Lionel Messi Retirement: ଆନ୍ତର୍ଜାତିକ ଫୁଟବଲରୁ ଅବସର ନେଲେ ମେସି

Aug 31, 2026 - 21:51
Lionel Messi Retirement: ଆନ୍ତର୍ଜାତିକ ଫୁଟବଲରୁ ଅବସର ନେଲେ ମେସି

ଆର୍ଜେଣ୍ଟିନା ଜର୍ସିକୁ ଅଲବିଦା କହିଲେ ଲିଓନେଲ୍ ମେସି। ଆନ୍ତର୍ଜାତିକ ଫୁଟବଲରୁ ଅବସର ଘୋଷଣା କରିଛନ୍ତି ବିଶ୍ୱର ଅନ୍ୟତମ ମହାନ ଫୁଟବଲର। ଆଉ ଆର୍ଜେଣ୍ଟିନା ପାଇଁ ପଡ଼ିଆକୁ ଓହ୍ଲାଇବେ ନାହିଁ ମେସି। ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ପୋଷ୍ଟରେ ଭାବବିହ୍ୱଳ ହୋଇ ଏହି ବଡ଼ ଘୋଷଣା କରିଛନ୍ତି ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର।

ବିଶ୍ୱକପ୍ ଫାଇନାଲରେ ସ୍ପେନ୍‌ଠାରୁ ପରାଜୟର ଦୁଇ ଦିନ ପରେ ଅବସର ନେବା ନେଇ ନିଷ୍ପତ୍ତି ନେଇଥିଲେ ମେସି। ହେଲେ ବାପାଙ୍କ ମୃତ୍ୟୁ ପରେ ତାଙ୍କ ଏହି ନିଷ୍ପତ୍ତି ଆହୁରି ଦୃଢ଼ ହୋଇଥିବା କହିଛନ୍ତି ମେସି।

ମେସି କହିଛନ୍ତି, ଫାଇନାଲ୍ ପରେ ଅନେକ ଚିନ୍ତା କରି ଜାତୀୟ ଦଳରୁ ଅବସର ନେବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ତାଙ୍କୁ ବହୁତ କଷ୍ଟ ଦେଇଛି, ତଥାପି ଏହା ସଠିକ୍ ସମୟ ବୋଲି ସେ ବିଶ୍ୱାସ କରୁଛନ୍ତି।

୨୦ ବର୍ଷର ଲମ୍ବା ଯାତ୍ରାରେ ଆର୍ଜେଣ୍ଟିନା ଜର୍ସି ପାଇଁ ସବୁକିଛି ଦେଇଥିବା କହିଛନ୍ତି ମେସି। ଦଳ ପାଇଁ ଲଢ଼ିଛନ୍ତି, ସମର୍ଥକଙ୍କ ମୁହଁରେ ହସ ଆଣିବାକୁ ସବୁବେଳେ ଚେଷ୍ଟା କରିଛନ୍ତି। ଜିତର ଦିନ ହେଉ କି ହାରର ସମୟ, ଆର୍ଜେଣ୍ଟିନା ପାଇଁ ସେ ସର୍ବଦା ନିଜର ସର୍ବଶ୍ରେଷ୍ଠ ଦେଇଥିବା କହିଛନ୍ତି।

ଏବେ ଦଳରେ ଅନେକ ଯୁବ ଖେଳାଳି ଆସୁଥିବାରୁ ସେମାନଙ୍କୁ ସୁଯୋଗ ମିଳିବା ଉଚିତ୍ ବୋଲି କହିଛନ୍ତି ମେସି। ଷ୍ଟାଡିୟମ ଭିତରେ ସମର୍ଥକଙ୍କ ଚିତ୍କାର ଓ ଭଲପାଇବାକୁ ସେ ଖୁବ୍ ମିସ୍ କରିବେ ବୋଲି ଭାବବିହ୍ୱଳ ହୋଇ ଲେଖିଛନ୍ତି।

ଏବେ ପଡ଼ିଆରେ ନୁହେଁ, ବାହାରୁ ଆର୍ଜେଣ୍ଟିନାକୁ ସମର୍ଥନ କରିବେ ମେସି। ଭଲ ସମୟରେ ହେଉ କି ଖରାପ ସମୟରେ, ସେ ସବୁବେଳେ ଆର୍ଜେଣ୍ଟିନା ସହ ରହିବେ ବୋଲି କହିଛନ୍ତି।

ନିଜ ପରିବାର, କୋଚ୍‌, ସାଥୀ ଖେଳାଳି ଓ ସମସ୍ତ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମେସି। ଆର୍ଜେଣ୍ଟିନା ସହ ବିତାଇଥିବା ଅନେକ ଅଭୁଲା ସ୍ମୃତିକୁ ସାଙ୍ଗରେ ନେଇ ଯାଉଛନ୍ତି ବୋଲି କହିଛନ୍ତି ଏହି ଫୁଟବଲ୍ ମହାନାୟକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।