Kotia dispute: କୋଟିଆ ବିବାଦର କେତେକ ମୌଳିକ ପ୍ରସଙ୍ଗ
ସଞ୍ଜୀବ ଚନ୍ଦ୍ର ହୋତା କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ (୨୧ଟି ଗଁା ଓ ସାତଟି ପଡ଼ାଗଁା)କୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଭିତରେ ଯେଉଁ ବିବାଦ ଦୀର୍ଘ କାଳ ଧରି ଲାଗିରହିଛି।
ଏଠାରେ ତାହାର ପୃଷ୍ଠଭୂମି ଓ ବିବାଦୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବା।
୧୯୩୬ ମସିହା ମାର୍ଚ୍ଚ ୩ ତାରିଖରେ ଭାରତ ସରକାରଙ୍କ ଆଇନ ୧୯୩୫ ଅଧୀନରେ ଓଡ଼ିଶା ପ୍ରଦେଶ ଗଠନର ଆଦେଶ ନିର୍ଗମନ ହେଲା।
ସେହି ଆଦେଶନାମାର ସଂଲଗ୍ନ ଦ୍ବିତୀୟ ସୂଚୀରେ ଓଡ଼ିଶାର ସୀମା ନିର୍ଦ୍ଧାରଣ କରାଯାଇ ଉଲ୍ଲେଖ ରହିଲା ଯେ ଅବିଭାଜ୍ୟ ଜୟପୁର ଜମିଦାରିର ସମସ୍ତ ଅଂଶ ଓ ଏହାର ସୀମା ଓଡ଼ିଶାର ସୀମା ହେବ ଏବଂ ଏହି ସୀମା ପଟାଙ୍ଗି ତାଲୁକର ସୀମାକୁ ସ୍ପର୍ଶ କରି ସେହି ତାଲୁକର ଯେଉଁ ଗ୍ରାମଗୁଡ଼ିକ ଜୟପୁର ଅବିଭାଜ୍ୟ ଜମିଦାରୀର ଅଂଶ ଓ ଜମିଦାରିର ଅଂଶ ନ ଥିଲେ ବି ସମସ୍ତ ପଟାଙ୍ଗି ତାଲୁକ ଓଡ଼ିଶା ପ୍ରଦେଶର ଅନ୍ତର୍ଭୁକ୍ତ ହେବ।
କୋଟିଆ ସମେତ ଏହି ଏକୋଇଶଟି ବିବାଦୀୟ ଗ୍ରାମ ପଟାଙ୍ଗି ତାଲୁକରେ ଥାଇ ଓଡ଼ିଶା ପ୍ରଦେଶର ଅଂଶ ହେଲା।
ପରବର୍ତ୍ତୀ ସମୟରେ ତତ୍କାଳୀନ ଓଡ଼ିଶା ସରକାର ବିହାର ସରକାରଙ୍କୁ ଏହି ଦକ୍ଷିଣ ସୀମାନ୍ତର କାଡେଷ୍ଟ୍ରାଲ ସର୍ଭେ କରିବାକୁ ଅନୁରୋଧ କରିବାରୁ ସର୍ଭେ ଆରମ୍ଭ ହୋଇଥିଲେ।
କିନ୍ତୁ ଏହି ଏକୋଇଶଟି ଗାଁର ଭୌଗୋଳିକ ଅବସ୍ଥିତି ହେତୁ ସରଜମିନ ସର୍ଭେ କରିବାରେ ଅସୁବିଧା ହେଲା।
ତେଣୁ ମାନଚିତ୍ରରେ ସୀମା ଦେଖା ନ ହୋଇଥିଲେ ବି ବିଭିନ୍ନ ସୀମାରେ ପଥରର ସ୍ତୂପ ଚିହ୍ନ ସ୍ବରୂପ ରଖିଥିଲେ ଯାହା ଏବେ ବି ରହିଛି।
୧୯୪୨ ମସିହାରେ ମାଡ୍ରାସ ପ୍ରଦେଶ ସରକାର (ଆନ୍ଧ୍ରପ୍ରଦେଶ ହୋଇ ନ ଥାଏ) ତାଙ୍କର ସହକାରୀ ସର୍ଭେ ଅଧିକାରୀ ଏଚ.ଏସ.
