Key BJD Leaders Missing From MMDR Protest: MMDR ମୈଦାନରେ ବିଜେଡି ଫାଟ! କେଉଁଠି ରହିଲେ ବଡ଼ ବଡ଼ ନେତା?

Sep 09, 2026 - 20:49
Key BJD Leaders Missing From MMDR Protest: MMDR ମୈଦାନରେ ବିଜେଡି ଫାଟ! କେଉଁଠି ରହିଲେ ବଡ଼ ବଡ଼ ନେତା?

ମାଇନ୍ସ ଆଣ୍ଡ ମିନେରାଲସ ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ୍ ବା MMDR ଆଇନ ପ୍ରତ୍ୟାହାର ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡି। ଲୋକ ଭବନ ଆଗରେ ଧାରଣା, ରାଜ୍ୟପାଳଙ୍କୁ ଭେଟି ଦେଲା ସ୍ମାରକ ପତ୍ର। ସକାଳ ୧୦ଟାରୁ ଦିନ ୧୨ଟା ଯାଏଁ ଆଜି ବିଜେଡି ଲୋକ ଭବନ ଆଗରେ ବିକ୍ଷୋଭ କରିଥିଲା। ସଂଶୋଧିତ MMDR ଆଇନକୁ କଳା ଆଇନ କହି ବିଜେପି ସରକାର ଉପରେ ବର୍ଷିବା ସହିତ ଅର୍ଥନୈତିକ ଅବରୋଧ ପାଇଁ ଦଳ ଦେଇଛି ଚେତାବନୀ। ଆଇନ୍ ପ୍ରତ୍ୟାହାର ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଦଳ ଦମ୍ଭୋକ୍ତି ଦେଖାଇଛି। ବିକ୍ଷୋଭ ପରେ ରାଲିରେ ଲୋକ ଭବନ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛନ୍ତି ବିଜେଡି ପ୍ରତିନିଧି ମଣ୍ଡଳୀ। ବିଜେଡିର ଏହି ଆନ୍ଦୋଳନକୁ କଡ଼ା କାଉଣ୍ଟର କରିଛି ବିଜେପି। କହିଛି ଖଣିଜ ସଂପଦକୁ ନେଇ ବିଜେଡି ସ୍ପଷ୍ଟ ତଥ୍ୟ ଦେଉ। ଅତୀତରେ ଯେଉଁମାନେ ଏହି ବିଷୟ ସହ ଜଡ଼ିତ ଆଇନକୁ ସମର୍ଥନ କରିଥିଲେ, ସେମାନେ ଏବେ କାହିଁକି ପ୍ରଶ୍ନ ଉଠାଉଛନ୍ତି। 

MMDR ପ୍ରସଙ୍ଗରେ ପ୍ରଥମ ଥର ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି। କିନ୍ତୁ ଆଜି ବିକ୍ଷୋଭ ସ୍ଥଳରେ ଦେଖିବାକୁ ମିଳିଥିଲା ବିଚିତ୍ର ଦୃଶ୍ୟ। ଦଳର ମୁଖିଆ ନବୀନ ଦିଲ୍ଲୀରେ। ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜଙ୍କୁ ବି ଧାରଣାରେ ଦେଖିବାକୁ ମିଳିନଥିଲା। ସେପଟେ ସୁଜାତା କାର୍ତ୍ତିକେୟନ, ଖବରକାଗଜ ଆଲେଖ୍ୟରେ ଆକ୍ରମଣ କରିଥିବାବେଳେ, ଦଳର ଆନ୍ଦୋଳନରେ କିନ୍ତୁ ଅନୁପସ୍ଥିତ। ଅନ୍ୟପଟେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ରାଜା ସ୍ୱାଇଁ ବିକ୍ଷୋଭସ୍ଥଳକୁ ଗଲେନି ମାତ୍ର ଲୋକଭବନରେ ପକାଇଥିଲେ ହାଜିରା। ବଦ୍ରି ପାତ୍ର, ବବି ଦାସ ଓ ପ୍ରତାପ ଦେବଙ୍କ ଭଳି ହେଭିୱେଟ୍ଙ୍କ ଦେଖା ନ ମିଳିବା ବିଜେଡି ସଂଗଠନର ଫାଟକୁ ଆହୁରି ସ୍ପଷ୍ଟ କରିଛି। ଦଳ କିନ୍ତୁ ତାଳି ପକାଇ କହିଛି, ସୁଜାତାଙ୍କର ଅନ୍ୟ କାର୍ଯ୍ୟକ୍ରମ ଥିବା ବେଳେ ଆଉ କିଛି ନେତା ସ୍ୱାସ୍ଥ୍ୟଗତ କାରଣରୁ ଆସିପାରିନଥିଲେ। 

ଗୋଟିଏ ପଟେ MMDMR ଆଇନ୍ ପ୍ରତ୍ୟାହାର ଦାବିରେ ବିଜେଡିର ଆନ୍ଦୋଳନ। ଅନ୍ୟପଟେ ଦଳ ଭିତରର କିଛି ଚର୍ଚ୍ଚିତ ନେତାଙ୍କ ଅନୁପସ୍ଥିତି। ଆଗକୁ ଦେଖିବାର କଥା ଅସନ୍ତୋଷ ଭିତରେ ଆଗକୁ ବଡ଼ ଆନ୍ଦୋଳନ ପାଇଁ ବିଜେଡି ସଜବାଜ ହେଉଥିବା ବେଳେ କେତେ ସଫଳତା ମିଳୁଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।