Kushei River: କୁଶେଇ ନଦୀ ନା କାଶତଣ୍ଡୀ ବଣ!
"ଆନନ୍ଦପୁର (ଶତ୍ରୁଘ୍ନ ସାହୁ): କେନ୍ଦୁଝର ଜିଲ୍ଲାର ଅନ୍ୟତମ ପ୍ରମୁଖ ନଦୀ କୁଶେଇ ଶଯ୍ୟା ଧୀରେ ଧୀରେ ପୋତି ହେବାରେ ଲାଗିଛି।
ଅନେକ ସ୍ଥାନରେ ନଦୀର ଉପସ୍ଥିତି ଜଣାପଡ଼ୁନି।
ଯେଉଁଠାରେ ଦିନେ ବଡ଼ ଗଣ୍ଡ ରହିଥିଲା ତାହା ଏବେ ବାଲିପଠା।
ନଦୀଶଯ୍ୟା କାଶତଣ୍ଡୀ ବଣରେ ଭର୍ତ୍ତି ହୋଇଯାଇଛି।
ବୈତରଣୀର ପ୍ରମୁଖ ଉପନଦୀ କୁଶେଇ ଢେଙ୍କାନାଳ ଜିଲ୍ଲା ସୀମାନ୍ତ ହରିଚନ୍ଦନପୁର ବ୍ଲକ୍ର ମେଘନାଦ ପାହାଡ଼ରୁ ବାହାରିଛି।
କୁଶେଇ କେନ୍ଦୁଝର ଜିଲ୍ଲାର ପ୍ରାଚୀନ ସଂସ୍କୃତି ଏବଂ ପଞ୍ଚନଦୀ ସଭ୍ୟତା ସହିତ ଜଡ଼ିତ।
ନଦୀକୂଳ ଦେଓଗାଁଠାରେ ପ୍ରସିଦ୍ଧ ଶୈବକ୍ଷେତ୍ର କୁଶଳେଶ୍ବରଙ୍କ ପୀଠ ରହିଛି।
ଏହି ନଦୀ ହରିଚନ୍ଦନପୁର ବ୍ଲକ୍ର ରେବଣାପଳାଶପାଳ, ବାରିଗାଁ, ଘସିପୁରା ବ୍ଲକ୍ର କରଞ୍ଜିଆପାଳ, ଜଳସୁଆଁ, ଦରଡ଼ିପାଳ, ଦେଓଗାଁ, ହାତୀଶିଳା, ସରେଇଁ, ବେଲବାହାଳି, ଟୋଲଙ୍କପଡ଼ା, ନୟାଗଡ଼ ଅତିକ୍ରମ କରି ବାତୋ ଦୋମୁହାଣି ନିକଟରେ ବୈତରଣୀରେ ମିଶିଛି।
ଏହି ସଙ୍ଗମ ସ୍ଥଳକୁ ନେଇ ଅନେକ କିଂବଦନ୍ତି ରହିଥିବା ସାହିତ୍ୟିକ ହଳଧର ପଣ୍ଡା କହନ୍ତି।
ଯାଜପୁର ଜିଲ୍ଲାର ବାଙ୍ଗରକୋଟା (ତେଲିବେଡ଼ା) ନିକଟରେ କୁଶେଇ ସହ ଷେଣ୍ଢେଇ ଓ ରେମାଳ ନଦୀ ମିଶିଛି।
Advertisment ଟ୍ୟୁବ୍ରେ ଚାଲିଛି ସମୁଦ୍ର ବୁଡ଼ିଙ୍କ ଉଦ୍ଧାର ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁସାରେ, କୁଶେଇ ନଦୀରେ ପୂର୍ବରୁ ବହୁ ସ୍ଥାନରେ ଗଭୀର ଜଳ ରହିଥିଲା।
ଗ୍ରୀଷ୍ମଋତୁରେ ମଧ୍ୟ ଏହା ଲୋକଙ୍କ ଆବଶ୍ୟକତା ପୂରଣ କରୁଥିଲା।
