LIC ADO Recruitment 2026: ୧୦ ହଜାରରୁ ଅଧିକ ପୋଷ୍ଟରେ ହେବ ନିଯୁକ୍ତି; ଜାଣନ୍ତୁ ଯୋଗ୍ୟତା, ବୟସ ସୀମା ଓ ଚୟନ ପ୍ରକ୍ରିୟା
ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବପିଢ଼ିଙ୍କ ପାଇଁ ଆସିପାରେ ବଡ଼ ସୁଯୋଗ। ଭାରତୀୟ ଜୀବନ ବୀମା ନିଗମ ବା LIC ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆପ୍ରେଣ୍ଟିସ୍ ଡେଭଲପମେଣ୍ଟ ଅଫିସର ବା ADO ପଦରେ ବଡ଼ ନିଯୁକ୍ତି କରିପାରେ। ପ୍ରାଥମିକ ସୂଚନା ଅନୁସାରେ ଏଥର ପ୍ରାୟ ୧୦ ହଜାର କିମ୍ବା ତା’ଠାରୁ ଅଧିକ ପଦ ପାଇଁ ବିଜ୍ଞପ୍ତି ଆସିବାର ସମ୍ଭାବନା ରହିଛି। ତେବେ ଏନେଇ LIC ପକ୍ଷରୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଅଧିସୂଚନା ପ୍ରକାଶ ପାଇନାହିଁ।
ଅଧିକାରିକ ନୋଟିଫିକେସନ୍ ଜାରି ହେବା ପରେ ମୋଟ ପଦ ସଂଖ୍ୟା, ଆବେଦନ ତାରିଖ, ପରୀକ୍ଷା ପ୍ରଣାଳୀ, ଫି’ ଏବଂ ଅନ୍ୟାନ୍ୟ ସର୍ତ୍ତ ସ୍ପଷ୍ଟ ହେବ। ତେଣୁ ଆବେଦନକାରୀଙ୍କୁ LICର ଅଧିକାରିକ ୱେବସାଇଟ୍ licindia.in ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଉଛି।
କେତେ ପଦରେ ହୋଇପାରେ ନିଯୁକ୍ତି?
୨୦୨୬ ନିଯୁକ୍ତି ପାଇଁ ମୋଟ ପଦ ସଂଖ୍ୟା ଏଯାବତ୍ ଘୋଷଣା ହୋଇନାହିଁ। ହେଲେ ପ୍ରାୟ ୧୦ ହଜାରରୁ ଅଧିକ ପଦ ରହିପାରେ ବୋଲି ଆଶା କରାଯାଉଛି। ପୂର୍ବ ନିଯୁକ୍ତିର ଆଞ୍ଚଳିକ ତଥ୍ୟ ଅନୁସାରେ ମୋଟ ୯,୩୯୪ଟି ADO ପଦ ପାଇଁ ସୁଯୋଗ ଥିଲା। ପୂର୍ବାଞ୍ଚଳ, ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ ସମେତ ବିଭିନ୍ନ ଜୋନ୍ରେ ଏହି ପଦ ବଣ୍ଟନ କରାଯାଇଥିଲା।
କିଏ କରିପାରିବେ ଆବେଦନ?
ପୂର୍ବ ନିଯୁକ୍ତିର ନିୟମ ଅନୁସାରେ ADO ପଦ ପାଇଁ ପ୍ରାର୍ଥୀଙ୍କର କୌଣସି ସ୍ୱୀକୃତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଥିବା ଆବଶ୍ୟକ। ତେବେ ୨୦୨୬ ନିଯୁକ୍ତିର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ଚୂଡ଼ାନ୍ତ ସର୍ତ୍ତ ଅଧିକାରିକ ବିଜ୍ଞପ୍ତିରେ ଦିଆଯିବ। ଶେଷ ବର୍ଷର ଛାତ୍ରଛାତ୍ରୀ ଆବେଦନ କରିପାରିବେ କି ନାହିଁ, ସେଥି ମଧ୍ୟ ନୋଟିଫିକେସନ୍ ଜାରି ପରେ ସ୍ପଷ୍ଟ ହେବ।
କେତେ ରହିପାରେ ବୟସ ସୀମା?
ପୂର୍ବ ନିଯୁକ୍ତିକୁ ଦେଖିଲେ ADO ପଦ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୦ ବର୍ଷ ରହିଥିଲା। ତେବେ ବୟସ ଗଣନା କେଉଁ ତାରିଖରୁ କରାଯିବ, ତାହା ୨୦୨୬ର ଅଧିକାରିକ ବିଜ୍ଞପ୍ତିରେ ଉଲ୍ଲେଖ ହେବ।
ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ବୟସ ସୀମାରେ ରିହାତି ମିଳିପାରେ। ପୂର୍ବ ନିୟମ ଅନୁସାରେ SC/ST ପ୍ରାର୍ଥୀଙ୍କୁ ୫ ବର୍ଷ ଏବଂ OBC ନନ୍-କ୍ରିମି ଲେୟର୍ ପ୍ରାର୍ଥୀଙ୍କୁ ୩ ବର୍ଷ ରିହାତି ମିଳିଥିଲା। ଦିବ୍ୟାଙ୍ଗ ଏବଂ ପୂର୍ବତନ ସେନା କର୍ମଚାରୀଙ୍କ ପାଇଁ ସରକାରୀ ନିୟମ ଅନୁସାରେ ଛାଡ଼ ଲାଗୁ ହୋଇପାରେ।
କିପରି ହେବ ଚୟନ?
LIC ADO ପଦରେ ପ୍ରାର୍ଥୀଙ୍କ ଚୟନ ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ହେବାର ସମ୍ଭାବନା ରହିଛି। ତେବେ ପରୀକ୍ଷାର ଅଙ୍କ ବିଭାଜନ, ସିଲାବସ୍ ଓ ଫାଇନାଲ୍ ସିଲେକ୍ସନ୍ ପ୍ରକ୍ରିୟା ଅଧିକାରିକ ନୋଟିଫିକେସନ୍ ପରେ ଜଣାପଡ଼ିବ। ଏହି କାରଣରୁ ଚାକିରି ଆଶାୟୀମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ସହ କେବଳ LICର ଅଧିକାରିକ ସୂଚନାକୁ ଚୂଡ଼ାନ୍ତ ବୋଲି ଧରିବା ଉଚିତ୍।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।