Khurda-Balangir Railway Progress: ଶହେ ବର୍ଷର ସ୍ୱପ୍ନ ସାକାର, ବୌଦ୍ଧର ଚାରିଛକରେ ପହଞ୍ଚିଲା ଟ୍ରେନ
୧୦୦ ବର୍ଷ ଅପେକ୍ଷାରେ ପଡିବ ପୂର୍ଣ୍ଣଛେଦ। ଗାଁକୁ ପହଞ୍ଚିବ ଟ୍ରେନ, ଆଉ ଷ୍ଟେସନ୍ ଦେଖିବାକୁ ଯିବାକୁ ପଡ଼ିବନି ଖୋର୍ଦ୍ଧା କିମ୍ବା ସମ୍ବଲପୁର। ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ସବୁଠୁ ଗୁରୁତ୍ବପୂର୍ଣ୍ଣ ଓ ସବୁଠୁ କଠିନ ଅଧ୍ୟାୟ, ଟନେଲ-୪ ଦେଇ ଟ୍ରେନ ଗଡ଼ିଛି। ଚାରିଛକରୁ ୭ଟି ଟନେଲ ୪ଟି ଭାୟାଡକ୍ଟ ଦେଇ ବୌଦ୍ଧରୁ ବଲାଙ୍ଗିର, ଖୋର୍ଦ୍ଧାକୁ ସହଜରେ ପହଞ୍ଚିପାରିବେ ଲୋକେ।
ପାହାଡ଼ର ବୁକୁ ଚିରି ନଦୀ ଡେଇଁ, ଜଙ୍ଗଲ ଉପରୁ ସୁ ସୁ ଗର୍ଜନ କରି ମାଡ଼ି ଆସୁଛି। ଚାରିଆଡେ ସବୁଜ ବନାନୀ, ଆଉ ଘଞ୍ଚ ଜଙ୍ଗଲ। ତା ଭିତରେ ୧୦୦ରୁ ଅଧିକ କିଲୋମିଟର ବେଗରେ ଦୌଡ଼ୁଛି ଟ୍ରେନ୍। ଏଠି ଲୋକେ ଗୁମ୍ଫା କଥା ଶୁଣିଥିଲେ, ହେଲେ ଏବେ ସେଇ ପାହାଡ଼ କାଟି ଭାରତୀୟ ରେଲୱେ ନିର୍ମାଣ କରିଛି ଏଇ ଟନେଲ। ଲମ୍ବା ସୁଡଙ୍ଗ ଦେଇ ଘଞ୍ଚ ଜଙ୍ଗଲ ଭିତରୁ ଆଗକୁ ବଢ଼ିଲେ ଆକାଶକୁ ଛୁଇଁଲା ଭଳି ଭାୟାଡକ୍ଟ ବ୍ରିଜ୍। ମାଟିରୁ ୮୫ ଫୁଟ ଉଚ୍ଚର ଭାୟାଡକ୍ଟ ଦେଇ ଟ୍ରେନ ୧୩ କିଲୋମିଟର ରାସ୍ତା ଅତିକ୍ରମ କରିଛି। ସ୍ବାଧୀନତା ପରେ ଅପେକ୍ଷା କରିଥିଲେ କେବେ ଗାଁ ଦେଇ ଯିବ ଟ୍ରେନ୍। ଏବେ ଟ୍ରେନ୍ ଯିବା ନେଇ ପ୍ରସ୍ତୁତି ସରିଛି। ପରୀକ୍ଷଣ ପାଇଁ ଇଞ୍ଜିନ୍ ଗଡ଼ିଛି, ଷ୍ଟେସନ୍ ବି ପ୍ରସ୍ତୁତ। ଏଠୁ ଟ୍ରେନ୍ ଚାଲିଥିଲେ ଆଉ ୭୦ କିଲୋମିଟର ଦୂର ସମ୍ବଲପୁର ଜିଲ୍ଲାର ରେଢାଖୋଲକୁ ଯିବାକୁ ପଡ଼ିବନି । ଏଥର ସିଧା ବୌଦ୍ଧର ଚାରିଛକ ଷ୍ଟେସନରୁ ବଲାଙ୍ଗୀର ଓ ଖୋର୍ଦ୍ଧାକୁ ଯାଇହେବ। ଏହି ରୁଟରେ ବାକି ଥିବା ୭ ନମ୍ବର ଟନେଲ ସହ ୨ଟି ଭାୟାଡକ୍ଟ ଦେଇ ପୁରୁଣାକଟକରୁ ଚାରିଛକ ପର୍ଯ୍ୟନ୍ତ ନୂଆ ରେଳର ସିଆରଏସ ପରୀକ୍ଷଣ ଶେଷ ହୋଇଛି। ଏବେ ଅପେକ୍ଷା କେବଳ ଗ୍ରୀନ ସିଗନାଲକୁ ।
ବଲାଙ୍ଗିରରୁ ଟ୍ରେନ୍ ବାହାରିଲେ ଏବେ ଆଉ ବୁଲି ବୁଲି ସମ୍ବଲପୁର ଦେଇ ଯିବାକୁ ପଡ଼ିବନି। ବଲାଙ୍ଗିରରୁ ସୋନପୁର, ବୌଦ୍ଧର ଆଡେଣୀଗଡ଼ର ସୁଦୀର୍ଘ ଟନେଲ ଦେଇ ଟ୍ରେନ ନୟାଗଡକୁ ପ୍ରବେଶ କରିବ। ପରେ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ, ଆଉ ଖୋର୍ଦ୍ଧା ଦେଇ ଯାଇ ହେବ ଦେଶର କୋଣଅନୁକୋଣ। ଆଉ ମାତ୍ର ବାକି ରହିଛି, ୭୫ କିଲୋମିଟରର ରେଳ ରାସ୍ତା କାମ। ଯେଉଁ ରାସ୍ତାରେ ରହିଛି ୭ଟି ସୁଡ଼ଙ୍ଗ ସହ ୪ଟି ବଡ଼ ଉଚ୍ଚତା ବିଶିଷ୍ଟ ଭାୟାଡକ୍ଟ। ସବୁଠୁ ବଡ଼ କଥା ହେଉଛି, ଆଡେଣୀଗଡର ୪ ନମ୍ବର ଟନେଲ ଓଡିଶାର ସବୁଠାରୁ ବଡ଼ ଟନେଲ । ୪ କିଲୋମିଟର ସୁଦୀର୍ଘ ଏହି ଟନେଲ ମଧ୍ୟ ଦେଇ ଯାତ୍ରୀ ଏକ ମେଟ୍ରୋ ଟ୍ରେନ ଅନୁଭୂତି ପାଇବେ।
୭୦ ବର୍ଷରୁ ଖୋର୍ଦ୍ଧା-ବଲାଙ୍ଗିରକୁ ରେଲୱେ ସଂଯୋଗକୁ ନେଇ ଅଧା ଓଡ଼ିଶା ସ୍ବପ୍ନ ଦେଖୁଛି। ଅଧାରୁ ଅଧିକ ଫିଟିଗଲାଣି ଆଉ ମାତ୍ର ବାକି ଅଛି ଅଳ୍ପ କିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।