ଗିଲ୍ବିଙ୍କୁ ଏହି ଗ୍ରାମପୁଞ୍ଜର ସୀମା ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଲେ ଏବଂ ସେ ମହାଶୟ ଏହାର ସୀମା ନିର୍ଦ୍ଧାରଣ କରି ଦେଖାଇଲେ ଯେ ଏହି ଗ୍ରାମଗୁଡ଼ିକ ମାନ୍ଦ୍ରାଜ ପ୍ରଦେଶର ଅନ୍ତର୍ଗତ।
ସେତେବେଳର କୋରାପୁଟର ବ୍ରିଟିସ କଲେକ୍ଟର ବା ଓଡ଼ିଶା ସରକାର ଏହାକୁ ଆପତ୍ତି କଲେନାହିଁ।
୧୯୫୫ ମସିହାରେ ମାନ୍ଦ୍ରାଜ ସରକାରଙ୍କ କେତେକ ଅଧିକାରୀ ଏହି ଗଁାମାନଙ୍କରୁ ହଳ କର ଖଜଣା ଆଦାୟ ପାଇଁ ଚେଷ୍ଟା କରିବାରୁ ଓଡ଼ିଶା ତରଫରୁ ପ୍ରତିବାଦ କରାଯାଇଥିଲା।
୧୯୬୮ ମସିହାରେ ଆନ୍ଧ୍ର ପୁଲିସର ଗୋଟିଏ ଦଳ ଆସି କୋଟିଆ ପାଖରେ ଏକ ପୁଲିସ ଫାଣ୍ଡି ବସାଇବା ପାଇଁ ଉଦ୍ୟମ କରିବାରୁ ତତ୍କାଳୀନ କୋରାପୁଟ ଜିଲ୍ଲା ପୁଲିସ ଅଧୀକ୍ଷକ ତାଙ୍କର ପ୍ରତିପକ୍ଷ ବିଶାଖାପାଟଣା ଜିଲ୍ଲା (ବିଜୟନଗରମ୍ ଜିଲ୍ଲା ହୋଇ ନ ଥିଲା) ପୁଲିସ ଅଧୀକ୍ଷକଙ୍କୁ ଏପରି ପ୍ରୟାସରୁ ଓହରି ଯିବା ପାଇଁ ଅନୁରୋଧ କରିଥିଲେ ବି ଆନ୍ଧ୍ର ସରକାରଙ୍କ ତରଫରୁ ସେଠାରେ ଗୋଟିଏ ପୁଲିସ ଫାଣ୍ଡି ତମ୍ବୁ ପକାଇ ସ୍ଥାପନ କରାଗଲା।
ଓଡ଼ିଶା ସରକାର ଏହି ଗ୍ରାମପୁଞ୍ଜକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଆନ୍ଧ୍ର ସରକାରଙ୍କୁ ପ୍ରତିପକ୍ଷ କରି ଏକ ସିଭିଲ ମାମଲା ଆଗତ କଲେ।
ଦୀର୍ଘ କାଳ ପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ମାମଲା ବିଚାର ପରିସରଭୁକ୍ତ ନୁହେଁ ବୋଲି ତାହାକୁ ଖାରଜ କଲେ।
ଓଡ଼ିଶା ସରକାର ପୁଣି ଥରେ ସର୍ବୋଚ୍ଚ ନ୍ୟାୟାଳୟରେ ଏହି ଗ୍ରାମପୁଞ୍ଜକୁ ନେଇ ସାନି ମାମଲା ଆଗତ କଲେ।
ସର୍ବୋଚ୍ଚ ନ୍ୟାୟାଳୟ ୨୦୦୬ ମସିହାରେ ଉଭୟ ରାଜ୍ୟର ସୀମା ବିବାଦ କେବଳ ସଂସଦରେ ଆଲୋଚନା କରି ସମାଧାନ ହୋଇପାରିବ ବୋଲି ଉଲ୍ଲେଖ କରି ନିର୍ଦ୍ଦେଶ ଦେଲେ ଯେ ଏହି ଗ୍ରାମପୁଞ୍ଜରେ ପ୍ରଶାସନିକ ସ୍ଥିତାବସ୍ଥାର ପରିବର୍ତ୍ତନ ହେବ ନାହିଁ।
ଏହି ପୃଷ୍ଠଭୂମିରେ କେତେକ ପ୍ରସଙ୍ଗ ଗୁରୁତ୍ବପୂର୍ଣ୍ଣ।
