protests: CJP ଆନ୍ଦୋଳନକୁ ନେଇ ବର୍ଷିଲେ କଙ୍ଗନା ରଣାୱତ; କହିଲେ, ଦେଶ ବିରୋଧୀ ଶକ୍ତିଙ୍କ ମୁଖା ଖୋଲୁଛି

Oct 11, 2026 - 15:03
Kangana Ranaut Slams CJP Protests: CJP ଆନ୍ଦୋଳନକୁ ନେଇ ବର୍ଷିଲେ କଙ୍ଗନା ରଣାୱତ; କହିଲେ, ଦେଶ ବିରୋଧୀ ଶକ୍ତିଙ୍କ ମୁଖା ଖୋଲୁଛି

ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବା ବେଳେ CJP ନେତୃତ୍ୱକୁ କଡ଼ା ସମାଲୋଚନା କରିଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ। ଆନ୍ଦୋଳନ ଆଳରେ ଦେଶକୁ ଅସ୍ଥିର କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ସେ ଅଭିଯୋଗ କରିଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଦିଲ୍ଲୀର ଜନ୍ତରମନ୍ତରରେ କକରୋଚ୍ ଜନତା ପାର୍ଟି (CJP), କଂଗ୍ରେସ ଓ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ରାଜନୈତିକ ବୟାନବାଜି ତେଜିଥିବା ବେଳେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନର ବିଜେପି ସାଂସଦ କଙ୍ଗନା ରଣାୱତ। 

‘ଦେଶ ବିରୋଧୀ ଶକ୍ତିଙ୍କ ମୁଖା ଖୋଲୁଛି’

CJP ନେତୃତ୍ୱକୁ ନିଶାନା କରି କଙ୍ଗନା କହିଛନ୍ତି, ଆନ୍ଦୋଳନ ନାଁରେ ଦେଶକୁ ଅସ୍ଥିର କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି। ଏବେ ଏହି ଦେଶ ବିରୋଧୀ ଶକ୍ତିଙ୍କ ପ୍ରକୃତ ଚେହେରା ସାମ୍ନାକୁ ଆସୁଛି। କେବଳ ପୋଲିସ ନୁହେଁ, ସାଧାରଣ ଲୋକମାନେ ମଧ୍ୟ ଏମାନଙ୍କୁ ଚିହ୍ନିବା ଆରମ୍ଭ କରିଛନ୍ତି। ଏପରି ଶକ୍ତିଙ୍କୁ ଲୋକେ ସାମ୍ନାକୁ ଆଣୁଥିବା ସେ ଦାବି କରିଛନ୍ତି। 

ଅଯୋଧ୍ୟା ଯିବା ବେଳେ ଦେଲେ ପ୍ରତିକ୍ରିୟା

ଅକ୍ଟୋବର ୧୦ ତାରିଖରେ ଅଯୋଧ୍ୟା ଯାତ୍ରା ସମୟରେ ଲକ୍ଷ୍ନୌରେ କଙ୍ଗନା ଏହି ମନ୍ତବ୍ୟ ଦେଇଥିଲେ। ଭଗବାନ ରାମଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସେ ଅଯୋଧ୍ୟା ଯାଉଥିବା କହିଥିଲେ। ଏହାସହ ଭଗବାନ ରାମ ଓ ହନୁମାନଙ୍କ ଆଶୀର୍ବାଦ କାମନା କରିଥିଲେ। ଦେଶର ସୁରକ୍ଷା ପାଇଁ ଅନେକ ଶକ୍ତି କାର୍ଯ୍ୟ କରୁଥିବା ବେଳେ ସାଧାରଣ ନାଗରିକଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପ୍ରତି ଧ୍ୟାନ ଦେବା ଜରୁରୀ ବୋଲି କହିଥିଲେ।

କାହିଁକି ଚାଲିଛି ଆନ୍ଦୋଳନ?

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା SIR ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଭିନ୍ନ ବିରୋଧୀ ଦଳ ଆନ୍ଦୋଳନ କରୁଛନ୍ତି। ତେବେ ଏହି ଅଭିଯୋଗକୁ ସରକାରୀ ପକ୍ଷ ଖଣ୍ଡନ କରିଛି। ଅନ୍ୟପଟେ ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକ ରଖିବା ଘଟଣାକୁ ନେଇ ମଧ୍ୟ ବିବାଦ ବଢ଼ିଛି। 

ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଙ୍ଗନା

ଅନ୍ୟପଟେ ନିଜକୁ ନେଇ ଅନଲାଇନରେ ପ୍ରସାରିତ ଏଆଇ ନିର୍ମିତ ଓ ଆପତ୍ତିଜନକ ବିଷୟବସ୍ତୁ ହଟାଇବା ଦାବିରେ କଙ୍ଗନା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ବ୍ୟକ୍ତିତ୍ୱ ଅଧିକାର ସୁରକ୍ଷା ସମ୍ପର୍କିତ ଆବେଦନର ଶୁଣାଣି କରି ବିଚାରପତି ବିକାଶ ମହାଜନ ପ୍ରତିପକ୍ଷଙ୍କୁ ସମନ ଜାରି କରିଛନ୍ତି। ଏହି ମାମଲାରେ ଅନ୍ତରୀଣ ନିର୍ଦ୍ଦେଶ ଦିଆଯିବା ନେଇ ମଧ୍ୟ କୋର୍ଟ ସୂଚନା ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।