Legal: ଆଇନଅଦାଲତ: ତଣ୍ଡ ଗଣିଲା ବୈବାହିକୀ ୱେବ୍ସାଇଟ୍
ବୈବାହିକ ସମ୍ବନ୍ଧ ଲାଗି ପାତ୍ରପାତ୍ରୀ ଯୋଗାଣ ବ୍ୟବସାୟରେ ଏବେ ବହୁ ସଂସ୍ଥା ନିୟୋଜିତ ଅଛନ୍ତି। ବେଳେ ବେଳେ ଏହି ସଂସ୍ଥାଗୁଡ଼ିକ ନଁା’ରେ ଠକେଇ ଅଭିଯୋଗ ଆସିଥାଏ। ଖାଉଟି ଅଦାଲତରେ ବିଚାର ହୋଇଥିବା ଏଭଳି ଏକ ଠକେଇ ମାମଲାର ବିଶଦ ବିବରଣୀ।
୧୦୦ କହି ଦେଲା ୫୧ ଠିକଣା
କେରଳର କୋଟ୍ଟୟମ୍ ଜିଲ୍ଲାର ଚଙ୍ଗନାଚେରୀରେ ରହୁଥିବା ଜଣେ ଯୁବକ ଯୋଗ୍ୟ ପାତ୍ରୀ ପାଇବା ଆଶାରେ ‘ଏମ୍୪ମ୍ୟାରିଡଟ୍କମ୍’ରେ ନାମ ପଞ୍ଜୀକରଣ କରାଇଥିଲେ। ଯୋଗ୍ୟ ପାତ୍ରୀ ଯୋଗାଇଦେବ ବୋଲି ଉକ୍ତ ସଂସ୍ଥା ନିର୍ଭର ପ୍ରତିଶ୍ରୁତି ଦେଇଥିଲା। ପ୍ଲାଟ୍ଫର୍ମରେ ନାମ ପଞ୍ଜୀକରଣ ପାଇଁ ତାଙ୍କୁ ୨୫,୯୬୦ ଟଙ୍କା ଦେବାକୁ ପଡ଼ିଥିଲା। ଏମ୍୪ମ୍ୟାରିଡଟ୍କମ୍ ତାଙ୍କୁ ଦେଇଥିବା ରସିଦ୍ରେ ଉଲ୍ଲେଖ ଥିଲା ଯେ ୩ ମାସ ଭିତରେ ତାଙ୍କୁ ୧୦୦ଜଣ ଯୋଗ୍ୟ ପାତ୍ରୀଙ୍କ ଠିକଣା ଯୋଗାଇ ଦିଆଯିବ।
Weekly Horoscope 2026 September 27 to October 03: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ତିନି ମାସ ଭିତରେ ଏମ୍୪ମ୍ୟାରିଡଟ୍କମ୍ ପକ୍ଷରୁ ମାତ୍ର ୫୧ଜଣ ପାତ୍ରୀଙ୍କ ଠିକଣା ଦିଆଗଲା। ହେଲେ ଏହି ଠିକଣା ଭିତରୁ ସେ ଜଣେ ହେଲେ ପସନ୍ଦଯୋଗ୍ୟ ପାତ୍ରୀ ପାଇଲେ ନାହିଁ। ୨୦୨୪ ଜୁନ୍ ୧୯ରେ ଏମ୍୪ମ୍ୟାରିଡଟ୍କମ୍ ଉକ୍ତ ଯୁବକଙ୍କୁ ଜଣାଇଲା ଯେ ତାଙ୍କ ପ୍ଲାନ୍ର ଅବଧି ସମାପ୍ତ ହୋଇଛି। ଅଧିକ ସଂଖ୍ୟକ ପାତ୍ରୀଙ୍କ ଠିକଣା ପାଇବାକୁ ହେଲେ ତାଙ୍କୁ ନବୀକରଣ କରିବାକୁ ପଡ଼ିବ।
ଜିଲ୍ଲା ଖାଉଟି ଅଦାଲତ ଗଲେ ଗ୍ରାହକ