୧୯୭୧ ମସିହାରୁ ଏହି ୨୧ଟି ଗଁାରେ କ୍ରମାଗତ ଭାବେ ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ତରଫରୁ ଜନଗଣନା କାର୍ଯ୍ୟକ୍ରମ ଚାଲି ଆସୁଛି।
ସେହିପରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ବିଧାନସଭା ଓ ଲୋକସଭା ନିର୍ବାଚନ ଉଭୟ ରାଜ୍ୟ ଏହି ବିବାଦୀୟ ଗ୍ରାମଗୁଡ଼ିକରେ କରାଇ ଆସୁଛନ୍ତି।
ଉଭୟ ରାଜ୍ୟର ଭୋଟର ପରିଚୟ ପତ୍ର ସେମାନଙ୍କ ପାଖରେ ଅଛି।
ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଏମାନେ ଉଭୟ ରାଜ୍ୟ ସରକାରଙ୍କ ତରଫରୁ ସୁବିଧା ପାଇ ଆସୁଛନ୍ତି।
ଏଠାରେ କେତେକ ତଥ୍ୟ ରଖୁଅଛି।
ଏହି ବିବାଦୀୟ ଗ୍ରାମପୁଞ୍ଜକୁ ଆନ୍ଧ୍ରପ୍ରଦେଶ ସେଇ ରାଜ୍ୟର ପାଞ୍ଚଟି ଗ୍ରାମ ପଞ୍ଚାୟତରେ ଅନ୍ତର୍ଭୁକ୍ତ କରିଥିବାବେଳେ ଓଡ଼ିଶା ଗୋଟିଏ ଗ୍ରାମ ପଞ୍ଚାୟତରେ (କୋଟିଆ) ରଖିଅଛି।
ଗତ ୨୦୨୨ ମସିହାରେ ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୫୧୯୭ ଭୋଟର୍ ତେରଟି ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଦେଇଥିଲେ ଏବଂ ଏହି ବୁଥ୍ଗୁଡ଼ିକ ଏହି ବିବାଦୀୟ ଗ୍ରାମଗୁଡ଼ିକରେ ଥିଲା।
ଏଥର ଆନ୍ଧ୍ରପ୍ରଦେଶ କରୁଥିବା ପଞ୍ଚାୟତ ନିର୍ବାଚନରେ ଆନ୍ଧ୍ରର ଏହି ପାଞ୍ଚଟି ଗ୍ରାମ ପଞ୍ଚାୟତରୁ ତିନିଟି ପଞ୍ଚାୟତର ମୁଖ୍ୟ କାର୍ଯ୍ୟାଳୟ ଏହି ୨୧ଟି ଗଁା ଭିତରେ ଥିବାବେଳେ ବାକି ଦୁଇଟି ଆନ୍ଧ୍ରର ଦୁଇଟି ଗଁା ଅଛି।
ଫଳରେ କୋଟିଆ ଗ୍ରାମପୁଞ୍ଜରୁ ତିନି ଜଣ ଆନ୍ଧ୍ରପ୍ରଦେଶରେ ସରପଞ୍ଚ ହୋଇଥିବା ବେଳେ ଓଡ଼ିଶାରେ ସେମାନଙ୍କ ଭିତରୁ ଜଣେ ମାତ୍ର ସରପଞ୍ଚ ହେଉଛନ୍ତି।
ଆନ୍ଧ୍ର ଆଡ଼କୁ ଆକର୍ଷଣର ଏହା ଏକ କାରଣ।
ଏଇ ବିବାଦୀୟ ଗ୍ରାମର ସମସ୍ତ ଅଧିବାସୀ ଦୁଇଟି ଗୋଷ୍ଠୀର ଯଥା କନ୍ଧ ଓ ଦୋରା (କୋଣ୍ଡାଦୋରା, ନୋକାଦୋରା)।
ଏମାନେ ସମସ୍ତେ ଆନ୍ଧ୍ର ସରକାରଙ୍କ ଦ୍ବାରା ଅନୁସୂଚିତ ଜନଜାତି ଭାବେ ବିଜ୍ଞପିତ ଥିଲାବେଳେ ଓଡ଼ିଶାରେ କେବଳ କନ୍ଧ ଜନଜାତି ଭାବେ ବିଜ୍ଞାପିତ।
