Kotia: କୋଟିଆରେ ଖଣ୍ଡଯୁଦ୍ଧ: ଉଭୟ ରାଜ୍ୟ ପୁଲିସ ଓ ସମର୍ଥକ ଧସ୍ତାଧସ୍ତି, ମାରପିଟ୍‌

Nov 04, 2026 - 05:39
Kotia: କୋଟିଆରେ ଖଣ୍ଡଯୁଦ୍ଧ: ଉଭୟ ରାଜ୍ୟ ପୁଲିସ ଓ ସମର୍ଥକ ଧସ୍ତାଧସ୍ତି, ମାରପିଟ୍‌

ପଟାଙ୍ଗି/କୋରାପୁଟ: ଓଡ଼ିଶା ସୀମାରେ ପଶି ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରାଇବାକୁ ନେଇ କୋଟିଆରେ ଉତ୍ତେଜନା ବଢ଼ିବାରେ ଲାଗିଛି।

ବ୍ୟାରିକେଡ୍‌ ଭାଙ୍ଗି ଓଡ଼ିଶା ସୀମାକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ଆନ୍ଧ୍ର ପୁଲିସ ଓ ସମର୍ଥକଙ୍କୁ ଅଟକାଇଛି ଓଡ଼ିଶା ପ୍ରଶାସନ ଓ ପୁଲିସ।

ଫଳରେ ଉଭୟ ରାଜ୍ୟର ପୁଲିସ ଓ ସମର୍ଥକଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଧସ୍ତାଧସ୍ତି, ଠେଲାପେଲା ସହ ଉଭୟ ପକ୍ଷ ମଧ୍ୟରେ ମାରପିଟ୍‌ ହେବା ପରେ ଓଡ଼ିଶା ସୀମା ଛାଡ଼ି ପଳାଇଥିଲେ ଆନ୍ଧ୍ର ସମର୍ଥକ ଏବଂ ପୁଲିସ।

ତେବେ ଓଡ଼ିଶା ସୀମା ଛାଡ଼ିବା ସମୟରେ ଆନ୍ଧ୍ର ସମର୍ଥକ ଓଡ଼ିଶା ପୁଲିସ, ପ୍ରଶାସନ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ଉପରକୁ ଲଙ୍କାଗୁଣ୍ଡ ଫୋପାଡ଼ିଥିଲେ।

Advertisment ନେରେଡ଼ିୱାଲସା ସୀମାରୁ ଆନ୍ଧ୍ର ଅଧିକାରୀ ଓ ପୁଲିସଙ୍କୁ ବିଦା କରିବା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

ଫଗୁଣସିନେରୀ, ଫାଟୁସିନେରୀ, ନେରେଡ଼ିୱାଲସା ୩ ସୀମାରେ ୧୪ ପ୍ଲାଟୁନ୍‌ ପୁଲିସ ମୁତୟନ ସହ କୋଟିଆର ୨୧ ଗ୍ରାମରେ ୧୬୩ ଧାରା ଲାଗୁ କରାଯାଇଛି।

ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ୯ ମାଜିଷ୍ଟ୍ରେଟ୍‌ଙ୍କୁ ନିୟୋଜିତ କରାଯାଇଛି।

ଓଡ଼ିଶା ସୀମାରେ ଅନଧିକାର ପ୍ରବେଶ ଓ ବିଶୃଙ୍ଖଳା ସୃଷ୍ଟି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ।

ସୀମାରୁ ତଡ଼ିଲା ଓଡ଼ିଶା, ଲଙ୍କା ଗୁଣ୍ଡ ଫୋପାଡ଼ିଲେ ଆନ୍ଧ୍ର ସମର୍ଥକ ବ୍ୟାରିକେଡ୍‌ ଭାଙ୍ଗି ଆନ୍ଧ୍ର ପୁଲିସ ଓ ସମର୍ଥକଙ୍କ ପଶିବାକୁ ଉଦ୍ୟମ, ଆନ୍ଧ୍ର ଅଧିକାରୀଙ୍କୁ ଉପଜିଲ୍ଲାପାଳଙ୍କ ମୁହଁତୋଡ଼ ଜବାବ, ୨୧ ଗାଁରେ ଲାଗିଲା ୧୬୩ ଧାରା, ୧୪ ପ୍ଲାଟୁନ୍‌ ଫୋର୍ସ ମୁତୟନ ମଙ୍ଗଳବାର ସକାଳେ ନେରେଡ଼ିୱାଲସାରେ ଗୋଟିଏ ଅଟୋ ଓ ୨ଟି ବାଇକ୍‌ରେ ଆନ୍ଧ୍ର ପ୍ରଚାର କରୁଥିଲା।

କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ୍‌ ପ୍ରଚାର ଗାଡ଼ିକୁ ଅଟକାଇ ଓଡ଼ିଶା ସୀମା ଭିତରକୁ ନ ପଶିବାକୁ ବାରଣ କରିଥିଲେ।

ଖବର ପାଇ ଆନ୍ଧ୍ର ସମର୍ଥକ ଓ ପୁଲିସ ଓଡ଼ିଶା ସୀମାରେ ପହଞ୍ଚି ବ୍ୟାରିକେଡ୍‌ ଭାଙ୍ଗି ଧସେଇ ପଶିବାକୁ ଚେଷ୍ଟା କରୁଥିବାବେଳେ ଏହାର ତୀବ୍ର ବିରୋଧ କରିଥିଲେ ଉପଜିଲ୍ଲାପାଳ ଓ ଉପସ୍ଥିତ ପୁଲିସ।

ଓଡ଼ିଶା ଭିତରେ ପଶିବା ପାଇଁ ଆନ୍ଧ୍ରର କୌଣସି ଅଧିକାର ନଥିବା ଉପଜିଲ୍ଲାପାଳ ରୋକ୍‌ଠୋକ୍‌ ଚେତାବନୀ ଦେଇଥିଲେ।

ଆନ୍ଧ୍ର ଅଧିକାରୀ ଓ ପୁଲିସକୁ ପ୍ରଶ୍ନବାଣରେ ଉପଜିଲ୍ଲାପାଳ ଘାଇଲା କରିବା ପରେ ଆନ୍ଧ୍ର ସମର୍ଥକ ଧସେଇ ପଶିବା ସହ ବ୍ୟାରିକେଡ୍‌ ଭାଙ୍ଗି ଦେଇଥିଲେ।

ଫଳରେ ଓଡ଼ିଶା ପୁଲିସ ଏବଂ ଆନ୍ଧ୍ର ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ଉଭୟ ରାଜ୍ୟର ସମର୍ଥକଙ୍କ ମଧ୍ୟରେ ଠେଲାପେଲା ଓ ପିଟାପିଟି ହୋଇଥିଲା।

ଅପରାହ୍ଣରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା ଏବଂ ବିଜେପି ଟିମ୍, ପୂର୍ବତନ ସାଂସଦ ଜୟରାମ ପାଙ୍ଗି ପହଞ୍ଚି ଆନ୍ଧ୍ରର ଅନୁପ୍ରବେଶକୁ ଜୋର୍‌ଦାର ବିରୋଧ କରିଥିଲେ।

ସନ୍ଧ୍ୟା ୫ଟାରେ ଓଡ଼ିଶାର ଶହ ଶହ ସମର୍ଥକ ଆନ୍ଧ୍ର ଗୋ ବ୍ୟାକ୍‌ ନାରା ଦେଇ ନେରେଡ଼ିୱାଲସାରେ ପହଞ୍ଚିବା ପରେ ଆନ୍ଧ୍ର ପୁଲିସ ଓ ସମର୍ଥକ ସୀମା ଛାଡ଼ି ପଳାଇଥିଲେ।

ଉପଜିଲ୍ଲାପାଳ ଫାବି ରସିଦ, ପଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ, ସ୍ବତନ୍ତ୍ର ଅଧିକାରୀ ସୌରଭକାନ୍ତ ଦାସ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ସିଡିଓ ବେଣୁଧର ଶବର ପ୍ରମୁଖ ସୀମାରେ ରହି ସ୍ଥିତି ଉପରେ ନଜର ରଖିଥିଲେ।

ଓଡ଼ିଶା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଆନ୍ଧ୍ର ସୋମବାର ଚାଉଳ ଓ ରାସନ ଭର୍ତ୍ତି ଟ୍ରକ୍‌ ଗଞ୍ଜେଇପଦର ପଠାଇଥିଲା।

ଯାହାକୁ ଓଡ଼ିଶା ପ୍ରଶାସନ ଫେରାଇ ଦେଇଥିଲା।

ଏହାକୁ ବିରୋଧ କରି ମଙ୍ଗଳବାର ସକାଳେ ତାଡିୱାଲସାରେ ରାସ୍ତାରୋକ ହୋଇଥିଲା।

ଓଡ଼ିଶା ଟିମ୍ ରାସ୍ତାରୋକ ହଟାଇବା ସହ ଆନ୍ଧ୍ର ସମର୍ଥକଙ୍କୁ ସେଠାରୁ ତଡ଼ିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।