ଏହା ଶୁଣି ଗ୍ରାହକଜଣକ କୋଟ୍ଟୟମ୍ ଜିଲ୍ଲା କଞ୍ଜୁମର୍ ଡିସ୍ପ୍ୟୁଟ୍ ରିଡ୍ରେସାଲ୍ କମିସନ୍ ବା ଖାଉଟି ଅଦାଲତରେ ଫେରାଦ ହେଲେ। ସେ ଅଭିଯୋଗ କଲେ କି ଏମ୍୪ମ୍ୟାରିଡଟ୍କମ୍ ଠିକ୍ ଭାବେ ସେବା ଯୋଗାଇ ପାରି ନାହିଁ। ବିଚାରପତି ବି ସୁଧୀନ୍ଦ୍ର କୁମାର, ସଦସ୍ୟ ଅଜିତ କୁମାର ଡି ଏବଂ କେ. ଆର୍. ରାଧାକୃଷ୍ଣନନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠରେ ତାଙ୍କ ଅଭିଯୋଗ ବିଚାର ଚାଲିଲା।
କମ୍ପାନିର ଯୁକ୍ତି ଓ ସଫେଇ
ମାତ୍ର ଏମ୍୪ମ୍ୟାରିଡଟ୍କମ୍ ମାଟ୍ରିମୋନିଅଲ୍ ସାଇଟ୍ ଦୋଷ ମାନିଲାନାହିଁ। ଓଲଟି ଯୁକ୍ତି ଦେଖାଇଲା ଯେ ଗ୍ରାହକ ନିଜେ ୱେବ୍ସାଇଟ୍ରୁ ତାଙ୍କ ପସନ୍ଦ ମୁତାବକ ପାତ୍ରୀ ଖୋଜି ପାରିଥାଆନ୍ତେ। ଗୋଟି ଗୋଟି କରି ସବୁ ପ୍ରୋଫାଇଲ୍ ଗ୍ରାହକଙ୍କ ନିକଟକୁ ପଠାଇବା ପାଇଁ କମ୍ପାନି ବାଧ୍ୟ ନୁହେଁ। କମ୍ପାନି ପୁଣି କହିଲା ଯେ ଗ୍ରାହକମାନେ ଠକାମିରେ ନ ପଡ଼ିବା ପାଇଁ ୱେବ୍ସାଇଟ୍ରେ ଛଡ଼ାଯାଇଥିବା ପ୍ରୋଫାଇଲ୍ ସବୁ ଯାଞ୍ଚ କରାଯାଇଛି। ତା’ଛଡ଼ା ୱେବ୍ସାଇଟ୍ର ନିୟମ ଓ ସର୍ତ୍ତରେ ରାଜି ହୋଇ ସେ ଗ୍ରାହକ ସବ୍ସ୍କ୍ରିପ୍ସନ୍ ଖରିଦ କରିଥିଲେ।
ରସିଦ ହେଲା ଅକାଟ୍ୟ ପ୍ରମାଣ
ସେହି ସବ୍ସ୍କ୍ରିପ୍ସନ୍ ରସିଦ ହିଁ ସେ ଗ୍ରାହକଙ୍କ ନିମନ୍ତେ ଅକାଟ୍ୟ ପ୍ରମାଣ ହେଲା। ସେଥିରେ ଲେଖାଯାଇଥିଲା ଯେ କମ୍ପାନି ନିଶ୍ଚୟ ୧୦୦ଜଣଙ୍କ ଠିକଣା ଦେବ। କିନ୍ତୁ, କମ୍ପାନି ମାତ୍ର ୫୧ଜଣ ପାତ୍ରୀଙ୍କ ଠିକଣା ଦେଇଥିବା କଥା ମାନିଲା। ସେହି ରସିଦକୁ ଭିତ୍ତିକରି କେରଳ ରାଜ୍ୟ ଖାଉଟି ଅଦାଲତ କମ୍ପାନିକୁ ଦୋଷୀ ସାବ୍ୟସ୍ତ କଲେ। ଅଦାଲତ କହିଲେ- ଟଙ୍କା ନେବା ବେଳେ ୧୦୦ ଜଣ ପାତ୍ରୀଙ୍କ ଠିକଣା ଦେବ ବୋଲି କମ୍ପାନି ଜବାବ ଦେଇଥିଲା। ତେଣୁ, କମ୍ପାନି ୧୦୦ଜଣଙ୍କ ଠିକଣା ଦେବାକୁ ବାଧ୍ୟ।