ଦୋରାମାନେ ଏଯାଏ ରାଷ୍ଟ୍ରପତିଙ୍କ ଦ୍ବାରା ଜନଜାତି ଭାବେ ବିଜ୍ଞପିତ ହୋଇ ନାହାନ୍ତି।
ଏଣେ, ବିବାଦୀୟ ଗ୍ରାମମାନଙ୍କର ଜନସଂଖ୍ୟାର ୨୦% ଦୋରା ସଂପ୍ରଦାୟ ଆନ୍ଧ୍ର ସରକାରଠାରୁ ଜନଜାତିର ସମସ୍ତ ସୁବିଧା ପାଉଥିବା ବେଳେ ଓଡ଼ିଶା ସରକାରଙ୍କ ଠାରୁ ସେ ସୁବିଧାରୁ ବଞ୍ଚିତ।
ଏହି ଗ୍ରାମର ଅଧିବାସୀମାନଙ୍କର ନିଜର ଆଦିମ ମାତୃଭାଷା ଥିବାବେ ଳେ ସେମାନେ ଓଡ଼ିଆ ଓ ତେଲୁଗୁ ବୁଝିପାରନ୍ତି ଏବଂ କଥା ବି ହୁଅନ୍ତି।
କିନ୍ତୁ ପରବର୍ତ୍ତୀ ପିଢ଼ିର ଲୋକ ଆଉ ଓଡ଼ିଆ କହିବେ ବା ବୁଝିବେ କି ନାହିଁ ସେ ନେଇ ସନ୍ଦେହ ହୁଏ।
କାରଣ ଆନ୍ଧ୍ର ସରକାରଙ୍କ ଦ୍ବାରା ଏହି ଗଁାର ଅଧିବାସୀମାନଙ୍କ ପୁଅଝିଅ ଆନ୍ଧ୍ର ସରକାରଙ୍କ ଦ୍ବାରା ଖୋଲାଯାଇଥିବା ତେଲୁଗୁ ମାଧ୍ୟମ ସ୍କୁଲଗୁଡ଼ିକରେ ଜନଜାତି ଛାତ୍ରଛାତ୍ରୀ ଭାବେ ନଁା ଲେଖାଇଲେ ଆନ୍ଧ୍ର ସରକାରଙ୍କର ଆମାୱାଡି ଯୋଜନାରେ ଶିକ୍ଷାର୍ଥୀର ମା'ଙ୍କ ନଁାରେ ୧୫,୦୦୦ ଟଙ୍କାର ସ୍ଥାୟୀ ଜମା ପନ୍ଦର ବର୍ଷ ରଖି ଦିଆଯାଉଛି।
ଏଥିପାଇଁ ସେଇ ଗଁାମାନଙ୍କରେ ଆନ୍ଧ୍ର ପରିଚାଳିତ ତେଲୁଗୁ ମାଧ୍ୟମ ସ୍କୁଲରେ ସମସ୍ତେ ପଢ଼ିବା ପାଇଁ ନଁା ଲେଖାଉଛନ୍ତି।
ଓଡ଼ିଶା ସରକାରଙ୍କର ଓଡ଼ିଆ ମାଧ୍ୟମ ସ୍କୁଲ ପ୍ରାୟ ଖାଲି ପଡୁଛି; ଅଳ୍ପ କେତେକ ସ୍କୁଲରେ ଶିକ୍ଷକମାନେ ରହୁଛନ୍ତି।
ଆନ୍ଧ୍ର ପରିଚାଳିତ ସ୍କୁଲଗୁଡ଼ିକରେ ଶିକ୍ଷକମାନେ ସେଇ ଗଁାରେ ରହିବା ସୁନିଶ୍ଚିତ କରାଯାଉଛି।
ଏହା ଫଳରେ ଏଇ ଗଁାର ଏହି ପିଢ଼ିର ପିଲାମାନେ ତେଲୁଗୁ ମାଧ୍ୟମରେ ପାଠ ପଢ଼ି ମାତୃଭାଷା ରୂପେ କେବଳ ତେଲୁଗୁ ଭାଷାକୁ ଆଦରି ନେଇଛନ୍ତି।
ଓଡ଼ିଆ ଆଉ କହିପାରୁ ନାହାନ୍ତି।
ତେବେ କୋଟିଆରେ ଓଡ଼ିଶା ସରକାରଙ୍କର ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ଚାଲୁଥିବା ପ୍ରାଥମିକ ସ୍ତରରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଆବାସିକ ବିଦ୍ୟାଳୟରେ ଓଡ଼ିଆ ମାଧ୍ୟମରେ ଶିକ୍ଷା ଦିଆଯାଉଛି, ଯେଉଁଥିରେ ଏଇ ବିବାଦୀୟ ଗ୍ରାମପୁଞ୍ଜର କେତେକ ଛାତ୍ରଛାତ୍ରୀ ପଢୁଛନ୍ତି।
