Landslides Shut Kalinga Ghati: ଗଭୀର ଅବପାତରେ କଳିଙ୍ଗା ଘାଟିରେ ଭୂସ୍ଖଳନ, ବନ୍ଦ ହେଲା ଯାତାୟାତ

Sep 25, 2026 - 20:25
Landslides Shut Kalinga Ghati: ଗଭୀର ଅବପାତରେ କଳିଙ୍ଗା ଘାଟିରେ ଭୂସ୍ଖଳନ, ବନ୍ଦ ହେଲା ଯାତାୟାତ

କଳିଙ୍ଗା ଘାଟିକୁ ଭୁସ୍ଖଳନ କାଳ। ଗତକାଲି ଗୋଟିଏ ଦିନରେ ଦୁଇ ଦୁଇ ଥର ଭୂସ୍ଖଳନ ଘଟି ଦୁଇ ଭାଗ ହୋଇଯାଇଛି ଘାଟିରାସ୍ତା। ଗାର୍ଡୱାଲ୍ ଧସିବା ଏବଂ ରାସ୍ତାରେ ପଥର ପଡ଼ିବା ଯୋଗୁ ୟାତାୟାତ ସମ୍ପୂର୍ଣ୍ଣ ବନ୍ଦ। କନ୍ଧମାଳ-ଗଞ୍ଜାମ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ କେବେ ରାସ୍ତା ଖୋଲିବ ତାହା କାହାରିକୁ ଜଣାନାହିଁ । ବିଜୟଓ୍ୱାଡା-ରାଞ୍ଚି କରିଡରରେ ବ୍ରେକ୍। ଗଞ୍ଜାମ-କନ୍ଧମାଳ ଯିବାଆସିବା ବନ୍ଦ ! କଳିଙ୍ଗା ଘାଟିକୁ ଭୂସ୍ଖଳନ କାଳ ।

ଗୋଟିଏ ବର୍ଷରେ ଦୁଇଥର ବିପର୍ଯ୍ୟୟ। ୧୬ ସେପ୍ଟେମ୍ବର ୨୦୨୫। ୨୪ ସେପ୍ଟେମ୍ବର ୨୦୨୬। ସେହି ମାସ, ସମାନ ପ୍ରଳୟ। ବର୍ଷକରେ କଳିଙ୍ଗା ଘାଟି ଭୋଗିଲାଣି ଦୁଇ ଦୁଇ ଥର ଭୂସ୍ଖଳନ। ଗତବର୍ଷ ପ୍ରବଳ ବର୍ଷାରେ ରାସ୍ତାର ଏକ ବଡ଼ ଅଂଶ ଧସିଯିବା ଫଳରେ ପ୍ରାୟ ଦେଢ ମାସ ଧରି ବନ୍ଦ ରହିଥିଲା ଯାତାୟାତ।  କଳିଙ୍ଗା ଘାଟିକୁ ଡବଲ୍ ଝଟକା ଦେଇଛି ଗଭୀର ଅବପାତ ତାଣ୍ଡବ। ପ୍ରଥମେ ଅନ୍ଧାରକୋଟ ବନଦୁର୍ଗା ମନ୍ଦିର ନିକଟରେ ୨୦୦ ମିଟର ପର୍ଯ୍ୟନ୍ତ ନବନିର୍ମିତ ଗାର୍ଡୱାଲ୍ ଧସିଯାଇଥିବାବେଳେ ଗତବର୍ଷ ଭୂସ୍ଖଳନ ହୋଇଥିବା ରାସ୍ତାରେ ପାହାଡ଼ରୁ ଖସିଛି ଆଉ ଏକ ବିଶାଳ ପଥର। ଦୁଇ ଫାଳ ହୋଇଯାଇଛି ରାସ୍ତା। ଅନେକ ସ୍ଥାନରେ ବଡ଼ ବଡ଼ ଫାଟ। କହିବାକୁ ଗଲେ, ରାସ୍ତା ଉପରେ ଛକି ବସିଛି ଯମ। ଏବେ ରାସ୍ତା ସିଲ୍, ଗମନାଗମନ ବନ୍ଦ। ଆଗକୁ ବଢିବା ମନା। ଭଞ୍ଜନଗର ଦୁର୍ଗାପ୍ରସାଦଠାରେ ବ୍ୟାରିକେଡ୍ ବାନ୍ଧି ରାସ୍ତାକୁ ବନ୍ଦ କରିବା ସହିତ ଜଗି ରହିଛନ୍ତି ପୋଲିସ୍ । କେବେ ମରାମତି ହେବ, କେତେଦିନ ଲାଗିବ ଆଉ କେବେ ରାସ୍ତା ଖୋଲିବ କାହାରିକୁ ଜଣାନାହିଁ । ଘାଟି ରାସ୍ତା ବନ୍ଦ ଯୋଗୁ ଲୋକେ ବି ନାନା ଦହଗଞ୍ଜ ହେଉଛନ୍ତି ।