ମଦନପୁର ପଞ୍ଚାୟତ କାନପୁର ଗାଁର ୬୨ ବର୍ଷୀୟ ଗୋଲକ ଜେନା କହନ୍ତି, ସେ କୁଶଳେଶ୍ବର ହାଇସ୍କୁଲରେ ପଢ଼ୁଥିବା ସମୟରେ ହାତୀଶିଳା ନିକଟରେ ନଦୀ ପାର ହୋଇ ସ୍କୁଲକୁ ଯାଉଥିଲେ।
ହାତୀଶିଳା ବାଙ୍କ ଓ ଯାଜପୁର ଜିଲ୍ଲା କରଡ଼ାପାଳ ବାଙ୍କରେ ଦୁଇଟି ବିରାଟ ଗଣ୍ଡ ରହିଥିଲା।
ମତ୍ସ୍ୟଜୀବୀ ଏଠାରୁ ବହୁ ପରିମାଣର ମାଛ ଧରିଥାନ୍ତି।
ବର୍ତ୍ତମାନ ଏଠାରେ ନଦୀକୁ ଦେଖିବାକୁ ମିଳୁନି।
ଚାରିଆଡ଼େ ଖାଲି କାଶତଣ୍ଡୀ ବଣ।
୨୦ ନମ୍ବର ଜାତୀୟ ରାଜପଥ ବେଲବାହାଳି ବ୍ରିଜ୍ ଉପରୁ ମଧ୍ୟ ନଦୀର କୌଣସି ଚିହ୍ନ ଦେଖିବାକୁ ମିଳୁନି।
ନଦୀରେ ୧୦ରୁ ଊର୍ଦ୍ଧ୍ବ ପୋଲ ନିର୍ମାଣ ହୋଇଥିଲେ ମଧ୍ୟ ଅଦ୍ୟାବଧି ଜଳସେଚନ ବ୍ୟବସ୍ଥା ପାଇଁ ନଦୀବନ୍ଧ କରାଯାଇ ନାହିଁ।
କେବଳ ହରିଚନ୍ଦନପୁର ବ୍ଲକ୍ର ବୁଢ଼ୀପଦାରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏକ ପ୍ରକଳ୍ପ ନିର୍ମାଣ କରାଯାଇଛି।
ଘସିପୁରା, ଆନନ୍ଦପୁର ବ୍ଲକ୍ ଅଞ୍ଚଳରେ କୌଣସି ନଦୀବନ୍ଧ କି ଆଡ଼ିବନ୍ଧ ନିର୍ମାଣ ହୋଇନି।
ଜଙ୍ଗଲ ଓ ଜନବସତି ଦେଇ ନଦୀ ପ୍ରାୟ ୮୩ କିମି ଅତିକ୍ରମ କରିଥିଲେ ମଧ୍ୟ ଏହାର ଜଳ ଠିକ୍ ଭାବେ ବିନିଯୋଗ ହୋଇ ପାରୁନାହିଁ।
ଉପନଦୀ ଷେଣ୍ଢେଇ ଓ ରେମାଳରେ ଦୁଇଟି ଜଳସେଚନ ପ୍ରକଳ୍ପ ହୋଇଥିଲେ ସୁଦ୍ଧା ତାହା ଚାଷୀଙ୍କ ଆବଶ୍ୟକତା ପୂରଣ କରି ପାରୁନାହିଁ।
ନଦୀର ବିଭିନ୍ନ ସ୍ଥାନରେ ରାଜସ୍ବ ବିଭାଗ ବାଲିଘାଟ ଲିଜ୍ ଦେଇ କୋଟି କୋଟି ଟଙ୍କା ଆଦାୟ କରୁଛି।
ଏହା ସତ୍ତ୍ବେ ଜଳସେଚନ ପାଇଁ ପଦକ୍ଷେପ ଗ୍ରହଣ କରା ନଯିବା ସ୍ଥାନୀୟ ଚାଷୀଙ୍କୁ ବ୍ୟଥିତ କରୁଛି।
Bhumika: ଏଥର ଭୂମିକାଙ୍କ ପାଳି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।