ଅନ୍ୟ ଏକ ବିବାଦୀୟ ଗଁା ତଳ ଗଞ୍ଜେଇପଦରରେ ରାଜ୍ୟ ସରକାରଙ୍କ ଦ୍ବାରା ଏକ ଆବାସିକ ଆଦର୍ଶ ବିଦ୍ୟାଳୟ ସ୍ଥାପିତ ହୋଇଛି ଏବଂ ଓଡ଼ିଆ ବି ଏକ ବିଷୟ ଭାବେ ଶିକ୍ଷା ଦିଆଯାଉଛି।
ଏଇ ସ୍କୁଲରେ ବି କୋଟିଆର ବିବାଦୀୟ ଗାଁମାନଙ୍କରୁ ପୁଅଝିଅ ଆସି ପଢୁଛନ୍ତି, କାରଣ ଏଠାରେ ମାଗଣାରେ ସବୁ ସୁବିଧା ଦିଆଯାଉଛି।
ଓଡ଼ିଶାର ସରକାରଙ୍କ ତରଫରୁ ଏହି ଗ୍ରାମପୁଞ୍ଜରେ ଯେଉଁ ଭିତ୍ତିଭୂମିର ଉନ୍ନତି ହୋଇଛି, ଆନ୍ଧ୍ର ସେ ଦିଗରେ ବହୁତ ପଛରେ।
ସବୁ ଗଁାକୁ ପକ୍କା ରାସ୍ତା ଓ ପୋଲ ନିର୍ମାଣ ହୋଇଛି।
ଅଧିକାଂଶ ଗଁାକୁ ବିଜୁଳି ଲାଇନ ଓଡ଼ିଶା ତରଫରୁ ଥିଲାବେଳେ ଆନ୍ଧ୍ର ବି ଅନେକ ଗଁାରେ ବିଜୁଳି ଯୋଗାଉଛି।
ସେହିପରି ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଓଡ଼ିଶା ସରକାରଙ୍କ ତରଫରୁ ଯଥେଷ୍ଟ ଉନ୍ନତି କରାଯାଇଛି।
ଆନ୍ଧ୍ର ତରଫରୁ ସେ ବ୍ୟବସ୍ଥା ନଗଣ୍ୟ।
ତେବେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ପରିବାରମାନଙ୍କୁ ଯେଉଁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଉଛି ସେ କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ସରକାର ବହୁତ ଆଗରେ।
ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ଭତ୍ତା ଆଦିରେ ଓଡ଼ିଶା ସରକାର ଯେଉଁ ଆର୍ଥିକ ସାହାଯ୍ୟ ଦିଅନ୍ତି, ତା' ତୁଳନାରେ ଆନ୍ଧ୍ର ସରକାର ଦେଉଥିବା ଭତ୍ତା ଦୁଇ ଓ ତିନି ଗୁଣ।
ତା' ଛଡ଼ା ଆନ୍ଧ୍ର ସରକାର ପ୍ରତ୍ୟେକ ଗ୍ରାମର ସୁବିଧା ଅସୁବିଧା ବୁଝିବା ପାଇଁ ଜଣେ ଯୋଗାଯୋଗକାରୀ ଏଜେଣ୍ଟ ନିଯୁକ୍ତି କରିଛନ୍ତି।
ସେ ବ୍ୟବସ୍ଥା ଓଡ଼ିଶା ସରକାରଙ୍କ ତରଫରୁ ହୋଇନାହିଁ।
ଏଇ ପରିପ୍ରେକ୍ଷୀରେ ଓଡ଼ିଶା ସରକାର ଏକ ସ୍ବତନ୍ତ୍ର ପ୍ୟାକେଜ ଏଇ ଗ୍ରାମପୁଞ୍ଜ ପାଇଁ ପ୍ରସ୍ତୁତ କରିବାର ନିତାନ୍ତ ଜରୁରି ହୋଇପଡ଼ିଛି।