ତେବେ କାହିଁକି ଗୁରୁତ୍ବପୂର୍ଣ୍ଣ କଳିଙ୍ଗା ଘାଟି ? କାହିଁକି ଏଠି ବାରମ୍ବାର ଘଟୁଛି ଭୂସ୍ଖଳନ ? କଳିଙ୍ଗା ଘାଟି କେବଳ ଏକ ସାଧାରଣ ପାହାଡ଼ିଆ ରାସ୍ତା ନୁହେଁ । ଏହା ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଲାଇଫ୍ ଲାଇନ୍। ଦକ୍ଷିଣ ଓ ଉପକୂଳ ଓଡ଼ିଶା ସହିତ କନ୍ଧମାଳର ବାଣିଜ୍ୟିକ ସମ୍ପର୍କ ରକ୍ଷା କରିବାରେ ବିଶେଷ ଭୂମିକା ଗ୍ରହଣ କରିଯାଏ । ଏହାକୁ ବିଜୟଓ୍ୱାଡା-ରାଞ୍ଚି କରିଡର୍ ମଧ୍ୟ କୁହାଯାଏ। ଯାହାକି ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯାତାୟାତ ଏବଂ ବାଣିଜ୍ୟ କାରବାର ପାଇଁ ପ୍ରମୁଖ ରାସ୍ତା। ଅନିର୍ଦ୍ଦିଷ୍ଟ ସମୟ ପାଇଁ କଳିଙ୍ଗା ଘାଟି ବନ୍ଦ ଯୋଗୁ ଟିକାବାଲି ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦେଇଛି ପ୍ରଶାସନ। କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ ନଜର ରଖିଥିବାବେଳେ ବର୍ଷା ଛାଡ଼ିବା ପରେ ବିଶେଷଜ୍ଞ ଟିମ୍ ଦ୍ବାରା ଅନୁଧ୍ୟାନ କରାଯାଇ ରାସ୍ତା ମରାମତି କରାଯିବ । ତେବେ ଯାତାୟାତ କେବେ ସ୍ବାଭାବିକ ହେବ ସେନେଇ କାହାରି ପାଖରେ ଉତ୍ତର ନାହିଁ।

ଏପଟେ ବାରମ୍ବାର ଘାଟି ରାସ୍ତା ଭୁଶୁଡ଼ିବାକୁ ନେଇ ନିର୍ମାଣ କାମ ଉପରେ ଅଙ୍ଗୁଳି ଉଠିଛି। ପ୍ରଶ୍ନ ଉଠୁଛି- କାହିଁକି ଭୁଶୁଡ଼ିଗଲା ଗାର୍ଡୱାଲ୍ ? ନିର୍ମାଣ କାମ ସଠିକ ଭାବେ ହେଉଥିଲା ତ ? କାମ ସମୟରେ ଟେକ୍ନିକାଲ୍ ଟିମ୍ ପରାମର୍ଶକୁ ଅବଲମ୍ବନ କରାଯାଉଛି ତ ? ଠିକା ସଂସ୍ଥା ଓ ପ୍ରଶାସନର ବେପରୁଆ ଢଙ୍ଗ ଯୋଗୁ ଦୁର୍ଦ୍ଦଶା ଭୋଗୁନାହାନ୍ତି ତ ଲୋକେ ? ଏସବୁ ଦିଗକୁ ଧ୍ୟାନ ଦେଇ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି ପାଇଁ ଦାବି ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।