ମାମଲାର ବିଚାର ପରେ ଖାଉଟି ଅଦାଲତ ୨୦୨୪ ନଭେମ୍ବର ୩୦ ତାରିଖ ଦିନ ଗ୍ରାହକଙ୍କ ସପକ୍ଷରେ ରାୟ ଦେଲେ। ଅଦାଲତ ମାଟ୍ରିମୋନିଅଲ୍ ୱେବ୍ସାଇଟ୍କୁ ଆଦେଶ ଦେଲେ ଯେ ସେ ସେବାଯୋଗାଣ ବାବଦକୁ ନେଇଥିବା ସମୁଦାୟ ଟଙ୍କା ୨୫,୯୬୦ ଟଙ୍କା ଗ୍ରାହକଙ୍କୁ ଫେରସ୍ତ ଦେଉ। ତା’ଛଡ଼ା ସେବା ଯୋଗାଇବାରେ ଅବହେଳା କରିଥିବା ହେତୁ ଗ୍ରାହକଙ୍କୁ ଆହୁରି ୫୦୦୦ ଜରିମାନା ଦେଉ।
ଗ୍ରାହକ ଫେରିପାଇଲେ ୨୦,୦୦୦ ଟଙ୍କା
ଏମ୍୪ମ୍ୟାରିଡଟ୍କମ୍ ଏହି ରାୟକୁ କେରଳ ରାଜ୍ୟ ଖାଉଟି ଅଦାଲତରେ ଚାଲେଞ୍ଜ କଲା। କମ୍ପାନି କହିଲା, ରସିଦେର ୧୦୦ ଠିକଣା ଯୋଗାଇ ଦିଆଯିବ ବୋଲି ଲେଖାଯାଇଥିଲେ ବି ଗ୍ରାହକଙ୍କୁ ୫୧ଜଣଙ୍କ ଠିକଣା ତ ଦିଆଯାଇଛି। ତେଣୁ, ପୂରା ଟଙ୍କା ଫେରସ୍ତ ଦେବୁ କାହିଁକି?
ରାଜ୍ୟ ଖାଉଟି ଅଦାଲତ କମ୍ପାନି ଆପତ୍ତି ପ୍ରତି ଧ୍ୟାନ ଦେଇ ୨୦୨୬ ଜୁଲାଇ ୨୯ ତାରିଖରେ ମାମଲାର ପୁନର୍ବିଚାର କଲେ। ୧୦୦ଜଣଙ୍କ ଠିକଣା ନ ହେଲେ ବି ୩ ମାସ ଭିତରେ କମ୍ପାନି ୫୧ଜଣଙ୍କ ଠିକଣା ଦେଇଛି। ତେଣୁ, ୨୫,୯୬୦ ନୁହେଁ, ଗ୍ରାହକଙ୍କୁ ୧୫,୦୦୦ ଟଙ୍କା ଫେରସ୍ତ କରାଯାଉ। କିନ୍ତୁ, ସେବା ଯୋଗାଇବାରେ ଅବହେଳା କରିଥିବା ବାବଦରେ ୫୦୦୦ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଲେ। ଏମ୍୪ମ୍ୟାରିଡଟ୍କମ୍ ଗ୍ରାହକଙ୍କୁ ମୋଟ୍ ୨୦,୦୦୦ ଟଙ୍କା ଫେରାଇବା ନିଷ୍ପତ୍ତି କଲେ। ଅପିଲ୍ ବେଳେ କମ୍ପାନି ଅଦାଲତରେ ଯେଉଁ ସିକ୍ୟୁରିଟି ଟଙ୍କା ଜମା ଦେଇଥିଲେ ସେହି ଟଙ୍କାରୁ ଗ୍ରାହକଙ୍କ ପ୍ରାପ୍ୟ ଭରଣା କରାଗଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।