କୋଣ୍ଡାଦୋରା ଓ ନୋକାଦୋରାମାନଙ୍କୁ ଜନଜାତିର ମାନ୍ୟତା ପାଇଁ ଭାରତ ସରକାରଙ୍କ ସହ ଯୋଗାଯୋଗ କରି ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରନ୍ତୁ।
ଜିଲ୍ଲା ଖଣିଜ ପାଣ୍ଠିରୁ ବା ରାଜ୍ୟ ରାଜକୋଷରୁ କଲ୍ୟାଣକାରୀ ଯୋଜନାରେ ଆନ୍ଧ୍ର ସରକାର ଦେଉଥିବା ଆର୍ଥିକ ସାହାଯ୍ୟରୁ ଯଥେଷ୍ଟ ଅଧିକ ସୁବିଧା ସେମାନଙ୍କୁ ଦିଆଯାଉ।
କୋଟିଆବାସୀ କ୍ରମାଗତ ଭାବେ ଆନ୍ଧ୍ରମୁହଁା ହେଉଥିବାରୁ ବିବାଦୀୟ ପ୍ରତ୍ୟେକ ଗ୍ରାମରୁ କୋରାପୁଟ ଜିଲ୍ଲା ପ୍ରଶାସନ ଜଣେ ବା ଦୁଇ ଜଣ ଯୁବକଯୁବତୀଙ୍କୁ ଏହି ପ୍ୟାକେଜରେ ବିଭିନ୍ନ କାର୍ଯ୍ୟାଳୟରେ ଚତୁର୍ଥ ବା ତୃତୀୟ ଶ୍ରେଣୀ (ଯୋଗ୍ୟତା ଭିତ୍ତିରେ) ଚାକିରି ଓ କୋରାପୁଟ ଆରକ୍ଷୀ ଅଧିକ୍ଷକ ଗୃହରକ୍ଷୀ ଭାବେ ନିଯୁକ୍ତି ଦେବାର ବ୍ୟବସ୍ଥା ହେଉ।
ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ସରକାରଙ୍କର ବିଭିନ୍ନ କାର୍ଯ୍ୟାଳୟ ଯଥା ଗ୍ରାମସେବକ, ରାଜସ୍ବ ନିରୀକ୍ଷକ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପୁଲିସ ଥାନା ଥିବା ବେଳେ ଆନ୍ଧ୍ର ସରକାରଙ୍କର ସ୍କୁଲ ଓ ଅଙ୍ଗନୱାଡ଼ି ଛଡ଼ା ଆଉ କୌଣସି ପ୍ରଶାସନିକ କାର୍ଯ୍ୟାଳୟ ନାହିଁ।
ଓଡ଼ିଶା ସରକାରଙ୍କର ଏହି କାର୍ଯ୍ୟାଳୟଗୁଡ଼ିକ ସପ୍ତମ ଦଶକରୁ ଅଛି।
ଭାରତ ସରକାର ପ୍ରତ୍ୟକ୍ଷରେ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର ବୋଲି ସ୍ବୀକାର କରିଛନ୍ତି କାରଣ ପଟାଙ୍ଗି ସବ୍ପୋଷ୍ଟ ଅଫିସ ଅଧୀନରେ କୋଟିଆରେ ଥିବା ଶାଖା ଡାକଘର ଅଛି ଯାହା ଅଧୀନରେ ୨୧ଟି ଗ୍ରାମ ଆସୁଅଛି।
ଉଭୟ ଡାକଘରର ଗୋଟିଏ ପିନକୋଡ୍- ୭୬୪୦୩୯।
ବେଳ ଥାଉ ଥାଉ ଓଡ଼ିଶା ସରକାର ପଦକ୍ଷେପ ନ ନେଲେ ନେଡ଼ିଗୁଡ଼ କହୁଣିକୁ ବୋହିଯିବ। (ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୯୩୭୦୧୧୨୨୫ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।